
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ଯୁକ୍ତତିନି ଲାଗି ସାରା ରାଜ୍ୟରେ ପ୍ରଚଳନ ହେବ ଗୋଟିଏ ପାଠ୍ୟକ୍ରମ। ସେହିପରି ପିଜିରେ ନାଁ ଲେଖାଇବା ପାଇଁ ଏକକ ପରୀକ୍ଷା କରାଯିବ। ଉଚ୍ଚଶିକ୍ଷାର ମାନ ବୃଦ୍ଧି ଲାଗି ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ଉଚ୍ଚଶିକ୍ଷା ପରିଷଦ। ଆଜି ବସିଥିବା ପରିଷଦର ବୈଠକରେ ଉଚ୍ଚତର ଗବେଷଣା ଓ ଶିକ୍ଷାର ଅନ୍ତର୍ଜାତୀୟକରଣ ଉପରେ ବି ଗୁରୁତ୍ୱ ଦିଆଯାଇଛି।
ଉଚ୍ଚଶିକ୍ଷାର ମାନବୃଦ୍ଧି ଲାଗି ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ନିଷ୍ପତ୍ତି ଅନୁୟାୟୀ, ଏଣିକି ସାରା ରାଜ୍ୟରେ ଯୁକ୍ତତିନି ପାଇଁ ଲାଗୁ ହେବ ଏକକ ପାଠ୍ୟକ୍ରମ। ସେହିପରି ପିଜି ନାମଲେଖା ଲାଗି ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଷ୍ଟୁଡେଣ୍ଟସ୍ ଏକାଡେମିକ୍ ମ୍ୟାନେଜ୍ମେଣ୍ଟ ସିଷ୍ଟମ ଏହି ପ୍ରବେଶିକା ପରୀକ୍ଷା ପରିଚାଳନା କରିବ।
ସାରା ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଗୋଟିଏ ମାନଦଣ୍ଡରେ ତଉଲିବା ଲାଗି ଏହି ବ୍ୟବସ୍ଥା କରାଯାଇଛି। ଶିକ୍ଷାକୁ ନିଯୁକ୍ତି ଭିତ୍ତିକ କରିବା, ଜାତୀୟସ୍ତରର ପ୍ରତିଯୋଗିତାମୂଳକ ପରୀକ୍ଷାରେ ରାଜ୍ୟର ଛାତ୍ରଛାତ୍ରୀ ଭଲ କରିବା, ଉଚ୍ଚତର ଗବେଷଣା ଓ ସର୍ବୋପରି ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ ଲାଗି ନବଗଠିତ ଉଚ୍ଚଶିକ୍ଷା ପରିଷଦ ଏହିସବୁ ସଂସ୍କାର ଆଣିବାକୁ ସ୍ଥିର କରିଛି।
ବୈଠକରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୂଳପତି, ପିଜି କାଉନ୍ସିଲ ଚେୟାରମ୍ୟାନ ଓ ପରୀକ୍ଷା ନିୟନ୍ତ୍ରକ ଉପସ୍ଥିତ ଥିଲେ।
ସେପଟେ ଏକକ ପିଜି ପ୍ରବେଶିକା ଲାଗି ଯୁକ୍ତ ତିନିରେ ଅତି କମ୍ରେ ୪୫ ପ୍ରତିଶତ ମାର୍କ ରଖିବାକୁ ପଡିବ। ଉତ୍କଳ ବିଶ୍ୱବିଦ୍ୟାଳୟ କଳା, ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିଜ୍ଞାନ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କମର୍ସ ବିଭାଗର ପ୍ରବେଶିକା ପରୀକ୍ଷା ପରିଚାଳନା କରିବେ।
ଆଗକୁ ଯୁକ୍ତି ତିନିରେ କିଛି ନୂଆ କୋର୍ସ ଖୋଲିବା ଲାଗି ଯୋଜନା ରହିଛି। ଏସବୁ ପାଠ୍ୟକ୍ରମ ଲାଗି ବିଦେଶୀ ଗେଷ୍ଟ ଫାକଲ୍ଟିଙ୍କ ଦ୍ୱାରା ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଟ୍ରେନିଂ ଦିଆଯିବ। ସେହିପରି ଆସନ୍ତା ମାସ ସୁଦ୍ଧା ଯୁକ୍ତ ତିନି ପାଠ୍ୟକ୍ରମର ରୂପରେଖ ଚୂଡାନ୍ତ ହେବ।
from Odisha Reporter https://ift.tt/2AYs2oh
No comments:
Post a Comment