
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ହଜାର ହଜାର କୋଟି ଟଙ୍କାର ପାଣି ଦୁର୍ନୀତି ହୋଇଛି। ଖଣି ଦୁର୍ନୀତି ଭଳି ପାଣି ଦୁର୍ନୀତିକୁ ରାଜ୍ୟ ସରକାର ଜାଣିଶୁଣି ଆଖିବୁଜି ଦେଇଛନ୍ତି।୧୮ବର୍ଷ ମଧ୍ୟରେ ୩୩୨ଟି ଘରୋଇ ସଂସ୍ଥା ମନଇଚ୍ଛା ପାଣି ଉପଯୋଗ କରୁଥିଲେ ମଧ୍ୟ ଟଙ୍କାଟିଏ ରାଜକୋଷକୁ ଦେଉନାହାନ୍ତି। ଓଲଟା ଅମଲାଙ୍କ କଥାରେ ଏହି ଘରୋଇ କମ୍ପାନୀଗୁଡ଼ିକ ବିଜେଡିକୁ ନିର୍ବାଚନୀ ପାଣ୍ଠି ଦେଉଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି।
ଦଳର ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ୨୦୦୧ରୁ ୨୦୧୮ ମସିହା ମଧ୍ୟରେ ୩୩୨ଟି ଘରୋଇ ସଂସ୍ଥା ପର୍ଯ୍ୟାପ୍ତ ପରିମାଣର ଜଳ ଉପଯୋଗ କରୁଥିଲେ ମଧ୍ୟ ଟଙ୍କାଟିଏ ଟିକସ ଦେଇନାହାନ୍ତି। ଏସବୁ ଟିକସ ଖିଲାପୀ କମ୍ପାନୀ ବିରୁଦ୍ଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ କିଛି ଅମଲାଙ୍କ ପରାମର୍ଶରେ ଏସବୁ କମ୍ପାନୀ ଏବେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟରେ ମାମଲା ଗଡ଼ି ଚାଲିଥିବାରୁ ରାଜକୋଷକୁ ହଜାର ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ମିଳିଛି।
ଏହି ଘରୋଇ କମ୍ପାନୀଗୁଡ଼ିକ ରାଜକୋଷକୁ ଟଙ୍କାଟିଏ ଦେଉନଥିବାବେଳେ ବିଜେଡିକୁ କୋଟି କୋଟି ଟଙ୍କାର ପାଣ୍ଠି ଦେଉଛନ୍ତି। ରାଜ୍ୟ ସରକାର ମହାନଦୀ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବାବେଳେ ମହାନଦୀରୁ ପାଣି ନେଇ ଏବେ ଏହାକୁ ଶୁଖିଲା କରିଥିବା ଏସବୁ କମ୍ପାନୀଠୁ କାହିଁକି ଟିକସ ଆଦାୟ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଯେଉଁ କମ୍ପାନୀ ଦୀର୍ଘବର୍ଷ ଧରି ଜଳକର ଦେଇନାହାନ୍ତି ସେମାନଙ୍କର ଜଳ ସଂଯୋଗକୁ ବିଚ୍ଛିନ୍ନ କରାଯାଉନି କିମ୍ବା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି।ଏହି କମ୍ପାନୀଗୁଡ଼ିକଠୁ ମୋଟା ଅଙ୍କର ପାଣ୍ଠି ଉଠାଇ ବିଜେଡି ସେମାନଙ୍କୁ ସୁରକ୍ଷା ଦେଉଥିବା ବିଜେପି ଅଭିଯୋଗ କରିଛି।
ଆଗାମୀ ଦିନରେ ଦଳ ପକ୍ଷରୁ ବିସ୍ତୃତ ଭାବେ ଏହି ପାଣି ଦୁର୍ନୀତି ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ନାଁ ପ୍ରକାଶ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
from Odisha Reporter https://ift.tt/2S6v6px
No comments:
Post a Comment