
ଭୁବନେଶ୍ୱରରେ ହକି ବିଶ୍ୱକପ୍ ଓ ରାଜ୍ୟ ରାଜନୀତିର ହୋ-ହାଲ୍ଲା ଭିତରେ ଓଡ଼ିଆ ସମାଜତତ୍ତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ପ୍ରାଣପିଣ୍ଡ ଭଳି ପ୍ରସଙ୍ଗଟିଏ ଲୁଚି ଯିବାକୁ ବସିଛି। ଓଡ଼ିଆ ଜାତିର ସ୍ପନ୍ଦନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ସଂସ୍କାର ପାଇଁ ବିଭିନ୍ନ ସୁପାରିସ କରିଥିବା ଦେଶର ଖ୍ୟାତିସମ୍ପନ୍ନ ଆଇନଜୀବୀ ତଥା ସର୍ବୋଚ୍ଚ ନ୍ୟାୟାଳୟଙ୍କ ‘କୋର୍ଟ ମିତ୍ର’ ବା ‘ଆମିକସ୍ କ୍ୟୁରୀ’ ଗୋପାଲ୍ ସୁବ୍ରମଣ୍ୟମ୍ ଗତ ସପ୍ତାହରେ ଅଚାନକ ତାଙ୍କ ଦାୟିତ୍ୱରୁ ଇସ୍ତଫା ଦେଇଛନ୍ତି।
ଶ୍ରୀଯୁକ୍ତ ସୁବ୍ରମଣ୍ୟମ୍ଙ୍କ ଇସ୍ତଫା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ‘ଆମିକସ୍ କ୍ୟୁରୀ’ ବା ‘କୋର୍ଟ ମିତ୍ର’ ଦାୟିତ୍ୱରୁ ସେ ଅବ୍ୟାହତି ନେବା ପରେ ଶ୍ରୀମନ୍ଦିରରେ ସଂସ୍କାର ପାଇଁ ତାଙ୍କ ଦ୍ୱାରା ସୁପାରିସ୍ ହେବା ପରେ କାର୍ଯ୍ୟକାରୀ ହୋଇଥିବା କିଛି ବ୍ୟବସ୍ଥା ବନ୍ଦ ହୋଇ ଯାଇପାରେ। କାରଣ ନୂଆ ‘ଆମିକସ୍ କ୍ୟୁରୀ’ ନିଯୁକ୍ତ ହେଲେ, ପୂର୍ବ ‘ଆମିକସ୍ କ୍ୟୁରୀ’ଙ୍କ ସୁପାରିସ ଗୁଡ଼ିକ ଆପଣାଛାଏଁ ମୂଲ୍ୟହୀନ ଓ ଅଦରକାରୀ ହୋଇ ଯାଇଥାଏ। ଆଉ ନବନିଯୁକ୍ତ ‘ଆମିକସ୍ କ୍ୟୁରୀ’ ନିଜ ସୁପାରିସ ପାଇଁ ପୁଣିଥରେ ‘ଶୂନ’ରୁ କାର୍ଯ୍ୟାରମ୍ଭ କରିବେ ଏବମ ସେ, ପୂର୍ବ‘ଆମିକସ୍ କ୍ୟୁରୀ’ଙ୍କ ସୁପାରିଶଗୁଡ଼ିକୁ ଯେ କାଏମ ରଖିବେ, ତା’ର ଗ୍ୟାରେଣ୍ଟି ନାହିଁ।
ତେଣୁ ସ୍ୱାଭାବିକ ଭାବେ ଆଶା କରାଯାଉଛି, ଶ୍ରୀମନ୍ଦିରରେ ‘ଧାଡ଼ି ଦର୍ଶନ’ ଭଳି ନିକଟରେ ଲାଗୁ ହେଉଥିବା କିଛି ସଂସ୍କାରଭିମୁଖୀ ବ୍ୟବସ୍ଥା ଗୋପାଲ୍ ସୁବ୍ରମଣ୍ୟମ୍ଙ୍କ ଇସ୍ତଫା ପରେ ବନ୍ଦ ହୋଇଯିବ।
କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିଜ ସୁପାରିସ୍ ଅନୁସାରେ ଶ୍ରୀମନ୍ଦିରରେ କିଛି ସଂସ୍କାରମୂଳକ ବ୍ୟବସ୍ଥା ଲାଗୁ ହୋଇଥିଲେ ହେଁ ଅଚାନକ ସୁବ୍ରମଣ୍ୟମ୍ ଏହି ପଦରୁ ଇସ୍ତଫା ଦେଲେ, କାହିଁକି ?
ଗୋପାଲ୍ ସୁବ୍ରମଣ୍ୟମ୍ ସମକାଳୀନ ଜାତୀୟ ନ୍ୟାୟିକ ଦୃଶ୍ୟପଟ୍ଟରେ ଏକ ସମ୍ମାନସ୍ପଦ ନାଁ। ବିଦେଶରେ ସୁନାମ ଅର୍ଜିଥିବା କ୍ୱଚିତ୍ ଭାରତୀୟ ଆଇନ ବିଶାରଦଙ୍କ ମଧ୍ୟରେ ସେ ଅନ୍ୟତମ। ଦିଲ୍ଲୀର ଆଭିଜାତ୍ୟପୂର୍ଣ୍ଣ ସଂସ୍କୃତିରେ ବଢ଼ିଥିବା ଏହି ସମର୍ଥ ବ୍ୟକ୍ତିତ୍ୱ ହୁଏତ‘ଆଞ୍ଚଳିକତାର ସଂକୀର୍ଣ୍ଣତାରୁ ଜନ୍ମ ନେଇଥିବା ଏକ ବିଶ୍ୱାସ(!)’ର ବୁଢିଆଣୀ ଜାଲରେ ଛନ୍ଦି ହୋଇ ଯାଇ ଅଣନିଃଶ୍ୱାସୀ ହେବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇ ଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଆଉ କେତେକ କହୁଛନ୍ତି ଯେ ନିଜ ସୁପାରିସ ପରବର୍ତ୍ତୀ ଅବସ୍ଥାରେ ବିବାଦୀୟ ହୋଇ ପଡ଼ୁଥିବା ଦେଖି ସୁବ୍ରମଣ୍ୟମ୍ଙ୍କ ଭଳି ଜଣେ ନିଷ୍ଠାବାନ୍ ବ୍ୟକ୍ତିଙ୍କ ବିବେକ ତାଙ୍କୁ ଧାର୍ମିକ ଆବେଗ ସହ ଜଡ଼ିତ ଏପରି ଏକ ଦାୟିତ୍ୱରୁ ଅବ୍ୟାହତି ନେବାକୁ କହି ଥାଇପାରେ।
ତେବେ ଏକ ତୃତୀୟ ଗୋଷ୍ଠୀର କହିବା କଥା, ଗୋପାଲ୍ ସୁବ୍ରମଣ୍ୟମ୍ଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ଏକପ୍ରକାର ଚାପ ପ୍ରୟୋଗ କରି ଶାସନ କଳ ନିୟନ୍ତ୍ରଣ କରୁଥିବା ପ୍ରଭାବଶାଳୀମାନେ ‘ଡ୍ୟାମେଜ୍ କଣ୍ଟ୍ରୋଲ୍’ର ନିଆରା ଫର୍ମୁଲା ବାଛି ଥାଇପାରନ୍ତି। ନଚେତ୍ ଏହି ଶାସନ କଳର ‘ଭାଗ୍ୟ ନିୟନ୍ତା’ମାନଙ୍କ କ୍ରୀଡ଼ନକ ସାଜିବାରେ କୁଣ୍ଡାବୋଧ କରି ଶେଷରେ ସୁବ୍ରମଣ୍ୟମ୍ ତାଙ୍କ ପଦରୁ ଅବ୍ୟାହତି ନେବାକୁ ନିର୍ଣ୍ଣୟ କରିଥାଇ ପାରନ୍ତି ବୋଲି ଏହି ତୃତୀୟ ଗୋଷ୍ଠୀ ଅନୁମାନ ମଧ୍ୟ କରୁଛନ୍ତି।
ତେବେ ପୁରୀ ଶ୍ରୀମନ୍ଦିର ପାଇଁ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ‘ଆମିକସ୍ କ୍ୟୁରୀ’ ପଦରୁ ଗୋପାଲ୍ ସୁବ୍ରମଣ୍ୟମ୍ଙ୍କ ଇସ୍ତଫା ପଛରେ କାରଣ ଯାହା ବି ହେଉ, ଏହା ଦ୍ୱାରା ଶ୍ରୀଜଗନ୍ନାଥ ସଂସ୍କୃତି, ଶ୍ରୀମନ୍ଦିର ପରମ୍ପରା ଓ ଏହାକୁ ଅନ୍ଧ ଭଳି ବିଶ୍ୱାସ କରୁଥିବା ଭାବପ୍ରବଣ ଓଡ଼ିଆ ଜାତିର ଆବେଗକୁ ବେଶ୍ କ୍ଷତିଗ୍ରସ୍ତ ହୋଇଛି।
ମୁଖ୍ୟତଃ ଶ୍ରୀମନ୍ଦିରରେ ‘ଧାଡ଼ି ଦର୍ଶନ’ ଭଳି ସଂସ୍କାରମୂଳକ ବ୍ୟବସ୍ଥା ଲାଗୁ କରି ଖୋଦ୍ ଓଡ଼ିଶାର ଜଗନ୍ନାଥ ପ୍ରେମୀଙ୍କୁ ଭାଗ ଭାଗ କରି ଦିଆଯାଇଛି। ପୁରୀ ସମେତ ଓଡ଼ିଶାର କିଛି ଜଗନ୍ନାଥ ପ୍ରେମୀ ଏହାକୁ ବିରୋଧ କରୁଥିବାବେଳେ ଅନ୍ୟମାନେ ଏଭଳି ପଦେକ୍ଷପକୁ ସମର୍ଥନ କରୁଥିଲେ। ଏବେ ଏହି ଧାଡ଼ି ଦର୍ଶନ ଭଳି ସଂସ୍କାରୀ ବ୍ୟବସ୍ଥା ବନ୍ଦ ହୋଇଗଲେ, ଭାଗ ଭାଗ ହୋଇ ଯାଇଥିବା ଜଗନ୍ନାଥପ୍ରେମୀଙ୍କ କୋଳାହଳ ନିରବି ଯିବ ସତ, କିନ୍ତୁ ପରପ୍ସର ପ୍ରତି ଥିବା ବିଦ୍ୱେଷ ଭାବ ଏମିତି ‘ଦାଣ୍ଡରେ ଗଡ଼ି ହାଟରେ ପଡ଼ିଛି’ ଯେ ସାରା ଜଗନ୍ନାଥ ସଂସ୍କୃତି ଏଥିରେ ବ୍ୟାପକ କ୍ଷତିଗ୍ରସ୍ତ, ନିନ୍ଦିତ ଓ ଉପହସିତ ହୋଇଛି।
ଜଗନ୍ନାଥ ଦର୍ଶନ ପାଇଁ ଫି’ଦିନ ନୂଆ ନିୟମ ଓ ଟିକେଟ୍ ବ୍ୟବସ୍ଥା କରୁଥିବା ଶ୍ରୀମନ୍ଦିର ପ୍ରଶାସନ ଓ ଏହାର ‘ଗଡ୍ ଫାଦର୍’ମାନେ ଏଯାଏ ‘ଆନନ୍ଦ ବଜାର’ରେ ଭକ୍ତଙ୍କୁ ପରିଷ୍କାର ପରିଛନ୍ନତାର ପରିବେଶରେ ମହାପ୍ରସାଦ ଖାଇବାର ବ୍ୟବସ୍ଥା ପାଇଁ ଚିନ୍ତା କରିନାହାନ୍ତି। ସଂସ୍କାରରେ ଯଦି ସ୍ୱଚ୍ଛତା ଗୁରୁତ୍ୱ ପାଏନାହିଁ, ତେବେ ସେଭଳି ସଂସ୍କାର କେବଳ କାହାର ପ୍ରଭାବ ବା ସ୍ୱର ଚାପି ଦେବା ପାଇଁ ଉଦ୍ଦିଷ୍ଟ ବୋଲି ବୁଝିବାକୁ ହୁଏ। ଦୈନିକ ହୁଣ୍ଡିରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିବା ଶ୍ରୀମନ୍ଦିର ପ୍ରଶାସନ କାର୍ତ୍ତିକ କି ଫାଲ୍ଗୁନରେ ଶ୍ରଦ୍ଧାଳୁଙ୍କ ପାଇଁ ମାଗଣା ମହାପ୍ରସାଦର ବ୍ୟବସ୍ଥା ନ କରି ଲୋକଙ୍କଠାରୁ ପଇସା ଟାଣିବାର ସୂତ୍ର କାହିଁକି ଖୋଜୁଛି, ତାହା ଏବେ ବି ଅବୁଝା। ଜଗନ୍ନାଥଙ୍କୁ ଦେଖାଇ ଟଙ୍କା ଖାଇବାର ଉଦ୍ଦେଶ୍ୟ ରଖୁଥିବା ଶ୍ରୀମନ୍ଦିର ପ୍ରଶାସନ, ସେବାୟତଙ୍କ ଟଙ୍କାଖୋର୍ ସ୍ୱଭାବକୁ କାହିଁକି ଅଙ୍ଗୁଳି ଉଠାଉଛି, ତାହା ପୁଣି ଅନ୍ୟ ଏକ ପ୍ରଶ୍ନବାଚୀ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ନ୍ୟାୟପାଳିକାଙ୍କ ଆଦେଶକୁ କାର୍ଯ୍ୟକାରୀ କରିବା ଆଳରେ ବିନା ଭିତ୍ତିଭୂମି ଓ ପରିଣାମ ଯାଞ୍ଚ ନ କରି ଏହାକୁ କାର୍ଯ୍ୟକାରୀ କରିବା ଏବଂ ପରେ ‘ଡ୍ୟାମେଜ୍ କଣ୍ଟ୍ରୋଲ୍’ ପାଇଁ ଭିନ୍ନ ରଣନୀତି( ଯଦି ଏପରି ହୋଇଥାଏ?) ଆପାଣାଇବା ଏକ ଜାତିର ଆବେଗ ସହ ଖେଳ, ଯାହା ଏକଦା ଇତିହାସରେ କୁଖ୍ୟାତି ପାଇଥିବା ‘କଳା ପାହାଡ଼’ର କାର୍ନାମାଠାରୁ ଅଧିକ ଭୟଙ୍କର ।
ତେବେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଏହି ଭୟଙ୍କର ଖେଳ କିଏ ଖେଳୁଛି, ଏହାର ବ୍ଲ ପ୍ରିଣ୍ଟ କେଉଁଠାରୁ ଆସିଛି, ସେସବୁ ସମ୍ପର୍କରେ ଗୋପାଲ୍ ସୁବ୍ରମଣ୍ୟମ୍ଙ୍କ ଭଳି ସମ୍ମାନସ୍ପଦ ବ୍ୟକ୍ତିତ୍ୱ ଶ୍ରୀମନ୍ଦିର ସଂସ୍କାର ପାଇଁ ‘ଆମିକସ୍ କ୍ୟୁରୀ’ ଭଳି ସମ୍ବେଦନଶୀଳ ପଦବୀରୁ ଅବ୍ୟାହତି ନେବା ପରେ ସ୍ପଷ୍ଟ କରିବା ଜରୁରୀ ବୋଲି ଓଡ଼ିଆ ଜାତି ଆଶା କରିବା ବାଞ୍ଚନୀୟ। ଏହା ସହ ଜଗନ୍ନାଥପ୍ରେମୀ ଏହା ମଧ୍ୟ ପରାରିବେ ଯେ ସାର୍, କହିବେ କି ଜଗନ୍ନାଥ ସଂସ୍କୃତିକୁ ନିନ୍ଦିତ କରି ଛାରଖାର୍ ଦେବାକୁ ଚକ୍ରାନ୍ତ କରିଥିବା ସେ ଭୟଙ୍କର ‘କଳାପାହାଡ଼’ କିଏ ?
from Odisha Reporter https://ift.tt/2U8ds6q
No comments:
Post a Comment