ହକି ହାରିଲା, ନବୀନ ଜିତିଲେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ହକି ହାରିଲା, ନବୀନ ଜିତିଲେ !

ଭୁବନେଶ୍ୱର (ଅମରେଶ ବିଶ୍ୱାଳ): ଓଡ଼ିଶା ପରୁଷ ହକି ବିଶ୍ୱକପ୍ ସରିଯାଇଛି। ସରିଯାଇଛି ଅନେକ ଭଲକଥା, ଉତ୍ସବ, ଆଲୋକମାଳା, ଏଲ୍‌ଇଡି ସ୍କ୍ରିନ୍, ଚିକ୍କଣିଆ ରାସ୍ତା, ଘର-କଳି, ରାଜନୈତିକ ବିବାଦ, ଗଣମାଧ୍ୟମର ଅନ୍ତର୍ଦ୍ୱନ୍ଦ୍ୱ, ଲାଭକ୍ଷତି ହିସାବ ଓ ଏସବୁକୁ ନେଇ ଚର୍ଚ୍ଚା। ସମସ୍ତେ ଏବେ ହାଲିଆ। ଆଗାମୀ ଦିନରେ କିଛି ସୁନ୍ଦର ସ୍ୱପ୍ନ ଫଳବତୀ ହେବ ବୋଲି ଆଶା କରି ସମସ୍ତେ ଏବେ ସୁଖନିଦ୍ରା ଯାଇଛନ୍ତି। ଖୁବ୍ ଭଲ।

ଓଡ଼ିଶାରେ ସଫଳତାର ସହ ହକି ବିଶ୍ୱକପ୍‌ର ଆୟୋଜନ ପରେ ଏ ସାମ୍ବାଦିକ ଆଶା କରୁଛି ଯେ, ଆମ ଗାଁ ଦାଣ୍ଡରେ ଯେଉଁ ପିଲାମାନେ କାଠପଟାରେ ତିଆରି ବ୍ୟାଟ୍ ଓ କର୍କ ବଲ୍‌ ଧରି କ୍ରିକେଟ୍ ବାଡ଼ୋଉଥିଲେ, ସେମାନେ କାଲିଠୁ ଜେଜେଙ୍କ ବଙ୍କୁଲୀ ବାଡ଼ି ଚୋରି କରି ହକି ଖେଳିବେ। ଦେଶର ହେଉକି ନହେଉ, ଅନ୍ତତଃପକ୍ଷେ ହକି ଓଡ଼ିଶାର ଜାତୀୟ ଖେଳ ହେଇଯିବ।

ଖୁସି ଓ ଗର୍ବର କଥା ଯେ, ଓଡ଼ିଶାରେ ହକି ବିଶ୍ୱକପ୍ ଆୟୋଜନ ହେଲା। ଏହା କିଛି କମ୍ ଗୌରବର କଥା ଓ ପାରଙ୍ଗମପଣିଆ ନୁହେଁ। ସବୁ ନକାରାତ୍ମକ ଚର୍ଚ୍ଚା ପରେ ବି ଓଡ଼ିଶା ପାଇଁ ଏହା ଲାଭଦାୟକ। ‘ଉତ୍କର୍ଷ କଳାର ଦେଶ ଉତ୍କଳ’ ବୋଲି ସାରା ପୃଥିବୀରେ ଓଡ଼ିଶାର ଯେଉଁ ପରିଚୟ ଥିଲା ତାହା ସହ ଏବେ ‘ଉତ୍କର୍ଷ ହକିର ଦେଶ’ ବୋଲି ଜଣାଶୁଣା ହେବ। ଆଉ ମନ୍ଦିରମାଳିନୀ ଭୁବନେଶ୍ୱରର ନୂଆ ନାଁ ବି ମିଳିଯିବ- ‘ହକି ପଡ଼ିଆ ଭୁବନେଶ୍ୱର’।

ଜଣେ ବନ୍ଧୁ ସୋଶାଲ୍ ମିଡିଆରେ ଗୋଟେ ଭିଡିଓ ଛାଡ଼ି କହିଲେ ଯେ, ଏହା ହକିର ବିଜୟ। କଥାଟା ଶୁଣି ସତରେ ହସ ଲାଗିଲା। ମୋ ମତରେ ଏହା ହକିର ବିଜୟ ନୁହେଁ, ଓଡ଼ିଶାର ବିଜୟ। ରାଜନୈତିକ ଦୃଷ୍ଟିରୁ କହିଲେ, ନବୀନଙ୍କର ଓ ବିଜେଡିର ବିଜୟ। ‘ମାଇଁ ହାର୍ଟ ବିଟ୍‌ସ ଫର୍ ହକି’ (ହକି ପାଇଁ ମୋ ହୃଦୟ ଧକ୍‌ ଧକ୍ କରୁଛି) ବୋଲି ନବୀନଙ୍କର ଯେଉଁ ସ୍ଲୋଗାନ୍ ସମ୍ବଳିତ ଖବରକାଗଜ ବିଜ୍ଞାପନ ପ୍ରକାଶ ପାଇଥିଲା ଓ ହୋର୍ଡିଂ ଲାଗିଥିଲା, ସତରେ ହକି ପାଇଁ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେ ଲୋକଙ୍କ ଦିଲ୍ ଧକ୍‌ ଧକ୍ ହେଇଛି, ତାହା ନବୀନ ବାବୁ ହିଁ କହିପାରିବେ। ସରକାରୀ ଟଙ୍କାରେ ସୋଶାଲ୍ ମିଡିଆରେ ସରକାରଙ୍କ ଜୟଜୟକାର କରୁଥିବା ସାମ୍ବାଦିକମାନେ ମଧ୍ୟ ଜାଣିଥିବେ।

ଗତ ମାର୍ଚ୍ଚ ୨୭ ତାରିଖରେ ରାଜ୍ୟ ସରକାରଙ୍କର ଗୋଟେ ମିଟିଂ ହୋଇଥିଲା। ଯେଉଁଥିରେ ହକି ବିଶ୍ୱକପ୍‌ ହେବ ବୋଲି ଘୋଷଣା କରି ସରକାର ଆକଳନ କରିଥିଲେ, ସେଥିରେ ୧୨ କୋଟି ଟଙ୍କା ଖର୍ଚ୍ଚ ହେବ। ହେଲେ ବେସରକାରୀ ହିସାବ କହୁଛି ଏହି ଖର୍ଚ୍ଚ ୧୭ଶହ କୋଟି ଟଙ୍କା। ଏବେ ଓଡ଼ିଶା ଉପରେ ୯୨ ହଜାର କୋଟି ଟଙ୍କାର ଋଣବୋଝ। ବର୍ଷକୁ ସୁଧ ୫ ହଜାର କୋଟି। ‘ହକି-କାର୍ଡ଼’ ପାଇଁ ରାଜ୍ୟବାସୀ ଆଉ ଅଳ୍ପ ଓଜନ ମୁଣ୍ଡେଇବାରେ କ’ଣ ଅସୁବିଧା ଅଛି?

ମୋର ଜଣେ ଜେଜେ ଥିଲା। ଯେତେବେଳେ ରେଡିଓରେ ରୋଷେଇ ପ୍ରୋଗ୍ରାମ ଦେବ, ଟିକିଏ ବାଜିଥିବ କି ନାହିଁ, ବୁଢ଼ା ଚିଡ଼ିକି କହିବ- ବନ୍ଦ କର ସେଟାକୁ। ଏତେ ମସଲା ପଡ଼ିଲେ କାଠ ରାନ୍ଧିଲେ ବି ଭଲ ଲାଗିବ। ଏହାର ଅର୍ଥ ହେଲା, ଏତେ ଟଙ୍କା ଖର୍ଚ୍ଚ କଲେ ଆପଣ ବି ରାତିପାହିଲା ବେଳକୁ ଗୋଟେ ବ୍ରାଣ୍ଡ ହୋଇଯିବେ। ଯଦି ଓଡ଼ିଶାର ବ୍ରାଣ୍ଡ ବିଶ୍ୱସ୍ତରରେ ସୃଷ୍ଟି କରିବାର ଥିଲା, ତେବେ ହକିକୁ କାହିଁକି ନବୀନ ବାବୁ ବାଛିଲେ, କ୍ରିକେଟ୍‌କୁ ବାଛିଲେନି। ଆଗାମୀ ଦିନରେ ହକି ଯଦି ସତରେ ଓଡ଼ିଶାରେ ଲୋକପ୍ରିୟ ହେଇଯାଏ, ଏଥିପାଇଁ ନବୀନବାବୁ ଯୁଗପୁରୁଷ ହେଇଯିବେ, ସେଥିରେ ସନ୍ଦେହ ନାହିଁ। ହକି ସଫଳ ହେଉ, ନବୀନ ବାବୁ ବି ଯୁଗପୁରୁଷ ହୁଅନ୍ତୁ। କିନ୍ତୁ ଓଡ଼ିଶାବାସୀଙ୍କୁ ସେଥିରୁ ମୁକ୍ତି ଦିଅନ୍ତୁ।

ଶେଷରେ ଆଉଗୋଟିଏ କଥା। ମନେକରନ୍ତୁ, ହକି ପ୍ରଭାବରେ ସତରେ ଓଡ଼ିଶା ବିଶ୍ୱସ୍ତରରେ ଏକ ବ୍ରାଣ୍ଡ ହେଇଗଲା। ତା ପରେ କ’ଣ ହେବ? ହକିବ୍ରାଣ୍ଡରୁ ଓଡ଼ିଶା କେଉଁ ଲାଭ ପାଇବାକୁ ଯାଉଛି ତା’ର ଏକ ତାଲିକା ସରକାର ଦେଲେ ଭଲ ହୁଅନ୍ତା। ଯେଉଁ ସରକାରୀ ପ୍ରଚାରକମାନେ ଏବେ ଏଥିରେ ମାତିଛନ୍ତି, ସେମାନେ ବି ଏହା ଜାଣିନଥିବେ।

ଅନୁମାନ କରାଯାଉଛି, ହକିବ୍ରାଣ୍ଡ ଦ୍ୱାରା ବିଦେଶୀ ଶିଳ୍ପସଂସ୍ଥା ଓଡ଼ିଶା ଆସିବେ ଆଉ ଶିଳ୍ପ କରିବେ। ସତରେ ଯଦି ସେମାନେ ଆସନ୍ତି ସରକାର ତାଙ୍କୁ ଥଇଥାନ କରିପାରିବେ ତ? ‘ପସ୍କୋ’ ଓ ‘ମିତ୍ତଲ’ ଆସି ନଥିଲେ କି? ପସ୍କୋ ପରି ବିଶ୍ୱର ଅନ୍ୟତମ ବୃହତ ଷ୍ଟିଲ୍ ଉତ୍ପାଦନକାରୀ କମ୍ପାନୀକୁ ତ ସରକାର ଥଇଥାନ କରିପାରିଲେ ନାହିଁ। ସରକାରୀ କଳର ଚରିତ୍ର ଠିକ୍ ଅଛି ତ? ଓଡ଼ିଶା ଏବେ ଦେଶର ଲାଞ୍ଚୁଆ ରାଜ୍ୟମାନଙ୍କ ଭିତରୁ ଅନ୍ୟତମ। ପିସି କାରବାର ହେଉଛି ଆମ ପରମ୍ପରା।

ଏତେସବୁ ନକାରାତ୍ମକ ବାସ୍ତବତା ସତ୍ୱେ, ଓଡ଼ିଶାବାସୀଙ୍କ ଭିତରେ ହକିବ୍ରାଣ୍ଡକୁ ନେଇ ଭଲ ଚିନ୍ତା ଅଛି। କିନ୍ତୁ ସରକାରଙ୍କର ନାହିଁ। ହକିକୁ ପାହାଚ କରି ସରକାର ଆଉକିଛି ଲକ୍ଷ୍ୟ ଯଦି ସତରେ ରଖିଥିବେ, ତେବେ ୨୦୧୯ ନିର୍ବାଚନରେ ବ୍ୟାଲଟ୍ ପେପର ଏହାର ଉତ୍ତର ଦେବ।



from Odisha Reporter https://ift.tt/2S6DSE3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages