
ଭୁବନେଶ୍ୱର/ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ଆନ୍ଧ୍ର ଇଟାଭାଟିରେ ଓଡ଼ିଆ ଶ୍ରମିକଙ୍କ ଉପରେ ଏସିଡ୍ ଆକ୍ରମଣ ଓ ଆଙ୍ଗୁଠି କାଟି ଦିଆଯିବା ଭଳି ଅଭିଯୋଗ ପରେ ଆଜି ପୁଣି ପଦାକୁ ଆସିଛି ଦାଦନ ନିର୍ଯାତନାର ନୂଆ କାହାଣୀ। କାମ ଆଶାରେ ମୁମ୍ବାଇ ଯାଇଥିବା ଦୁଇ ଓଡ଼ିଆ ଯୁବତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। କୌଶଳକ୍ରମେ ସେମାନେ ଖସି ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ନିଜ ଦୁଃଖ ବଖାଣିଛନ୍ତି।
ମାସକୁ ସାଢେ ୮ହଜାର ଟଙ୍କା ଓ ଦୈନିକ ୮ ଘଣ୍ଟା କାମର ପ୍ରତିଶ୍ରୁତି ଦେଇ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଅଞ୍ଚଳର ଦୁଇ ଯୁବତୀଙ୍କୁ ମୁମ୍ବାଇ ନେଇଯାଇଥିଲେ ଯାଜପୁର ହରିପୁରର ଦଲାଲ ଟିକି ସାହୁ ଓ ଶ୍ରମିକ ଠିକାଦାର ସନ୍ତୋଷ ସାହୁ। ସେଠାରେ ସେମାନଙ୍କୁ ୬ ମାସ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ନିର୍ଯାତନା ଅସହ୍ୟ ହେବାରୁ ସେମାନେ କୌଶଳକ୍ରମେ ଖସି ଆସିବାରେ ସଫଳ ହୋଇଛନ୍ତି। ଭୁବନେଶ୍ୱର ଷ୍ଟେସନରୁ କର୍ମଜୀବୀ ମହିଳା ସଂଘ ସେମାନଙ୍କୁ ଉଦ୍ଧାର କରିଛି। ଏହି ଯୁବତୀମାନଙ୍କ ସହ ଯାଇଥିବା ୩୦ରୁ ଅଧିକ ଅନ୍ୟ ଯୁବତୀ ମୁମ୍ବାଇରେ ଫସି ରହିଛନ୍ତି।
ସେପଟେ ଆନ୍ଧ୍ର ଇଟାଭାଟି ମାଲିକଙ୍କ ଏସିଡ୍ ଆକ୍ରମଣରେ ଗୁରୁତର ସୁନ୍ଦରଗଡ଼ ହେମଗିରି ଗାଁର ଶ୍ରମିକ ଜୟଦେବ ଚନ୍ଦନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଜୟଦେବଙ୍କ ଉପରକୁ ଇଟାଭାଟି ମାଲିକ ଏସିଡ଼୍ ଫିଙ୍ଗିଦେବା ସହ ଅନ୍ୟ ଜଣେ ଶ୍ରମିକଙ୍କ ଆଙ୍ଗୁଳି କାଟି ଦେଇଥିବା ଅଭିଯୋଗ ହୋଇଥିଲା। ଆନ୍ଧ୍ରରେ ଫସି ରହିଥିବା ଅନ୍ୟ ୭ ଶ୍ରମିକକଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ କରାଯାଉଥିବା ଜିଲ୍ଲା ଶ୍ରମ ବିଭାଗ କହିଛି।
ଏବେ ରାଜ୍ୟରେ ଏମିତି ରହିଛି ଦାଦନ ଦୁଃଖ
ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ା ସମେତ ୧୧ଟି ଜିଲ୍ଲାକୁ ଦାଦନ ପ୍ରବଣ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି। କାମ ଧନ୍ଦା ଅଭାବରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବା ଲାଗି ଅନ୍ୟ ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। ତେବେ ଅନେକ ସମୟରେ ଶ୍ରମିକମାନେ ନିର୍ଯାତନାର ଶିକାର ହେଉଥିବା ନଜରକୁ ଆସୁଛି।
ଶ୍ରମ ବିଭାଗ ତଥ୍ୟ ଅନୁଯାୟୀ, ଗତବର୍ଷ ବିଭିନ୍ନ ରାଜ୍ୟରେ ନିର୍ଯାତନାର ଶିକାର ୧୨୩୫ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବର୍ଷ ଏଯାଏଁ ୩୦୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଦାଦନଙ୍କୁ ସହାୟତା ଦେବା ଲାଗି ପାଞ୍ଚଟି ରାଜ୍ୟରେ ହେଲ୍ପ ଡେସ୍କ ରହିଛି। କେବଳ ଲାଇସେନ୍ସ ପାଇଥିବା ସଂସ୍ଥାଙ୍କ ସହାୟତାରେ କାମ କରିବା ଲାଗି ଯିବାକୁ ପରାମର୍ଶ ମଧ୍ୟ ଦିଆଯାଉଛି।
ପ୍ରଶ୍ନ ଉଠୁଛି, ଏସବୁକୁ ଯଦି ସଠିକ୍ ଭାବେ କାର୍ଯ୍ୟକାରୀ ହେଉଛି, ତାହାହେଲେ ଦାଦନ ସମସ୍ୟା କମିବା ବଦଳରେ ବଢୁଛି କାହିଁକି?
from Odisha Reporter https://ift.tt/2R2WveV
No comments:
Post a Comment