
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ତାରକା ଅମିତ ରୋହିଦାସଙ୍କ ଚମତ୍କାର ଗୋଲ ବଳରେ ଟିମ୍ ଇଣ୍ଡିଆ ସିଧାସଳଖ ହକି ବିଶ୍ୱକପ୍ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛି। ଆଜି ଗ୍ରୁପ୍ ସି’ର ଶେଷ ଲିଗ୍ ମ୍ୟାଚ୍ରେ ଟିମ୍ ଇଣ୍ତିଆ ପ୍ରତିପକ୍ଷ କ୍ୟାନାଡାକୁ ୫-୧ ଗୋଲରେ ପରାସ୍ତ କରି ଏଭଳି ଯୋଗ୍ୟତା ଅର୍ଜନ କରିଛି।
ଦଳ ପକ୍ଷରୁ ହରମନପ୍ରୀତ ସିଂହ, ଚିଙ୍ଗଲାନସାନା, ଅମିତ ରୋହିଦାସ ଗୋଟିଏ ଲେଖାଏ ଗୋଲ ଦେଇଥିବା ବେଳେ ଲଳିତ ଉପାଧ୍ୟାୟ ୨ଟି ଫିଲ୍ଡ ଗୋଲ କରିଛନ୍ତି।

ହକି ବିଶ୍ୱକପ୍ରେ ଅପରାଜେୟ ଥିବା ଟିମ୍ ଇଣ୍ଡିଆ ପାଇଁ ଆଜିର ମ୍ୟାଚ୍ ଜିତିବା ଜରୁରୀ ଥିଲା। ଠିକଣା ସମୟରେ ଟିମ୍ ଇଣ୍ଡିଆର ଖେଳାଳିମାନେ କଳିଙ୍ଗରେ ନିଜର ଅସଲ ପରିଚୟ ଦେଇଥିଲେ। ମ୍ୟାଚ୍ ଆରମ୍ଭରୁ ମନପ୍ରୀତ ସିଂହଙ୍କ ଦଳ ସାମାନ୍ୟ ବ୍ୟାକ୍ଫୁଟ୍ରେ ରହିଥିଲା। କିନ୍ତୁ ମ୍ୟାଚ୍ର ୫ମ ମିନିଟ୍ ପରେ ନିଜର ଜଲୱା ଦେଖାଇ ଘନଘନ ଆକ୍ରମଣ କରିଥିଲା। ମ୍ୟାଚ୍ର ୧୨ତମ ମିନିଟ୍ରେ ଡ୍ରାଗଫ୍ଲିକ୍ର ହରମନପ୍ରୀତ ସିଂହ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଦେଇଥିଲା।
ତେବେ କ୍ୟାନାଡା ଗୋଲ ପରିଶୋଧ କରିବାକୁ ବାରମ୍ବାର ଉଦ୍ୟମ କରିଥିଲେ ହେଁ ଟିମ୍ ଇଣ୍ଡିଆ ଏହାକୁ ଅଟକାଇ ଦେଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ଭାରତ ପାଇଁ ଗୋଲ କରିବାର ସୁଯୋଗ ସୃଷ୍ଟି ହୋଇଥିଲେ ହେଁ ଦଳ ଏଥିରେ ସଫଳ ହୋଇ ନଥିଲା।

ହାଫଟାଇମ୍ ପର୍ଯ୍ୟନ୍ତ ଭାରତ ୧-୦ରେ ଆଗରେ ରହିଥିଲା। ତୃତୀୟ କ୍ୱାର୍ଟର ଆରମ୍ଭରୁ ଟିମ୍ ଇଣ୍ଡିଆ ମ୍ୟାଚ୍ର ଗତିକୁ ଧିମା କରିବାକୁ ଚେଷ୍ଟା କରିଥିଲା। ଏହାର ଫାଇଦା ନେଇ ମ୍ୟାଚ୍ର ୩୯ତମ ମିନିଟ୍ରେ କ୍ୟାନାଡା ପକ୍ଷରୁ ଫ୍ଲୋରିସ୍ ଭାନ୍ ସନ୍ ଗୋଲ ଦେଇ ସ୍ଥିତି ୧-୧ରେ ବରାବର କରିଦେଇଥିଲେ। ଏହି ଗୋଲ ପରେ ପୂରା ଷ୍ଟାଡିୟମ୍ ଚୁପ୍ ହୋଇଯାଇଥିଲା। ଏହି କ୍ୱାର୍ଟରରେ ଭାରତ କିମ୍ବା କ୍ୟାନାଡା କେହି କାହାରିକୁ ଗୋଲ ଦେଇ ପାରି ନଥିଲେ।
୪ର୍ଥ କ୍ୱାର୍ଟର ଆରମ୍ଭରୁ ଭାରତ ପୂରା ରଣନୀତି ବଦଳାଇ ବାମ ପଟୁ ଆକ୍ରମଣ କରିଥିଲା। ଏହାର ଫାଇଦା ମଧ୍ୟ ଦଳକୁ ମିଳିଥିଲା। ମ୍ୟାଚ୍ର ୪୬ତମ ମିନିଟ୍ରେ ଚିଙ୍ଗଲାନସାନା ସିଂହ ଏକ ଚମତ୍କାର ଗୋଲ ଦେଇ ପୁଣି ଟିମ୍ ଇଣ୍ଡିଆକୁ ଆଗୁଆ କରିଦେଇଥିଲେ। ଏହାର ଗୋଟିଏ ମିନିଟ୍ ପରେ ଲଳିତ ଉପାଧ୍ୟାୟ ପୁଣି ଏକ ଫିଲ୍ଡ ଗୋଲ ସ୍କୋର କରି ଗୋଲ ବ୍ୟବଧାନକୁ ୩-୧ କରିଦେଇଥିଲେ। ଏଠାରୁ ଆରମ୍ଭ ହୋଇଥିଲା ଓଡ଼ିଆ ତାରକା ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ଜଲୱା। ଉଭୟ ଚମତ୍କାର ଖେଳ ପ୍ରଦର୍ଶନ କରି ଦଶର୍କଙ୍କ ମନରେ ଉତ୍କଣ୍ଠା ବଢ଼ାଇ ଦେଇଥିଲେ।
ତେବେ ସବୁଠାରୁ ବଡ଼ ଘଟଣା ଘଟିଥିଲା ମ୍ୟାଚ୍ର ୫୧ତମ ମିନିଟ୍ରେ। ଦଳକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ମାରିବା ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ମନପ୍ରୀତ ସିଂହ ଓଡ଼ିଆ ତାରକା ଅମିତ ରୋହିଦାସଙ୍କୁ ଅନୁମତି ଦେଇଥିଲେ। ସେ ମଧ୍ୟ କ୍ୟାପ୍ଟେନ୍ ଓ ଦେଶକୁ ନିରାଶ କରି ନଥିଲେ। ବେଶ ଆକର୍ଷଣୀୟ ଢଙ୍ଗରେ ସେ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବା କ୍ଷଣି ସାରା ଷ୍ଟାଡିୟମ୍ ଆନନ୍ଦରେ ଉଛୁଳି ଉଠିଥିଲା।

ଏହି ଗୋଲ ସହ ଭାରତର କ୍ଵାର୍ଟର ଫାଇନାଲ ଯିବା ଏକ ପ୍ରକାରର ନିଶ୍ଚିତ ହୋଇ ସାରିଥିଲା। କିନ୍ତୁ ଭାରତର ଗୋଲ କରିବାର ଭୋକ ମେଣ୍ଟି ନଥିଲା। ଲଲିତ ଉପାଧ୍ୟାୟ ୫୭ତମ ମିନିଟ୍ରେ ପାଇଥିବା ଏକ ଚମତ୍କାର ପାସ୍କୁ ଗୋଲରେ ପରିଣତ କରି ସ୍କୋର ବ୍ୟବଧାନକୁ ୫-୧ କରିଦେଇଥିଲେ। ଶେଷ ବେଳକୁ ଭାରତ ଗୋଲ କିପର୍ ପିଆର୍ ଶ୍ରୀଜେଶଙ୍କ ବଦଳରେ ଜଣେ ଅତରିକ୍ତ ଖେଳାଳିଙ୍କୁ ଆକ୍ରମଣ ପାଇଁ ପଠାଇଥିଲା। ଏହାର ଫାଇଦା ଦଳକୁ ପେନାଲ୍ଟି କର୍ଣ୍ଣର ଭାବେ ମିଳିଥିଲେ ହେଁ ଏହା ଗୋଲରେ ପରିଣତ ହୋଇପାରି ନଥିଲା। ଶେଷରେ ଟିମ୍ ଇଣ୍ଡିଆ ୫-୧ରେ ହିଁ ମ୍ୟାଚ୍ ଜିତି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଥିଲା।
ଟିମ୍ ଇଣ୍ଡିଆ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଥିବାରୁ ଗ୍ରୁପ୍ ସି’ରେ ଥିବା ବେଲଜିୟମ ଏବେ କ୍ରସ ଓଭର୍ ମ୍ୟାଚ୍ ଖେଳିବ। ସେହିପରି କ୍ୟାନାଡା ପରାସ୍ତ ହୋଇଥିଲେ ହେଁ ଗ୍ରୁପ୍ରେ ୩ୟ ସ୍ଥାନରେ ଥିବାରୁ ସେ ମଧ୍ୟ କ୍ରସ୍ ଓଭର ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଛି। କିନ୍ତୁ ଦକ୍ଷିଣ ଆଫ୍ରିକାର ହକି ବିଶ୍ୱକପ୍ ଅଭିଯାନ ଶେଷ ହୋଇଛି।
from Odisha Reporter https://ift.tt/2PozfCZ
No comments:
Post a Comment