
ନୂଆଦିଲ୍ଲୀ: ପାକିସ୍ତାନ ହାଇକମିଶନ୍ ହଜାଇ ଦେଇଛନ୍ତି ୨୩ ଭାରତୀୟଙ୍କ ପାସପୋର୍ଟ। ଏଭଳି ଅଭିଯୋଗ ଆସିବାପରେ ସେହି ପାସପୋର୍ଟଗୁଡ଼ିକର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପାସପୋର୍ଟ ଥିଲା ସେହି ଶିଖ୍ ଶ୍ରଦ୍ଧାଳୁମାନଙ୍କର ଯେଉଁମାନେ ସଦ୍ୟ ଚର୍ଚ୍ଚାରେ ଥିବା କର୍ତ୍ତାରପୁର ଗୁରୁଦ୍ୱାର ସମେତ ପାକିସ୍ତାନରେ ଥିବା ଅନ୍ୟ କିଛି ଗୁରୁଦ୍ୱାର ଯିବାର ଥିଲା।
ପାସପୋର୍ଟ ଫେରିପାଇନଥିବା କିଛି ଲୋକ ଥାନାରେ ଅଭିଯୋଗ କରିବାପରେ ଏହି ଘଟଣା ବୈଦେଶିକ ମନ୍ତ୍ରଣାଳୟର ନଜରକୁ ଆସିଛି। ମନ୍ତ୍ରଣାଳୟ ପକ୍ଷରୁ ବର୍ତ୍ତମାନ ହଜିଯାଇଥିବା ସମସ୍ତ ପାସପୋର୍ଟକୁ ରଦ୍ଦ କରିବାର ପ୍ରୟାସ ଜାରି ରହିଥିବାବେଳେ ଏନେଇ ପାକିସ୍ତାନ ହାଇକମିଶନ୍ର ଦୃଷ୍ଟି ଆକର୍ଷଣ କରାଯାଇଛି।
ସୂଚନାଯୋଗ୍ୟ ଯେ, ପାକିସ୍ତାନ ୩୮୦୦ ଭାରତୀୟଙ୍କୁ ଭିସା ପ୍ରଦାନ କରିଥିଲା। ସେମାନେ ସମସ୍ତେ ନଭେମ୍ବର ୨୧ରୁ ୩୦ଯାଏ ପାଳନ କରାଯାଉଥିବା ଗୁରୁ ନାନକଙ୍କ ୫୪୯ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଏହି ତୀର୍ଥଯାତ୍ରାରେ ଯାଇଥିଲେ। ଏହି ୨୩ ଜଣ ଭିସା ପାଇବାପାଇଁ ପାସପୋର୍ଟ ଜମା କରିଥିଲେ ଏବଂ ଏକ ବଡ଼ ଗ୍ରୁପ୍ ସହିତ ସେମାନେ ତୀର୍ଥରେ ଯିବାର ଥିଲା। କିନ୍ତୁ ସେଠାରୁ ପାସପୋର୍ଟ ହଜିଯିବାପରେ ସେମାନେ ଯାଇପାରିନଥିଲେ। ତେବେ ଏଥିରେ ପାକିସ୍ତାନୀ ଅଧିକାରୀଙ୍କର ହାତ ନଥିବା ପାକିସ୍ତାନ ପକ୍ଷରୁ କୁହାଯାଇଛି।
ଦିଲ୍ଲୀର ଜଣେ ଏଜେଣ୍ଟ ଏହି ୨୩ ଜଣ ଭାରତୀୟଙ୍କ ପାସପୋର୍ଟ ସଂଗ୍ରହ କରି ପାକିସ୍ତାନ ହାଇ କମିଶନ୍ଙ୍କ ନିକଟରେ ଜମା କରିଥିଲେ। ପରେ ସେ ଭାରତୀୟ କର୍ତ୍ତୃପକ୍ଷଙ୍କୁ କହିଥିଲେ ସେ ଯେତେବେଳେ ପାସପୋର୍ଟ ସଂଗ୍ରହ କରିବାକୁ ପାକିସ୍ତାନ ହାଇକମିଶନ୍ଙ୍କ ନିକଟରେ ପହଞ୍ଚିଲେ ତାଙ୍କୁ ପାକ୍ ଅଧିକାରୀମାନେ କହିଥିଲେ, ସେମାନଙ୍କ ପାଖରେ ପାସପୋର୍ଟ କାଗଜପତ୍ର ନାହିଁ।
ଜଣେ ଅଧିକାରୀ ଏହି ବିଷୟରେ କହିଛନ୍ତି, “ଏହା ଏକ ସଙ୍ଗିନ୍ ମାମଲା ଏବଂ ଏହି ପାସପୋର୍ଟର ଯେପରି ଦୁରୁପଯୋଗ ନହେବ, ସେଥିପାଇଁ ପଦକ୍ଷେପ ଗ୍ରହଣ କରୁଛୁ।”
from Odisha Reporter https://ift.tt/2rC2HvN
No comments:
Post a Comment