
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣଙ୍କ ପିଲା ଇଂଲିଶ ମିଡିୟମ ସ୍କୁଲରେ ପଢ଼ୁଛନ୍ତି କି ? ଯଦି ପଢ଼ୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ସାମାନ୍ୟ ଅବହେଳା ଆପଣଙ୍କ ପିଲାର ଭବିଷ୍ୟତ ଅନ୍ଧାର କରିଦେଇ ପାରେ। କାରଣ ରାଜ୍ୟରେ ବହୁତ ଗୁଡିଏ ଇଂଲିଶ ମିଡିୟମ ସ୍କୁଲ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ବିନା ଏନ୍ଓସିରେ ଚାଲିଛି। ତେଣୁ ଆପଣଙ୍କ ପିଲା ପଢୁଥିବା ସ୍କୁଲ ଏନ୍ଓସି ପାଇଛି ନାହିଁ ତୁରନ୍ତ ଯାଞ୍ଚ କରିନିଅନ୍ତୁ।
ସରକାରଙ୍କଠୁ ଏନ୍ଓସି ପାଇନଥିବା ସ୍କୁଲରେ ପିଲାଙ୍କୁ ନପଢ଼ାଇବା ଲାଗି ଅଭିଭାବକଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ପରାମର୍ଶ ଦିଆଯାଇଛି।
ରାଜ୍ୟର ଅନେକ ପବ୍ଲିକ ସ୍କୁଲ ବିନା ଅନୁମୋଦନରେ ଚାଲିଥିବା ଅଭିଯୋଗ ଆସିବା ପରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ଏନ୍ଓସି ପାଇଥିବା ସ୍କୁଲଙ୍କ ତାଲିକା ଜାରି କରାଯାଇଛି। ସରକାରଙ୍କ ତାଲିକାରେ ଯଦି ସ୍କୁଲର ନାଁ ନାହିଁ, ତେବେ ସେଠାରେ ପିଲାଙ୍କ ନାମ ନଲେଖାଇବାକୁ ନିର୍ଦ୍ଦେଶାଳୟ ବିଜ୍ଞପ୍ତି ଜାରି କରି ପରାମର୍ଶ ଦେଇଛି। ଏପରି ତାଲିକା ପ୍ରକାଶ ପରେ ବହୁ ଅଭିଭାବକ ଚିନ୍ତିତ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ତେବେ ନିର୍ଦ୍ଦେଶାଳୟର ଏପରି ତାଲିକା ପ୍ରକାଶକୁ ଅଭିଭାବକ ସଂଘ ସ୍ୱାଗତ କରିଛି।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର ଓ ଢେଙ୍କାନାଳ ଜିଲ୍ଲାରେ ମାତ୍ର ଗୋଟିଏ ଲେଖାଏ ପବ୍ଲିକ୍ ସ୍କୁଲ୍କୁ ଏନ୍ଓସି ମିଳିଛି। ହେଲେ ଏସବୁ ଜିଲ୍ଲାରେ ଶତାଧିକ ପବ୍ଲିକ୍ ସ୍କୁଲ୍ ଚାଲିଥିବା ନଜରକୁ ଆସିଛି।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୮ଟି ପବ୍ଲିକ୍ ସ୍କୁଲ୍କୁ ଏନ୍ଓସି ମିଳିଥିବା ବେଳେ ୩୫୦ରୁ ଅଧିକ ପବ୍ଲିକ୍ ସ୍କୁଲ୍ରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏପରି ସ୍ଥିତିରେ ଏନ୍ଓସି ପାଇନଥିବା ସ୍କୁଲ୍ରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଶଙ୍କା ମଧ୍ୟରେ ରହିଛି।
ତେବେ କେବଳ ତାଲିକା ପ୍ରକାଶ କରିଦେଲେ ସମସ୍ୟାର ସମାଧାନ ହୋଇଯିବ ନାହିଁ। କିପରି ଏନ୍ଓସି ପାଇ ନଥିବା ସ୍କୁଲ ଗୁଡ଼ିକ ବନ୍ଦ ହେବ ତା’ର ବ୍ୟବସ୍ଥା କରିବା ସହ ଏପରି ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଭବିଷ୍ୟତରେ ଏପରି ସମସ୍ୟା ଆଉ ଦେଖାଦେବ ନାହିଁ ବୋଲି ଶିକ୍ଷାବିତ୍ମାନେ ମତ ଦେଇଛନ୍ତି।
ଶିକ୍ଷାର ବ୍ୟବସାୟକରଣ ସାଙ୍ଗକୁ ରାଜ୍ୟରେ ଛତୁ ଫୁଟିବା ଭଳି ଇଂଲିଶ ମିଡିୟମ ସ୍କୁଲ ଖୋଲୁଛି। ଏସବୁ ସ୍କୁଲରେ ଭିତ୍ତିଭୂମି ଓ ଶିକ୍ଷାର ଗୁଣବତ୍ତା ପ୍ରତି ଧ୍ୟାନ ଦିଆଯାଉନାହିଁ। ସେ ଦୃଷ୍ଟିରୁ ସରକାରୀ ଅନୁମୋଦନ ପାଇବାରେ ବାଧା ରହିବା ସ୍ୱାଭାବିକ। ତେଣୁ ସ୍କୁଲ ଖୋଲୁଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷ ବିନା ଏନ୍ଓସିରେ ବେଆଇନ ଭାବେ ସ୍କୁଲ ଚଳାଉଛନ୍ତି।
from Odisha Reporter https://ift.tt/2B3ynP9
No comments:
Post a Comment