
ନୂଆଦିଲ୍ଲୀ: ଶତ୍ରୁପକ୍ଷକୁ କଡ଼ା ଜବାବ ଦେବାକୁ ଭାରତ ସରକାର ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ସରକାରଙ୍କ ପକ୍ଷରୁ ଖୁବ୍ଶୀଘ୍ର ‘ସର୍ଜିକାଲ ଷ୍ଟ୍ରାଇକ୍’ ଫୋର୍ସ ସୃଷ୍ଟି କରାଯିବ। ଏହି ଫୋର୍ସରେ ସ୍ଥଳସେନା, ବାୟୁସେନା ଓ ନୌସେନାର ବଛାବଛା ଯବାନଙ୍କୁ ସାମିଲ କରାଯିବ। ଏମାନଙ୍କୁ ସୀମା ପାର ହୋଇ କିପରି ଆକ୍ରମଣ କରାଯିବା ଦରକାର, ସେନେଇ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯିବ।
୨୦୧୬ ସେପ୍ଟମ୍ବର ୨୯ରେ ଭାରତ ପକ୍ଷରୁ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା। ଶତ୍ରୁପକ୍ଷ ଉପରେ ଆକ୍ରମଣ କରି ଖୁବ୍କମ୍ ସମୟରେ ଅଧିକ କ୍ଷତି ଘଟାଇବା ଏବଂ ନିଜ ଉପରେ କୌଣସି କ୍ଷତି ପହଞ୍ଚିବା ପୂର୍ବରୁ ପୁଣିଥରେ ସୁରକ୍ଷିତ ସ୍ଥାନକୁ କେମିତି ଫେରି ହେବ, ସେ ସମ୍ପର୍କରେ ସର୍ଜିକାଲ ଷ୍ଟ୍ରାଇକ୍ ଫୋର୍ସର ଯବାନଙ୍କୁ ତାଲିମ ଦିଆଯିବ।

ନିଜ ନାଁ ଗୋପନରଖି ଜଣେ ସରକାରୀ ଅଧିକାରୀ କହିଛନ୍ତି, “ ଏହି ନୂଆ ଫୋର୍ସରେ ବାୟୁସେନାର ସ୍ୱତନ୍ତ୍ର ମାର୍କୋସ କମାଣ୍ଡର, ନୌସେନାର ପାରସ ଓ ଆର୍ମିର ଗାର୍ଡର ଯବାନମାନେ ରହିବେ। ଏମାନଙ୍କୁ ଜଙ୍ଗଲ ଓ ପାହାଡ଼ ଥିବା ସ୍ଥାନରେ କେମିତି ଲଢ଼େଇ କରିବାକୁ ହେବ, ସେ ସମ୍ପର୍କରେ ତାଲିମ ଦିଆଯିବ। ଏହି ନୂଆ ଫୋର୍ସଟି ସ୍ଥଳ ସେନା ମୁଖ୍ୟଙ୍କ ଅଧୀନରେ ରହିବ। ଏହି ଫୋର୍ସକୁ ଦୁଇଟି ଭାଗରେ ବିଭକ୍ତ କରାଯିବ। ଗୋଟିଏ ପ୍ଲାନିଂ ଓ ଅନ୍ୟଟି ଆସଲଟ। ପ୍ଲାନିଂ ଗ୍ରୁପ୍ରେ ୯୬ ଜଣ ଓ ଆସଲ୍ଟ ଗ୍ରୁପ୍ରେ ୧୨୪ ଜଣ କମାଣ୍ଡର ରହିବେ।
ଆସଲ୍ଟ ଗ୍ରୁପ୍ ପୁଣି ଦୁଇ ଭାଗରେ ବିଭକ୍ତ ହେବେ। ଗୋଟିଏ ଗ୍ରୁପ୍ କେବଳ ଆକ୍ରମଣ ପାଇଁ ରହିବ ଏବଂ ଅନ୍ୟଟି ଆକ୍ରମଣ ପାଇଁ ସମସ୍ତ ପ୍ରକାରର ସହଯୋଗ ଯୋଗାଇବ।”

ଏହି ସ୍ୱତନ୍ତ୍ର ଫୋର୍ସ ଗଠନ କରିବା ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ହିଁ ପ୍ରଥମେ ଚିନ୍ତା କରିଥିଲେ। ଏହି ଫୋର୍ସରେ ସାମିଲ ହେବାକୁ ଥିବା ଯବାନମାନେ ଉଭୟ ସ୍ଥଳ, ଜଳ ଓ ଆକାଶ ପଥରେ ସବୁ ପ୍ରକାରର ସମସ୍ୟାର ସମାଧାନ ବିଷୟରେ ଜାଣିବେ।
from Odisha Reporter https://ift.tt/2rhWS6y
No comments:
Post a Comment