
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ଅଫିସରଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଶାସନିକ ଆଚାର ସଂହିତାର ଉଲ୍ଲଘଂନ କରି ଏକ ନିର୍ଦ୍ଦିଷ୍ଟ ଦଳ ପ୍ରତି ପକ୍ଷପାତିତା ଓ ଅନୁଗ୍ରହ ପ୍ରଦର୍ଶନ କରିଥିବା ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ସରକାରୀ ଚାକିରିରୁ ନିଲମ୍ବନ ପାଇଁ କଂଗ୍ରେସ ଦାବି କରିଛି। ସରକାରୀ କାର୍ଯ୍ୟକ୍ରମ ଆଳରେ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବିଜେଡିର ସଂଗଠନ ପାଇଁ କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସରକାରୀ କଳ ଓ ବଳକୁ ଦଳୀୟ ରାଜନୀତି କାର୍ଯ୍ୟରେ ବ୍ୟବହାର କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ତେଣୁ ମୁୁଖ୍ୟମନ୍ତ୍ରୀ ଓ ତାଙ୍କର ଅତିରିକ୍ତ ସଚିବଙ୍କ ବିରୋଧରେ କଂଗ୍ରେସ ଯଥାକ୍ରମେ ନିର୍ବାଚନ ଆୟୋଗ ଏବଂ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ନିକଟରେ ଫେରାଦ ହେବ ବୋଲି ସୂଚନା ଦେଇଛି।
ପିସିସି ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଡିସେମ୍ବର ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ନଂ ୩୪୩୪/ସିଏମ୍ ଜରିଆରେ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏ ଚିଠିର ନକଲ କେନ୍ଦ୍ରାପଡ଼ା ଜିଲ୍ଲାର ଏସପିଙ୍କୁ ମଧ୍ୟ ଦିଆଯାଇଛି।ଏହି ଚିଠିରେ ସେ ୮ତାରିଖରେ କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ସରୁମୋହିଠାରେ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କର ଯୋଗଦାନ ଓ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ଏହି ଚିଠିରେ ଶ୍ରୀ ମହାପାତ୍ର ବିଜେଡି ମୁଖିଆଙ୍କୁ ଖୁସି କରିବା ପାଇଁ ଏଭଳି କିଛି ଲେଖିଛନ୍ତି ଯାହା ତାଙ୍କର ଅଲଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲ-୧୯୬୮କୁ ଖୋଲା ଉଲ୍ଲଘଂନ କରୁଛି।
ଶ୍ରୀ ମହାପାତ୍ର କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ଚିଠି ଲେଖି ଜିଲ୍ଲାରେ ବିଜେଡିର ସମସ୍ତ ପଦାଧିକାରୀଙ୍କୁ ଏହି ସରକାରୀ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ସରକାରୀ କାର୍ଯ୍ୟକ୍ରମକୁ ବିଜେଡି ନେତାମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ଜଣେ ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀ ନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଦେଶ ଦେବା ଉପରେ କଂଗ୍ରେସ ଆପତ୍ତି ଉଠାଇଛି। ଶ୍ରୀ ନାୟକ କହିଛନ୍ତି ଯେ ଏହି ଚିଠିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦପ୍ତରର ଅଧିକାରୀମାନେ ଶାସନ କଳକୁ ବିଜେଡିରର ଫାଇଦା ପାଇଁ ବ୍ୟବହାର କରୁଛନ୍ତି। ଅଲଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲ ୧୯୬୮ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ, ପ୍ରତ୍ୟେକ ଅଧିକାରୀ କାର୍ଯ୍ୟ ନିର୍ବାହ କରିବାବେଳେ ରାଜନୈତିକ ନିରପେକ୍ଷତା ଅବଲମ୍ବନ କରିବେ।
କିନ୍ତୁ ୭ତାରିଖର ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଏହି ଚିଠି ସ୍ପଷ୍ଟ ପ୍ରମାଣିତ କରୁଛି ଯେ ପ୍ରଦୀପ୍ତ ମହାପାତ୍ର କାର୍ଯ୍ୟରେ ଅବହେଳା କରିବା ସହ ସର୍ଭିର୍ସ କଣ୍ଡକ୍ଟ ରୁଲର ଘୋର ଅବମାନନା କରିଛନ୍ତି।ତେଣୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ କଂଗ୍ରେସ ଖୁବଶୀଘ୍ର କେନ୍ଦ୍ର କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ନିକଟରେ ଅଭିଯୋଗ କରିବ। ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ବିଜେଡି ପାଇଁ କାର୍ଯ୍ୟ କରୁଥିବାରୁ ନିର୍ବାଚନ ଆୟୋଗଙ୍କ ପାଖରେ ତାଙ୍କ ବିରୋଧରେ ଦଳ ଫେରାଦ ହେବ। ସରକାରୀ କଳର ଏଭଳି ଦୁରୁପଯୋଗ କରିଥିବା ଯୋଗୁ ମୁଖ୍ୟମନ୍ତ୍ରୀ ତୁରନ୍ତ ରାଜ୍ୟବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବା ସହ ଅତିରିକ୍ତ ସଚିବ ଶ୍ରୀ ମହାପାତ୍ରଙ୍କୁ ନିଲମ୍ବନ କରିବା ନିମନ୍ତେ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।
from Odisha Reporter https://ift.tt/2Gk5QuL
No comments:
Post a Comment