
ପର୍ଥ: ଅଷ୍ଟ୍ରେଲିଆ ବୋଲରଙ୍କ ଘାତକ ବୋଲିଂ ଯୋଗୁ ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟ୍ରେ ଆସନ୍ନ ପରାଜୟର ସାମ୍ନା କରୁଛି। ଅଷ୍ଟ୍ରେଲିଆ ଦେଇଥିବା ୨୮୭ ରନ୍ର ଟାର୍ଗେଟର ପିଛା କରୁଥିବା ବିରାଟ୍ ବାହିନୀ ୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୧୧୨ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ୱିକେଟ୍ କିପର ବ୍ୟାଟସ୍ମ୍ୟାନ୍ ରିଷଭ ପନ୍ତ ୯ ରନ୍ ଓ ହନୁମା ବିହାରୀ ୨୪ ରନ୍ କରି ଅପରାଜିତ ରହିଛନ୍ତି।
ଦଳ ଏବେ ବି ବିଜୟଠାରୁ ୧୭୫ ରନ୍ ଦୂରରେ ରହିଥିବା ବେଳେ ହାତରେ ମାତ୍ର ୫ଟି ୱିକେଟ୍ ରହିଛି। ଏହି ୫ ୱିକେଟ୍ ମଧ୍ୟରୁ ୪ ଜଣ ହେଉଛନ୍ତି ଟେଲଏଣ୍ଡର। ତେଣୁ ହନୁମା ଓ ପନ୍ତ ଯୋଡ଼ି ଉପରେ ହିଁ ଭାରତର ଶେଷ ଆଶା ରହିଛି।

ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହେଜେଲଉଡ୍ ଓ ନେଥନ ଲିୟନ ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମିଚେଲ୍ ଷ୍ଟାର୍କ ଗୋଟିଏ ୱିକେଟ୍ ନେଇଛନ୍ତି।
ଅଷ୍ଟ୍ରେଲିଆ ଗତକାଲିର ୪ ୱିକେଟ୍ ହରାଇ କରିଥିବା ୧୩୨ ରନ୍ରୁ ଆଜି ଇନିଂସ୍ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟସ୍ମ୍ୟାନ୍ ଉସମାନ ଖ୍ୱାଜା ଏବଂ ଟିମ୍ ପାଇନ୍ ଲଞ୍ଚ ପର୍ଯ୍ୟନ୍ତ ଦ୍ରୁତଗତିରେ ରନ୍ ସଂଗ୍ରହ କରିବା ସହ ଭାରତୀୟ ବୋଲରଙ୍କୁ କୌଣସି କ୍ଷତି ଘଟାଇବାକୁ ସୁଯୋଗ ଦେଇନଥିଲେ।

ତେବେ ଲଞ୍ଚ ପରେ ମହମ୍ମଦ ଶାମି ନିଜର ପରାକ୍ରମ ଦେଖାଇଥିଲେ। ସେ ପ୍ରଥମେ ଟିମ୍ ପାଇନ୍(୩୭), ଏହାପରେ ଗତକାଲି ରିଟାୟାର୍ଡ ହଟ୍ ହୋଇଥିବା ଆରୋନ ଫିଞ୍ଚ(୨୪)ଙ୍କୁ ଆଉଟ୍ କରି ଭାରତକୁ ମ୍ୟାଚ୍ରେ କମ୍ବ୍ୟାକ୍ କରାଇଥିଲେ। ତାଙ୍କୁ ଯଶପ୍ରୀତ ବୁମ୍ରା ମଧ୍ୟ ଭରପୂର ସହଯୋଗ କରିଥିଲେ। ଉଭୟ ଲଞ୍ଚ ପରେ ୬ଟି ୱିକେଟ୍ ନେଇ ଅଷ୍ଟ୍ରେଲିଆ ଇନିଂସ୍ରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।
ଭାରତ ପକ୍ଷରୁ ମହମ୍ମଦ ଶାମି ୬ଟି ୱିକେଟ୍ ନେଇଥିବା ବେଳେ ଯଶପ୍ରୀତ ବୁମ୍ରା ୩ଟି ଏବଂ ଇଶାନ୍ତ ଶର୍ମା ଗୋଟିଏ ୱିକେଟ୍ ନେଇଥିଲେ। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ୍ରେ ୨୪୩ ରନ୍ କରିଥିବାରୁ ଭାରତକୁ ୨୮୭ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା।

ଅଷ୍ଟ୍ରେଲିଆର ୨୮୭ ରନ୍ ଟାର୍ଗେଟର ପିଛା କରୁଥିବା ଟିମ୍ ଇଣ୍ଡିଆ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କ୍ରମାଗତ ୩ୟ ଥର ପାଇଁ ଓପନର ଲୋକେଶ ରାହୁଲ ନିରାଶ କରିଥିଲେ। ସେ ମିଚେଲ ଷ୍ଟାର୍କଙ୍କ ଏକ ଇନ୍ସୁଇଂରେ କ୍ଲିନ୍ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ। ଭାରତ ସ୍କୋରବୋର୍ଡରେ କୌଣସି ରନ୍ ଯୋଡ଼ିବା ପୂର୍ବରୁ ହିଁ ରାହୁଲ ଆଉଟ୍ ହୋଇଥିଲେ।
ଏହାପରେ ଦଳୀୟ ସ୍କୋର ୧୩ ଥିବା ବେଳେ ନିର୍ଭରଯୋଗ୍ୟ ଚେତେଶ୍ୱର ପୂଜାରା ମଧ୍ୟ ହେଜେଲଉଡ୍ଙ୍କ ବଲ୍ରେ ଆଉଟ୍ ହୋଇଯାଇଥିଲେ। କିଛି ସମୟ ପାଇଁ ସଙ୍କଟରେ ପଡ଼ିଥିବା ଟିମ୍ ଇଣ୍ଡିଆକୁ ଅଧିନାୟକ ବିରାଟ କୋହଲି ଏବଂ କ୍ରମାଗତ ବିଫଳ ହେଉଥିବା ମୁରଲୀ ବିଜୟ ସମ୍ଭାଳିଥିଲେ। ଉଭୟ ଢେର ସମୟ କ୍ରିଜ୍ରେ ରହିଥିଲେ ହେଁ ଆଶାନୁଯାୟୀ ରନ୍ ସଂଗ୍ରହ କରିପାରି ନଥିଲେ।

ଦଳୀୟ ସ୍କୋର ୪୮ ଥିବା ବେଳେ ଲିୟନ୍ ଭାରତକୁ ବଡ଼ ଝଟ୍କା ଦେଇଥିଲେ। ସେ କ୍ୟାପ୍ଟେନ୍ କୋହଲି(୧୭)ଙ୍କୁ କ୍ୟାଚ ଆଉଟ୍ କରାଇ ସବୁ କିଛି ଓଲଟପାଲଟ୍ କରିଦେଇଥିଲେ। ଏହାପରେ ବିଜୟ(୨୦)ଙ୍କୁ ମଧ୍ୟ ଲିୟନ୍ ନିଜର ଦ୍ୱିତୀୟ ଶିକାର କରିଥିଲେ। ପ୍ରଥମ ଇନିଂସ୍ରେ ୫୧ ରନ୍ର ଇନିଂସ ଖେଳିଥିବା ଟିମ୍ ଇଣ୍ଡିଆର ଉପ ଅଧିନାୟକ ଅଜିଙ୍କ୍ୟ ରାହଣେ କିଛି ସମୟ ପାଇଁ ବଡ଼ ଶଟ୍ ଖେଳି ରନ୍ ହାର ବଢ଼ାଇଥିଲେ। ତେବେ ୪ର୍ଥ ଦିନର ଖେଳ ଶେଷ ହେବାକୁ ଆଉ ମାତ୍ର ୨୦ ମିନିଟ୍ ବାକି ଥିବା ବେଳେ ସେ ମଧ୍ୟ ଟିମ୍ ଇଣ୍ଡିଆର ହାତ ଛାଡ଼ି ଦେଇଥିଲେ।
ଆଉଟ୍ ହେବା ପୂର୍ବରୁ ୩୦ ରନ୍ କରିଥିବା ରାହଣେଙ୍କୁ ହେଜେଲଉଡ୍ ଆଉଟ୍ କରିଥିଲେ। ୭ ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରିଷଭ ପନ୍ତ ଓ ୬ ନଂରେ ବ୍ୟାଟିଂ କରୁଥିବା ହନୁମା ବିହାରୀ କିନ୍ତୁ ୪ର୍ଥ ଦିନ ଖେଳ ଶେଷ ପର୍ଯ୍ୟନ୍ତ କଙ୍ଗାରୁ ଟିମ୍କୁ ଆଉ ବିପର୍ଯ୍ୟୟ ଘଟାଇବାକୁ ସୁଯୋଗ ଦେଇ ନଥିଲେ। ଉଭୟ ୫ମ ୱିକେଟ୍ ପାଇଁ ୧୪ ରନ୍ ଯୋଡ଼ି ଷ୍ଟମ୍ପ ଅପସାରଣ ପର୍ଯ୍ୟନ୍ତ ନଟ୍ଆଉଟ୍ ରହିଥିଲେ।

ଆସନ୍ତାକାଲି ମ୍ୟାଚ୍ର ଶେଷ ଦିନ ହୋଇଥିବା ବେଳେ ଦୁଇ ଯୁବ ତାରକା କେମିତି ପ୍ରଦର୍ଶନ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିବ।

from Odisha Reporter https://ift.tt/2rIcqAZ
No comments:
Post a Comment