
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ସ୍ୱଚ୍ଛ, ସବୁଜ ଓ ସୁସ୍ଥ ଦେଶ ପାଇଁ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ନୂତନ ପ୍ରବର୍ତ୍ତନ” – ଏଭଳି ଏକ ନୂଆ ଚିନ୍ତାଧାରାକୁ ନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଛି ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ। ଏହାକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଜ୍ଞାନ ମେଳା। ଏଥିରେ ବିଭିନ୍ନ ସମସ୍ୟାକୁ ଅନୁଧ୍ୟାନ କରି କିପରି ବିଜ୍ଞାନଭିତ୍ତିକ ସମାଧାନ କରାଯାଇ ପାରିବ ସେ ସଂପର୍କିତ ପ୍ରକଳ୍ପ ପ୍ରଦର୍ଶନ କରିବେ ଦେଶ ବିଦେଶର ୮ ଶହରୁ ଅଧିକ ଛାତ୍ରଛାତ୍ରୀ। ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଛାତ୍ରଛାତ୍ରୀଙ୍କ ମନରେ ବୈଜ୍ଞାନିକ ଚିନ୍ତାଧାରା ସୃଷ୍ଟି କରିବା ଦିଗରେ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ରେ ଆୟୋଜିତ ଏହି ଶିଶୁ ବିଜ୍ଞାନ କଂଗ୍ରେସରେ ୭ଟି ଉପସାଗରୀୟ ଦେଶ ଓ ୧୦ଟି ଏସୀୟ ଦେଶର ଛାତ୍ରଛାତ୍ରୀ ଭାଗ ନେଉଛନ୍ତି। ୮ ଶହରୁ ଅଧିକ ଛାତ୍ରଛାତ୍ରୀ ୮୦ଟି ପ୍ରକଳ୍ପ ଉପରେ କାମ କରିବେ। ଓଡ଼ିଶାର ୫୨ ଛାତ୍ରଛାତ୍ରୀ ୨୬ଟି ପ୍ରକଳ୍ପରେ ଅଂଶଗ୍ରହଣ କରୁଛନ୍ତି। ନ୍ୟାସନାଲ କାଉନ୍ସିଲ୍ ଫର୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କମ୍ୟୁନିକେସନ (NCSTC)ର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ଏହି ଅବସରରେ ବିଭିନ୍ନ ସାଂସ୍କତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ। ୨୦୦୫ ମସିହା ପରେ ଏବର୍ଷ ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଆୟୋଜିତ ହେଉଛି।
from Odisha Reporter http://bit.ly/2QXK2Kk
No comments:
Post a Comment