
ଜମ୍ମୁ(ଓଡ଼ିଶା ରିପୋର୍ଟର):ଜମ୍ମୁର ଗାନ୍ଧି ମେମୋରିଆଲ ସାଇନ୍ସ କଲେଜ୍ ଗ୍ରାଉଣ୍ଡରେ ଜମ୍ମୁକଶ୍ମୀର ଏବଂ ଓଡ଼ିଶା ମଧ୍ୟରେ ଚାଲିଥିବା ରଣ୍ଜୀ ମ୍ୟାଚ୍ରେ ନିର୍ଦ୍ଧାରିତ ୧୯୬ ଟାର୍ଗେଟ୍କୁ ମାତ୍ର ୨ ୱିକେଟ୍ ହରାଇ ହାସଲ କରିନେଇଛି ଓଡ଼ିଶା। ଶାନ୍ତନୁ ମିଶ୍ରଙ୍କ ୭୮ ଏବଂ ଶୁଭ୍ରାଂଶୁ ସେନାପତିଙ୍କ ୭୨ ରନ୍ର ଇନିଂସ୍ ବଳରେ ଏହି ସହଜ ବିଜୟ ହାସଲ କରିଛି ଓଡ଼ିଶା।
ଇନିଂସ୍ ଆରମ୍ଭରେ ଓପନର୍ ଅନୁରାଗ ଷଡ଼ଙ୍ଗୀ ୩୯ ବଲ୍ରୁ ୨୦ ରନ୍ କରି ପର୍ଭେଜ୍ ରସୁଲ୍ଙ୍କ ଦ୍ୱାରା ଆଉଟ୍ ହୋଇଯାଇଥିଲେ। ସେତେବେଳକୁ ଦଳୀୟ ସ୍କୋର ୪୭ ଥିଲା। ଏହାପରେ ଅନ୍ୟତମ ଓପନର୍ ଶାନ୍ତନୁ ଏବଂ ଶୁଭ୍ରାଂଶୁ ଇନିଂସ୍କୁ ଆଗେଇ ନେଇଥିଲେ। ଦଳୀୟ ସ୍କୋର ୧୫୯ ରନ୍ ହୋଇଥିବାବେଳେ ଶାନ୍ତନୁ ୭୮ ରନ୍ କରି ବିଦାୟ ନେଇଥିଲେ।
ଏହା ପରେ କ୍ରିଜ୍କୁ ଆସିଥିବା ଗୋବିନ୍ଦ ପୋଦ୍ଦାର ଏବଂ ଶୁଭ୍ରାଂଶୁ ଦଳକୁ ବିଜୟ ଆଡ଼କୁ ଆଗେଇନେଇଥିଲେ। ଜମ୍ମୁକଶ୍ମୀର ପକ୍ଷରୁ ଇର୍ଫାନ୍ ପଠାନ୍ ଏବଂ ମହମ୍ମଦ ମୁଧସିର୍ ଗୋଟିଏ ଲେଖାଏ ୱିକେଟ୍ ହାତେଇଥିଲେ।
ପୂର୍ବରୁ ଜମ୍ମୁ କଶ୍ମୀରର ପ୍ରଥମ ଇନିଂସ୍ରେ ବସନ୍ତ ମହାନ୍ତି ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ଯଥାକ୍ରମେ ୩ ଏବଂ ୪ଟି ୱିକେଟ୍ ନେବାରୁ ଜମ୍ମୁ କଶ୍ମୀରର ସ୍କୋର ୧୨୭ ରନ୍ରେ ସୀମିତ ରହିଥିଲା।
ସେହିଭଳି ଓଡ଼ିଶା ଏହାର ପ୍ରଥମ ଇନିଂସ୍ରେ ଅଭିଷେକ ରାଉତଙ୍କ ୧୧୬ ଏବଂ ଦେବାଶିଷ ସାମନ୍ତରାୟଙ୍କ ୮୫ ରନ୍ ବଳରେ ୩୨୩ ରନ୍ କରିପାରିଥିଲା। ଏହି ଇନିଂସ୍ରେ ଅନୁରାଗ ମଧ୍ୟ ୫୭ ରନ୍ର ଉଲ୍ଲେଖନୀୟ ଇନିଂସ୍ ଖେଳିଥିଲା।
ଜମ୍ମୁକଶ୍ମୀର ଦ୍ୱିତୀୟ ଇନିଂସ୍ରେ ୩୯୧ ରନ୍ କରିଥିଲା। ପର୍ଭେଜ୍ ରସୁଲ୍ ୧୫୮ ରନ୍ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ କମରାନ୍ ଇକ୍ବାଲ୍ ୬୭ ରନ୍ ଏବଂ ଆମୀର ଅଜିଜ୍ ୫୬ ରନ୍ କରିଥିଲେ। ଦ୍ୱିତୀୟ ଇନିଂସ୍ରେ ବଡ଼ ସ୍କୋର ସତ୍ତ୍ୱେ ପ୍ରଥମ ଇନିଂସ୍ର କମ୍ ସ୍କୋର ଜମ୍ମୁ କଶ୍ମୀର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା।
from Odisha Reporter http://bit.ly/2Q3nGl0
No comments:
Post a Comment