
ଜୟପୁର:ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍। ରାଜ୍ୟପାଳ କଲ୍ୟାଣ ସିଂହ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ତେବେ ଏହି ଶପଥ ପାଠ ଉତ୍ସବରେ ଏକ ବିରଳ ଦୃଶ୍ୟ ନଜରକୁ ଆସିଛି। ଯାହାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ଦୁଇ ରାଜପରିବାର ମଧ୍ୟରେ ସମ୍ପର୍କର ଅପୂର୍ବ ମିଳନର ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଜେପି ନେତ୍ରୀ ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖାଯାଇଛି। ଉଭୟଙ୍କର ଏହି ଖୁସିର ମୁହୂର୍ତ୍ତ କ୍ୟାମେରାରେ କଏଦ୍ ହୋଇଛି। ରାଜନୀତିରେ ଦୁଇ ପରିବାର ପରସ୍ପରର ବିରୋଧୀ ହୋଇଥିଲେ ମଧ୍ୟ ପାରିବାରିକ ସମ୍ପର୍କ ଅତୁଟ ଥିବା ଆଜିର ଏହି ଫଟୋରୁ ବାରି ହେଉଛି। ଯାହାକୁ ନେଇ ସୋଶାଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି।

ତେବେ କେହି କେହି ଏହି ମୁହୂର୍ତ୍ତକୁ ନେଇ ଟୀକାଟିପ୍ପଣୀ ଦେଇଛନ୍ତି। ଇଣ୍ଡିଆ ଟୁଡେର ଜଣେ ସାମ୍ବାଦିକ ଲେଖିଛନ୍ତି, ବୋଧହୁଏ ବସୁନ୍ଧରା ପୁତୁରା ଜ୍ୟୋତିରାଦିତ୍ୟଙ୍କୁ କହୁଛନ୍ତି, ” ବ୍ୟସ୍ତ ହୁଅନା ପୁଅ, ଏଥର ନହେଲୁ ନାହିଁ, ଆର ଥରକୁ ନିଶ୍ଚୟ ମୁଖ୍ୟମନ୍ତ୍ରୀ ହେବୁ। ”
ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ନିଜ ପିଉସୀ ହେଉଛନ୍ତି ବସୁନ୍ଧରା ରାଜେ। ମଧ୍ୟପ୍ରଦେଶର ବିଧାନ ସଭା ନିର୍ବାଚନରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗ ଧରି ଦଳକୁ ବିଜୟୀ କରାଇଥିଲେ। ହେଲେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ନେତୃତ୍ୱରେ ବିଜେପି ଲଢିଥିଲେ ମଧ୍ୟ ଦଳ ସେଠାରେ ଶୋଚନୀୟ ପରାଜୟ ଲଭିଛି। ରାଜସ୍ଥାନରେ କଂଗ୍ରେସ ନେତା ଅଶୋକ ଗେହଲଟ୍ ଏବଂ ସଚିନ୍ ପାଇଲଟଙ୍କ ନେତୃତ୍ୱରେ ଦଳ ଜବରଦସ୍ତ ବିଜୟ ଲାଭ କରିଛି। ତେବେ ଆଜିର ଉତ୍ସବରେ ସଚିନ୍ ପାଇଲଟ୍ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
from Odisha Reporter https://ift.tt/2QZwU6q
No comments:
Post a Comment