‘ନିର୍ଭୟା’ର ପ୍ରଶ୍ନ, ପିଶାଚକୁ ଫାଶି କେବେ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

‘ନିର୍ଭୟା’ର ପ୍ରଶ୍ନ, ପିଶାଚକୁ ଫାଶି କେବେ ?

ନୂଆଦିଲ୍ଲୀ: “ମା’ ମୁଁ ବଞ୍ଚିବାକୁ ଚାହୁଁଛି। ମୋତେ ବଞ୍ଚାଇଦିଅ ମା’, ମୋତେ ବଞ୍ଚାଇ ଦିଅ…।” 

ସେଦିନ ଏମିତି ଚିତ୍କାର ଥିଲା ତା’ର। ୬ ଜଣ ନର ରୂପି ରାକ୍ଷସଙ୍କ ଶିକାର ହୋଇ, ଜୀବନ ଓ ମୃତ୍ୟୁ ସହ ଲଢୁଥିବା ବେଳେ ତା ପାଟିରୁ ବାହାରିଥିଲା ଏମିତି କେଇପଦ ଶେଷ କଥା।

ମନେପଡ଼ୁଛି ସେ କଥା, ଯାହା ସେଦିନ ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା।

‘ନିର୍ଭୟା’, ଏହି ନାଁ ଶୁଣିଲେ ୬ ବର୍ଷ ତଳେ ରାଜଧାନୀରେ ଘଟିଥିବା ଅମାନୁଷିକ ଘଟଣା କଥା ମନେ ପଡ଼େ। ୨୦୧୨ ଡିସେମ୍ବର ୧୬ ତାରିଖ। ଅର୍ଥାତ୍ ଆଜିର ଦିନରେ ଦୀଲ୍ଲୀରେ ଜଣେ ପାରାମେଡିକାଲ ଛାତ୍ରୀଙ୍କ ସହ ଏକ ଚଳନ୍ତା ବସ୍‌ରେ ଗଣଦୁଷ୍କର୍ମ ହୋଇଥିଲା। ତାଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ଆକ୍ରମଣ କରିବା ପରେ ବସ୍‌ରୁ ତଳକୁ ଫୋପାଡ଼ି ଦେଇଥିଲେ ୬ ଜଣ ଦୁର୍ବୃତ୍ତ। ଏହି ଅମାନବୀୟ ଘଟଣା ସାରା ରାଜଧାନୀର ନିଦ ହଜାଇ ଦେଇଥିଲା। ପିଲାଠୁ ବୁଢ଼ାଯାଏ ସମସ୍ତେ ନ୍ୟାୟ ଦାବି କରି ରାଜ ରାସ୍ତାକୁ ଓହ୍ଲାଇଥିଲେ। ସମସ୍ତଙ୍କ ଆଖିରେ ଜଳ ଜଳ ହୋଇ ଦିଶୁଥିଲା ପ୍ରତିବାଦର ନିଆଁ।

ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ୍ ହସ୍ପିଟାଲ୍‌ରେ ଜୀବନ ଓ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ସମୟରେ ନିର୍ଭୟା ବଞ୍ଚିବାକୁ ଚିତ୍କାର କରିଥିଲା। ନିର୍ଭୟାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ସେ ଏତେ କଷ୍ଟ, ଏତେ ଯନ୍ତ୍ରଣାରେ ଥିଲେ ଯେ ସେ ଜିଇଁବାର ଆଶା ଛାଡ଼ିଦେଇଥିଲେ। ହେଲେ ସାରା ଦେଶ ତାଙ୍କ ସପକ୍ଷରେ ଠିଆ ହୋଇ ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ଦାବିରେ ରାଜରାସ୍ତାକୁ ଓହ୍ଲାଇବା ବିଷୟରେ ଜାଣି ନିର୍ଭୟାଙ୍କ ମନରେ ଜୀବନ ଜିଇଁବାର ଆଶା ପୁଣିଥରେ ଜାଗି ଉଠିଥିଲା। ହେଲେ ତାଙ୍କ ଅବସ୍ଥା ଏତେ ଗୁରୁତର ଥିଲା ଯେ ସେ ମୃତ୍ୟୁ ସହ ଆଉ ଲଢ଼ିପାରି ନ ଥିଲେ। ଶେଷରେ ଡିସେମ୍ବର ୨୯ରେ ସେହି ହସ୍ପିଟାଲରେ ଜୀବନ ହାରିଥିଲେ ।

ଏହି ଘଟଣାକୁ ୬ ବର୍ଷ ପୂରିଯାଇଛି ସତ, ହେଲେ ନିର୍ଭୟାଙ୍କ ପାଇଁ ନ୍ୟାୟର ଲଢ଼େଇ ଆଜିବି ଥମିନାହିଁ। ଆଜି ବି ଲୋକଙ୍କ ମନରେ ଜଳୁଥିବା ସେହି ପ୍ରତିବାଦର ନିଆଁ ଲିଭିନାହିଁ। ଯେଉଁ ନ୍ୟାୟ ପାଇଁ ସାରା ଦେଶ ଏକ ହୋଇ ଦୀର୍ଘ ୬ ବର୍ଷ ହେଲା ଦାବି କରୁଛି, ଯେଉଁ ନ୍ୟାୟ ପାଇଁ ସମଗ୍ର ଦେଶବାସୀ ରାଜ ରାସ୍ତାକୁ ଓହ୍ଲାଇଛନ୍ତି, ଅଭିଯୁକ୍ତମାନଙ୍କୁ ଫାଶି ଖୁଣ୍ଟରେ ଝୁଳାଇବାକୁ ଦାବି କରି ଯେଉଁ ନ୍ୟାୟ ପାଇଁ ସମଗ୍ର ଦେଶବାସୀ ପରସ୍ପର ସହ ସ୍ୱର ମିଳାଇଛନ୍ତି, ସେହି ନ୍ୟାୟ କିନ୍ତୁ, ଏବେ ଏକ ପ୍ରଶ୍ନ ମାତ୍ର ହୋଇ ରହିଯାଇଛି।

ଦିଲ୍ଲୀ ପୁଲିସ୍‌ ଏହି ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ରାମ ସିଂହ ନାମକ ଜଣେ ଅଭିଯୁକ୍ତ ଜେଲ୍‌ ମଧ୍ୟରେ ଆତ୍ମହତ୍ୟା କରିଥିଲେ। ସେହିପରି ଘଟଣାର ପ୍ରମୁଖ ଅଭିଯୁକ୍ତ ଜଣେ ନାବାଳକ ୩ ବର୍ଷ ସୁଧାରଗୃହରେ ରହିବା ପରେ ଛାଡ଼ ପାଇଥିଲା। ଅନ୍ୟ ୪ ଜଣ ଯୁବକ ମୁକେଶ, ପୱନ ଗୁପ୍ତା, ଅକ୍ଷୟ କୁମାର ସିଂହ ଏବଂ ବିନୟ ଶର୍ମାଙ୍କୁ ୨୦୧୪ରେ ଫାଶୀ ଦଣ୍ଡ ମିଳିଥିଲା। ଏହାପରେ ଏମାନଙ୍କ ମଧ୍ୟରୁ ୩ ଜଣ ମୁକେଶ, ପୱନ ଏବଂ ବିନୟ ସୁପ୍ରିମକୋର୍ଟରେ ଦଣ୍ଡାଦେଶ ବିରୋଧରେ ରିଭ୍ୟୁ ପିଟିସନ୍‌ ଦାଖଲ କରିଥିଲେ। ହେଲେ ସୁପ୍ରିମକୋର୍ଟ ଏହାକୁ ଚଳିତ ବର୍ଷ ଜୁଲାଇ ମାସରେ ଖାରଜ କରିଦେଇଥିଲେ।

ଚଳିତବର୍ଷ ସେପେଟେମ୍ବର ୧୧ରେ, ଦୁଇମାସ ପରେ ମଧ୍ୟ ଦୋଷୀଙ୍କୁ ଫାସି ଖୁଣ୍ଟରେ କାହିଁକି ଝୁଲାଯାଇ ନାହିଁ ବୋଲି, ଦିଲ୍ଲୀ ମହିଳା ଆୟୋଗ, ଦିଲ୍ଲୀ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରି କୈଫତ୍‌ ମାଗିଥିଲେ। ତେବେ ଜେଲ୍‌ କର୍ତ୍ତୃପକ୍ଷ ଚଳିତ ବର୍ଷ ଡିସେମ୍ବର ୧୫ ତାରିଖ ସୁଦ୍ଧା ଏନେଇ ଜବାବ ରଖିବେ ବୋଲି କହିଥିଲେ।

ଗତ ୧୩ ତାରିଖ ଦିନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା୪ ଯୁବକଙ୍କୁ ତୁରନ୍ତ ଫାଶୀ ଦେବାକୁ ହୋଇଥିବା ଆବେଦନକୁ ସୁପ୍ରିମ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ସୁପ୍ରିମକୋର୍ଟ ଏମାନଙ୍କ ଫାଶୀ ଦଣ୍ଡ କାଏମ ରଖିଥିଲେ ହେଁ ବର୍ତ୍ତମାନ ଏମାନଙ୍କୁ ଖୁଣ୍ଟରେ ଝୁଲାଯିବ ନାହିଁ ବୋଲି କହିଛନ୍ତି।

ଏବେ ଆମର ଗୋଟିଏ ପ୍ରଶ୍ନ, କେବେ ମିଳିବ ନ୍ୟାୟ? କେବେ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ?



from Odisha Reporter https://ift.tt/2PCAjDD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages