
କଟକ(ଓଡ଼ିଶା ରିପୋର୍ଟର): ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ହାଇକୋର୍ଟ ଯିବ କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ।
ସେ କହିଛନ୍ତି-“ଠିକ ଭାବେ ଘଟଣାର ତଦନ୍ତ କରାଯାଇଥିଲା। ସରକାରୀ ଓକିଲ ମଧ୍ୟ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ। ପୀଡ଼ିତାଙ୍କୁ ହତ୍ୟା କରାଯାଇଥିବା ବିଚାରପତି ଦର୍ଶାଇଛନ୍ତି। ତେବେ ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ସାକ୍ଷ୍ୟପ୍ରମାଣ ନ ଥିବା କହିଛନ୍ତି କୋର୍ଟ। ତଳ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ।”
ଗତ ସୋମବାର ବହୁଚର୍ଚ୍ଚିତ ପିପିଲି ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଭାଇ ପ୍ରଶାନ୍ତ ପ୍ରଧାନ ଓ ସୁକାନ୍ତ ପ୍ରଧାନଙ୍କୁ ଦୋଷମୁକ୍ତ କରିଥିଲେ ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ। କୋର୍ଟଙ୍କ ରାୟ ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ ବିବାଦୀୟ ବୟାନ ଦେଇଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ପୀଡ଼ିତାଙ୍କ ମାଆ କୋର୍ଟଙ୍କ ରାୟକୁ ଗ୍ରହଣ କରିପାରୁ ନାହାନ୍ତି। ଘଟଣାର ସିବିଆଇ ତଦନ୍ତ କରାଯିବାକୁ ସେ ଦାବି କରିଛନ୍ତି।
୨୦୧୧ ନଭେମ୍ବର ୨୯ ତାରିଖରେ ପିପିଲି ଅର୍ଜୁନଗଦା ନିକଟ ବିଲ ଭିତରୁ ପୀଡ଼ିତାକୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ଦୁଷ୍କର୍ମ ସହ ହତ୍ୟା ଲାଗି ଉଦ୍ୟମ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।
୨୦୧୨ ଜୁନ ୨୧ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମାମଲାକୁ ରଫାଦଫା ଲାଗି ତତ୍କାଳୀନ ମନ୍ତ୍ରୀ ପ୍ରଦୀପ ମହାରଥୀ ଚାପ ପକାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ତାଙ୍କୁ ମନ୍ତ୍ରିପଦ ହରାଇବାକୁ ବି ପଡ଼ିଥିଲା।
ସେହିପରି ମାମଲା ରୁଜୁ କରିବାରେ ଅବହେଳା ଦେଖାଇଥିବା ଅଭିଯୋଗରେ ତତ୍କାଳୀନ ପିପିଲି ଥାନା ଆଇଆଇସି ଅମୂଲ୍ୟ ଚମ୍ପତିରାୟଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା। ପରେ ଅବଶ୍ୟ ସେ ଚାକିରିରେ ପୁନଃଅବସ୍ଥାପିତ ହୋଇଥିଲେ। ଏବେ ଉଭୟ ଅଭିଯୁକ୍ତ ଖଲାସ ହେବା ପରେ କ୍ରାଇମବ୍ରାଞ୍ଚର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିଛି।
from Odisha Reporter http://bit.ly/2Sp6hFl
No comments:
Post a Comment