
ପର୍ଥ: ଆଜିଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଛି। ପେସ୍ ବୋଲରଙ୍କୁ ସୁହାଉଥିବା ପର୍ଥ ପଡ଼ିଆରେ ଟସ୍ ଜିତି ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପାଇନ୍ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି।
ପ୍ରଥମ ଟେଷ୍ଟ୍ରେ ୩୧ ରନ୍ରେ ଭାରତ ଠାରୁ ମ୍ୟାଚ୍ ହାରି ସିରିଜ୍ରେ ୧-୦ରେ ପଛରେ ଥିବା କଙ୍ଗାରୁ ଟିମ୍ କମ୍ବ୍ୟାକ୍ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଛି। ଶେଷ ଖବର ସୁଦ୍ଧା ଅଷ୍ଟ୍ରେଲିଆ ୫ ଓଭରରେ ୯ ରନ୍ କରିଛି। ଓପନର ମାର୍କସ ହ୍ୟାରିସ ୧୨ଟି ବଲ୍ ଖେଳି ଏଯାଏ ଖାତା ଖୋଲି ପାରି ନଥିବା ବେଳେ ଅନ୍ୟତମ ଓପନର ଆରୋନ ଫିଞ୍ଚ ୯ ରନ୍ କରି ଅପରାଜିତ ରହିଛନ୍ତି।
ଅନ୍ୟପକ୍ଷରେ ଟସ୍ ହାରିଥିବା ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ମ୍ୟାଚ୍ ଜିତିବାକୁ ଦଳ ପୂରା ଦମ ଲଗାଇବ ବୋଲି କହିଛନ୍ତି। ଏଥିସହ ଦଳ ଆଜି ଦୁଇଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଛି। ଆହତ ଯୋଗୁ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଥିବା ରୋହିତ ଶର୍ମା ଏବଂ ରବିଚନ୍ଦ୍ରନ ଅଶ୍ୱିନ୍ଙ୍କ ବଦଳରେ ଅଲରାଉଣ୍ଡର ହନୁମା ବିହାରୀ ଓ ଉମେଶ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।
ଟିମ୍ରେ ଏଥର କୌଣସି ପ୍ରଫେସନାଲ ସ୍ପିନର ନାହାନ୍ତି। ସ୍ପିନ୍ ଦାୟିତ୍ୱ ହନୁମା ବିହାରୀଙ୍କ ଉପରେ ନ୍ୟସ୍ତ କରାଯାଇଛି। ପର୍ଥର ଘାସୁଆ ପିଚ୍ ଦ୍ରୁତ ବୋଲରଙ୍କୁ ସୁହାଉଥିବାରୁ ଦଳ ୪ ଜଣ ପେସ୍ ବୋଲରଙ୍କୁ ୧୧ ଜଣିଆ ସ୍କ୍ୱାଡ୍ରେ ସାମିଲ କରିଛି।
ତେବେ ଅଷ୍ଟ୍ରେଲିଆ ଟିମ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ।
from Odisha Reporter https://ift.tt/2zVC6yE
No comments:
Post a Comment