
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଓଡ଼ିଶା ଗସ୍ତରେ ଆସିଛନ୍ତି। ଅପରାହ୍ଣ ପ୍ରାୟ ୪ଟାରେ ସେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରେ ପହଞ୍ଚିଛନ୍ତି। କେସିଆରଙ୍କ ଏହି ଗସ୍ତ ତୃତୀୟ ସାମ୍ମୁଖ୍ୟ ଗଠନ ପ୍ରକ୍ରିୟା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଥିବା ବେଳେ କଂଗ୍ରେସ୍ ତାଙ୍କୁ ଏନ୍ଡିଏ ଓ ବିଜେପିର ‘ବି’ ଟିମ୍ କହି ଟାର୍ଗେଟ୍ କରିଛି।
ତେଲଙ୍ଗାନା ଏଆଇସିସି ଇନ୍ଚାର୍ଜ ତଥା ବରିଷ୍ଠ କଂଗ୍ରେସ୍ ନେତା ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, “କେସିଆର ହେଉଛନ୍ତି ଏନ୍ଡିଏ ଏବଂ ବିଜେପିର ‘ବି’ ଟିମ୍। ଭାରତ ବର୍ଷରେ ଯେଉଁ ମହାଗଠବନ୍ଧନ ହେଉଛି, ତାକୁ ଦୁର୍ବଳ କରିବା ପାଇଁ କେସିଆର ଟେଣ୍ଡର ନେଇଛନ୍ତି।” କେସିଆରଙ୍କ ଓଡିଶା ଗସ୍ତ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ସାକ୍ଷାତ ନେଇ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ଶ୍ରୀ ଖୁଣ୍ଟିଆ।
ସେ ଆହୁରି କହିଛନ୍ତି, “କେସିଆର ପୂର୍ବରୁ ବିଜେପି ସହିତ ଥିଲେ। ଉଭୟ କେସିଆର ଏବଂ ନବୀନଙ୍କ ମୁଣ୍ଡ ଉପରେ ଚିଟ୍ଫଣ୍ଡ ଓ ସିବିଆଇ ଖଣ୍ଡା ଝୁଲୁଛି। ସେଥିରୁ ବର୍ତ୍ତିବା ପାଇଁ ଉଭୟେ ବିଜେପିର ‘ବି’ ଟିମ୍ ଭାବେ କାମ କରୁଛନ୍ତି।”
ଖୁଣ୍ଟିଆଙ୍କ ମନ୍ତବ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଂଗ୍ରେସ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, “କିଏ ଖଣି ଲୁଟିଛି ଓ ରାଜ୍ୟର ସ୍ୱାଭିମାନକୁ ଭୂଲୁଣ୍ଠିତ କରିଛି, ସମସ୍ତଙ୍କୁ ଜଣା। କିଏ କାହାର ଆଶାବାଡ଼ି ତାହା ମଧ୍ୟ ସମସ୍ତେ ଜାଣନ୍ତି। କିଏ ବ୍ୟାବସାୟିକ ହିତ ପାଇଁ ହାତ ମିଳାଇଛି, ତାହା ମଧ୍ୟ ସଭିଙ୍କୁ ଜଣା। ଏ ନୀଳବର୍ଣ୍ଣ ଶୃଗାଳମାନେ ମୋଟେ ସଫଳ ହେବେନି।”
ଶ୍ରୀ ଖୁଣ୍ଟିଆଙ୍କ ମନ୍ତବ୍ୟ ଉପରେ ବିଜେଡି ପ୍ରତିକ୍ରିୟା ରଖିଛି। ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି, “ବିଜେଡି ଅଣ ବିଜେପି ଓ ଅଣ କଂଗ୍ରେସ ରାଜନୀତିକୁ ଆଧାର କରି କାର୍ଯ୍ୟ କରୁଛି। କେସିଆରଙ୍କ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ।”
from Odisha Reporter http://bit.ly/2AbO4Ee
No comments:
Post a Comment