
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଆ ଵୀରତ୍ୱର ଗୌରବମୟ ନିଦର୍ଶନ ‘ପାଇକ ବିଦ୍ରୋହ’ର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାର ମଞ୍ଜୁର କରିଥିବା ପାଇକ ସ୍ମୃତି ସ୍ମାରକୀର ନିର୍ମାଣ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ନଦେଉଥିବା କାରଣରୁ ଏହାର ନିର୍ମାଣ କାମ ଆରମ୍ଭ ହୋଇପାରୁନାହିଁ। ଯାହାଫଳରେ କେନ୍ଦ୍ର ସରକାର ମଞ୍ଜୁର କରିଥିବା ପ୍ରକଳ୍ପର କାମ ଆଗେଇ ପାରୁନାହିଁ। ଏଥିପାଇଁ ଆଜି ଜାତୀୟ ସାମରିକ ପରମ୍ପରା ଓ ସଂସ୍କୃତି ପରିଷଦର ଅଧ୍ୟକ୍ଷ ବିଶ୍ୱଭୁଷଣ ହରିଚନ୍ଦନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ତାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ଶ୍ରୀ ହରିଚନ୍ଦନ କହିଛନ୍ତି ପାଇକ ବିଦ୍ରୋହ ହେଉଛି ଆମ ଦେଶକୁ ଶାସନ କରିଥିବା ବ୍ରିଟିଶ ସରକାର ବିରୋଧରେ ପ୍ରଥମ ସଶସ୍ତ୍ର ସଂଗ୍ରାମ। ଏହି ବୀରତ୍ୱପୂର୍ଣ୍ଣ ସଂଗ୍ରାମର ସ୍ମୃତିରେ କେନ୍ଦ୍ର ସରକାର ଏକ ସ୍ମାରକୀ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। ଏହା ନିର୍ମାଣ କରାଗଲେ ଓଡ଼ିଆ ଜାତିର ଵୀରତ୍ୱର ଗାଥା ସାରା ବିଶ୍ୱ ଦେଖିପାରନ୍ତା। କିନ୍ତୁ ରାଜ୍ୟ ସରକାର ଏଥିପାଇଁ ଆବଶ୍ୟକ ହେଉଥିବା ଜମି ଯୋଗାଇ ଦେଉନାହାନ୍ତି। କେନ୍ଦ୍ରୀୟ ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମା ଗତ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ପ୍ରସଙ୍ଗରେ ଚିଠି ମଧ୍ୟ ଲେଖିଥିଲେ। ସେହିପରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀଙ୍କୁ ଜମି ଯୋଗାଇବାପାଇଁ ଅନୁରୋଧ କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ଜମି ଦେଉ ନାହାନ୍ତି।
ଜାତୀୟ ସାମରିକ ପରମ୍ପରା ଓ ସଂସ୍କୃତି ପରିଷଦର ଆବାହକତ୍ୱରେ ଏକ ପାଇକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ବିଷୟରେ ଦାବି ଜଣାଇବା ପାଇଁ ଚାହୁଁଥିଲୋ କିନ୍ତୁ ମୁଖ୍ୟମନ୍ତ୍ରୀ ଏଥିପାଇଁ ସମୟ ଦେଲେ ନାହିଁ। ତେଣୁ ଏହି ପ୍ରସଙ୍ଗରେ ରାଜ୍ୟପାଳ ତୁରନ୍ତ ହସ୍ତକ୍ଷେପ କରିବା ସହ ଜମି ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କୁ ଆଦେଶ ଦେବା ପାଇଁ ଶ୍ରୀ ହରିଚନ୍ଦନ ଅନୁରୋଧ କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ବିଧାୟକ ସୁରେଶ ରାଉତରାୟ, ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଉପାସନା ମହାପାତ୍ର, ମୋହନ ସୁନ୍ଦର ଦଳସିଂହ ରାୟ, ପ୍ରଫୁଲ୍ଲ ବାହୁବଳେନ୍ଦ୍ର, ବଦ୍ରୀ ନାରାୟଣ ପଟ୍ଟନାୟକ ଓ ସୁରଥ ବିଶ୍ୱାଳ ପ୍ରମୁଖ ସାମିଲ ଥିଲେ।
from Odisha Reporter https://ift.tt/2EamLwW
No comments:
Post a Comment