
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଏକ ‘ଅପର୍ ଏୟାର୍ ୱେଷ୍ଟର୍ଲି ଟ୍ରଫ’ ଗତି କରୁଛି। ଏହାର ପ୍ରଭାବରେ ସୋମବାର ରାତିରୁ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ ଆଜିଠାରୁ କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ବୌଦ୍ଧ ଏବଂ ସୋନପୁରରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଘନୀଭୂତ ହେବ ଏବଂ ଏହା ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବ। ଏହି ଘନୀଭୂତ ଲଘୁଚାପ ଉପକୂଳ ଅତିକ୍ରମ କରିବା ପରେ ଓଡ଼ିଶାକୁ ଆସିପାରେ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ଉପକୂଳ ଜିଲ୍ଲା ଖୋର୍ଦ୍ଧା, ପୁରୀ, ନୟାଗଡ଼ ଏବଂ ଗଞ୍ଜାମରେ ଆସନ୍ତା ୧୫ ଓ ୧୬ ତାରିଖରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଡିସେମ୍ବର ୧୫ରୁ ୧୭ ତାରିଖ ମଧ୍ୟରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବୁଲେଟିନ୍ରେ କୁହାଯାଇଛି।
ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍ରେ କୁହାଯାଇଛି ଯେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେବ। ସେହିପରି ଏହାର ପରବର୍ତ୍ତୀ ୨୪ ଘଣ୍ଟାରେ ଲଘୁଚାପ ଅବପାତ ରୂପ ନେଇ ତାମିଲନାଡ଼ୁ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଆଡ଼କୁ ଗତି କରିବ।
from Odisha Reporter https://ift.tt/2Ecpd5Z
No comments:
Post a Comment