ଅପରାଜିତାଙ୍କ ନୂଆ ଅବତାର, କର୍ମୀଙ୍କୁ ପଢ଼ାଇଲେ ଅନୁଶାସନର ପାଠ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 19, 2018

ଅପରାଜିତାଙ୍କ ନୂଆ ଅବତାର, କର୍ମୀଙ୍କୁ ପଢ଼ାଇଲେ ଅନୁଶାସନର ପାଠ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସିଭିଲ୍ ସର୍ଭିସ୍ ଚାକିରି ଛାଡ଼ି ବିଜେପିରେ ସାମିଲ ହୋଇଥିବା ଆଇଏଏସ୍ ଅଫିସର ଅପରାଜିତା ଷଡ଼ଙ୍ଗୀ ଏବେ ପୂରା ଫର୍ମରେ ଅଛନ୍ତି। ବିଶୃଙ୍ଖଳିତ କର୍ମୀଙ୍କୁ ଅନୁଶାସନର ପାଠ ପଢ଼ାଇବା ସହ ଗୋଷ୍ଠୀବାଦରେ ଲିପ୍ତ ଥିବା କର୍ମୀମାନଙ୍କୁ ବିଜେପି ଛାଡ଼ି ଚାଲିଯିବା ପାଇଁ ସେ ଚେତାବନୀ ଦେଇଛନ୍ତି। ଦଳରେ ସାମିଲ ହେବାର ମାସେ ନପୁରୁଣୁ ଅପରାଜିତାଙ୍କ ଏଭଳି ଅବତାରକୁ ଦଳୀୟ ମହଲରେ ପ୍ରଶଂସା କରାଯାଇଥିବା ବେଳେ, ତାଙ୍କର ଏହି ଭିଡିଓ ଏବେ ସୋଶାଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ୩ ନମ୍ବର ଜୋନ୍‌ ଅନ୍ତର୍ଗତ ହାଡ଼ପଡ଼ାସ୍ଥିତ ମା’ ଦକ୍ଷିଣଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ବିଜେପି କର୍ମୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅପରାଜିତାଙ୍କ ସମେତ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀର କର୍ମୀ ଓ ନେତାମାନେ ଏକଜୁଟ ହୋଇଥିଲେ। ମାତ୍ର ସେଠାରେ ଦଳୀୟ ସଂଗଠନ ପ୍ରସଙ୍ଗରେ ପୂର୍ବତନ ବିଧାୟକ ଜିତୁ ମିତ୍ର ଓ କାଳୁଚରଣ ଖଣ୍ଡେଇତରାୟଙ୍କ ସମର୍ଥକଙ୍କ ମଧ୍ୟରେ ଯୁକ୍ତିତର୍କ ଓ କଥା କଟାକଟି ହୋଇଥିଲା। ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବାପରେ ଅପରାଜିତା ସେଠାରୁ ଉଠି ପଳାଇ ଆସିଥିଲେ।

ତେବେ ପରେ ଉଭୟ ଗୋଷ୍ଠୀର ଛାମୁଆ କର୍ମୀମାନେ ତାଙ୍କୁ ଅନୁରୋଧ କରି ବୈଠକ ସ୍ଥଳକୁ ନେଇଥିଲେ। ତା’ପରେ ବିଶୃଙ୍ଖଳିତ କର୍ମୀମାନଙ୍କୁ ଅପରାଜିତା ଅନୁଶାସନର ପାଠ ପଢ଼ାଇଥିଲେ। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଅପରାଜିତା କଠୋର ଆଭିମୁଖ୍ୟ ପୋଷଣ କରି କଡ଼ା ଭାଷାରେ ଦଳରେ ସାମାନ୍ୟତମ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଶୁଣାଇଥିଲେ।

ଅପରାଜିତା କହିଥିଲେ ଯେ, “ଆମେ ବାରମ୍ବାର ହାରି ଯାଉଛୁ ଏଇଟା କ’ଣ ସମସ୍ତଙ୍କୁ ଲଜ୍ଜା ଲାଗୁନି? ଆମେ କେମିତି ପ୍ରାର୍ଥୀଙ୍କୁ ଜିତାଇବା ଏହା ଚିନ୍ତା କରିବାର ଅଛି। କିନ୍ତୁ ଇଏ ତା’ ଲୋକ ସିଏ ତା’ ଲୋକ କାହିଁକି କୁହାଯାଉଛି? ଆପଣମାନେ କୁହନ୍ତୁ ଆମେ ସମସ୍ତେ ବିଜେପିର ଲୋକ। ଯିଏବି ଏମ୍‌ଏଲ୍‌ଏ ପ୍ରାର୍ଥୀ ହେବେ, ତାଙ୍କୁ ଜିତାଇବା ହେଉଛି ଆମ ସମସ୍ତଙ୍କର ଧର୍ମ ଓ କର୍ତବ୍ୟ। ମୁଁ ବି ସେମାନଙ୍କୁ ଅନୁରୋଧ କରିବି, ଯେଉଁମାନେ ୟା’ଙ୍କ ପାଖରେ ବା ତାଙ୍କ ପାଖରେ ଅଛନ୍ତି ସେମାନେ ପାର୍ଟି ଛାଡ଼ିଦିଅନ୍ତୁ। ସମସ୍ତେ ବିଜେପି ସାଙ୍ଗରେ ରହିବାର ଅଛି। କୌଣସି ଗୋଷ୍ଠୀ ନୁହେଁ, ବରଂ ସମସ୍ତେ ବିଜେପି ସାଙ୍ଗରେ ରହିବା ଉଚିତ୍। ମୋର ବିଜେପିରେ କେହି ଲୋକ ନାହାନ୍ତି। ମୁଁ ଆଜି ସତକଥା କହୁଛି। ମୁଁ କୌଣସି ଗ୍ରୁପ୍ କିମ୍ବା ଗୋଷ୍ଠୀର ନୁହେଁ। ମୁଁ ବିକାଶ ଆଭିମୁଖ୍ୟକୁ ଦେଖି ବିଜେପିରେ ସାମିଲ ହୋଇଛି। ଆଦରଣୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କଠୁ ପ୍ରେରଣା ପାଇ ମୁଁ ବିଜେପିକୁ ଆସିଛି। ମୁଁ ମିଡିଆରେ କହିଛି ଓ ସମସ୍ତଙ୍କ ସାମ୍ନାରେ କହିଛି। ଆଗାମୀ ୨୫ ବର୍ଷ କି ୩୦ ବର୍ଷ ଦେଖିବେ ମୁଁ କୌଣସି ଗୋଷ୍ଠୀ କିମ୍ବା କୌଣସି ବ୍ୟକ୍ତିଙ୍କ ସହ ନଥିବି।”

ଅପରାଜିତା କହିବା ସମୟରେ କେତେକ ଉଚ୍ଚ ସ୍ୱରରେ କଥାବାର୍ତ୍ତା କରୁଥିବାରୁ ସେମାନଙ୍କୁ ଚୁପ୍ ରହିବାକୁ ମଧ୍ୟ ତାଗିଦ୍ କରିବାକୁ ପଛାଇ ନଥିଲେ। ସାଂଗଠନିକ କାର୍ଯ୍ୟରେ ଅପରାଜିତାଙ୍କ ଏଭଳି କାର୍ଯ୍ୟଶୈଳୀ ଏବେ ଦଳୀୟ ନେତା ଓ କର୍ମୀଙ୍କ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ବିଜେଡି ପ୍ରତି ଲୋକ ଅସନ୍ତୁଷ୍ଟ ଥିଲେ ମଧ୍ୟ ରାଜ୍ୟ ବିଜେପିରେ ଚାଲିଥିବା ଗୋଷ୍ଠୀକନ୍ଦଳ ଯୋଗୁ ତା’ର ଫାଇଦା ଦଳ ନେଇପାରୁ ନଥିବା ଅପରାଜିତା ଖୁବ କମ୍ ସମୟ ଭିତରେ ଅନୁଭବ କରିସାରିଲେଣି। ତେଣୁ ସେ ଗୋଷ୍ଠୀବାଦରୁ ଉପରକୁ ଉଠି ଦଳର ସ୍ୱାର୍ଥ ପାଇଁ କାମ କରିବା ନିମନ୍ତେ ଏବେ ବିଶୃଙ୍ଖଳିତ କର୍ମୀମାନଙ୍କୁ ତାଗିଦ୍ କରିବା ଆରମ୍ଭ କରିଛନ୍ତି। ଚଳିତମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତବେଳେ ଅପରାଜିତାଙ୍କୁ ମଧ୍ୟ ଅଧିକ ଗୁରୁତ୍ୱ ମିଳିବାର ସମ୍ଭାବନା ରହିଛି। ଯାହାର ଆଭାସ ନିକଟରେ ଦଳୀୟ ସମୀକ୍ଷା ବୈଠକ ଓ କାର୍ଯ୍ୟକ୍ରମସ୍ଥଳୀର ପ୍ରସ୍ତୁତିରେ ଅପରାଜିତାଙ୍କୁ ମିଳୁଥିବା ଗୁରୁତ୍ୱରୁ ସ୍ପଷ୍ଟ ବୁଝାପଡ଼ୁଛି।

ଉଲ୍ଲେଖଯୋଗ୍ୟ, ଅପରାଜିତା ଏବେ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ପଦଯାତ୍ରା ଓ ଘରକୁ ଘର ବୁଲି କ୍ୟାମ୍ପେନ୍ କରିବା ସହ ନିୟମିତ ଭାବେ ଦଳୀୟ କର୍ମୀଙ୍କ ସଙ୍ଗେ ବୈଠକ କରୁଛନ୍ତି।



from Odisha Reporter https://ift.tt/2PP1dIg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages