
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀ ସମସ୍ୟା ପ୍ରସଙ୍ଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଆଜି ଦେଇଥିବା ମନ୍ତବ୍ୟ ପାଇଁ ଅପଦସ୍ଥ ହୋଇଛନ୍ତି। ଶ୍ରୀକାନ୍ତ ଗଣମାଧ୍ୟମକୁ ଦେଇଥିବା ବୟାନ ତାଙ୍କର ନିଜସ୍ୱ ଓ ସେ ଦଳ ପକ୍ଷରୁ ମନ୍ତବ୍ୟ ଦେବା ପାଇଁ ଅଧିକୃତ ନୁହନ୍ତି ବୋଲି କହି କଂଗ୍ରେସ ତାଙ୍କୁ ଦୂରେଇଛି। ଏପରିକି ରାଜନୀତିରେ ବଞ୍ଚିରହିବା ପାଇଁ ଶ୍ରୀକାନ୍ତ ବିଭିନ୍ନ ସମୟରେ ଏଭଳି ବିବୃତି ଦିଅନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।
ଆଜି ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଶ୍ରୀ ଜେନା ବିଜେଡିର ଜାନୁଆରୀ ୮ ତାରିଖରେ ପ୍ରସ୍ତାବିତ ସଂସଦ ଘେରାଉ କାର୍ଯ୍ୟକ୍ରମ ଏକ ନାଟକ ଓ ଚାଷୀଙ୍କୁ ଭୂଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ବୋଲି କହିଥିଲେ। ରାଜ୍ୟ ସରକାର ତୁରନ୍ତ କୃଷି ଋଣ ଛାଡ଼ କରନ୍ତୁ। ସେ କହିଥିଲେ,ଋଣ ଛାଡ଼ ନକଲେ ସରକାରଙ୍କୁ ବୟକଟ କରାଯିବ। ମନ୍ତ୍ରୀ, ବିଧାୟକଙ୍କୁ ଅସହଯୋଗ କରାଯିବା ସହ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଘେରାଉ କରାଯିବ।ସରକାର ତୁରନ୍ତ ସ୍ୱତନ୍ତ୍ର କ୍ୟାବିନେଟ ଡାକି ଚାଷୀଙ୍କ ସମସ୍ୟା ଉପରେ ନିଷ୍ପତ୍ତି ନିଅନ୍ତୁ। ନହେଲେ ଇସ୍ତଫା ଦିଅନ୍ତୁ।ଯଦି ଚାଷୀ ସମସ୍ୟା ସମାଧାନ ଦିଗରେ ସରକାର ପଦକ୍ଷେପ ନନେବେ ତା’ହେଲେ ଆଉ ୪ମାସ ପରେ ନିର୍ବାଚନରେ ଲୋକେ ବିଦା କରିଦେବେ ବୋଲି ଶ୍ରୀ ଜେନା କହିଥିଲେ।
ତେବେ ଶ୍ରୀ ଜେନାଙ୍କ ଏହି ବୟାନର ୪ ଘଣ୍ଟା ନୁ ପୂରୁଣୁ ପିସିସି ଉପସଭାପତି ତଥା ପିସିସି ଗଣମାଧ୍ୟମ ପରାମର୍ଶଦାତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ ବିବୃତିରେ ଶ୍ରୀକାନ୍ତଙ୍କ ମନ୍ତବ୍ୟକୁ ଖାରଜ କରିଛନ୍ତି। ସେ କହିଛନ୍ତି ଯେ ଚାଷୀ ପ୍ରସଙ୍ଗରେ ବିଜେଡିର କାର୍ଯ୍ୟ ସମ୍ପର୍କରେ କଂଗ୍ରେସର ଅଧିକୃତ ମୁଖପାତ୍ରମାନେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ମତ ରଖିସାରିଛନ୍ତି। ଯାହା ଗଣମାଧ୍ୟମରେ ପ୍ରସାରିତ ଓ ପ୍ରକାଶିତ ହୋଇଛି। ଶ୍ରୀକାନ୍ତ ଜେନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଚାଷୀ ପ୍ରସଙ୍ଗରେ ଯେଉଁ ମତ ରଖିଛନ୍ତି ତାହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମତ। କଂଗ୍ରେସ ତାଙ୍କୁ ଏ ସମ୍ପର୍କରେ ବିବୃତି ରଖିବାକୁ କହିନାହିଁ କିମ୍ବା ସେ ଅଧିକୃତ ନୁହନ୍ତି। ରାଜନୀତିରେ ବଞ୍ଚିରହିବା ପାଇଁ ସେ ବିଭିନ୍ନ ସମୟରେ ଏଭଳି ବିବୃତି ଦେଇଥାନ୍ତି ବୋଲି ଶ୍ରୀ ଜ୍ଞାନେନ୍ଦ୍ର କହିଛନ୍ତି।
ସୂଚନାଯୋଗ୍ୟ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା କରିବା ଦାବିରେ ବିଜେଡି ଆସନ୍ତା ୮ତାରିଖରେ ସଂସଦ ଘେରାଉ କରିବ ବୋଲି ଘୋଷଣା କରିଥିଲା। ଯାହାକୁ କଂଗ୍ରେସର ମୁଖପାତ୍ରମାନେ କଡ଼ା ସମାଲୋଚନା କରିଥିଲେ। ସଂସଦରେ ଚାଷୀ ସମସ୍ୟାର ଆଲୋଚନା ନକରି ବିଜେଡି ପଳାୟନପନ୍ଥୀ ସାଜିଥିବାବେଳେ ଏବେ ସାମ୍ବାଦିକ ସମ୍ମିଳନୀରେ କାହିଁକି ଗର୍ଜନ କରୁଛନ୍ତି ବୋଲି ଦଳ ପ୍ରଶ୍ନ କରିଥିଲା।
ତେବେ ପ୍ରଦେଶ କଂଗ୍ରେସ ଓ ଶ୍ରୀକାନ୍ତଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଏବେ ସ୍ପଷ୍ଟ ଭାବେ ପଦାରେ ପଡ଼ିଛି। ଶ୍ରୀକାନ୍ତଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ପିସିସି ପକ୍ଷରୁ ଏଆଇସିସିକୁ ସୁପାରିସ୍ କରାଯାଇଥିବାବେଳେ ଏବେ ତାଙ୍କର ବୟାନକୁ ସମାଲୋଚନା କରାଯାଇଛି।
from Odisha Reporter https://ift.tt/2ECXQTT
No comments:
Post a Comment