
ମେଲବର୍ଣ୍ଣ: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍ରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଇନିଂସ୍ରେ ୬ଟି ୱିକେଟ୍ ଦଖଲ କରି ୩୯ ବର୍ଷ ତଳେ ସୃଷ୍ଟି ହୋଇଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।
ଏଥିସହ ବୁମ୍ରା ଅଷ୍ଟ୍ରେଲିଆ ମାରକସ୍ ହ୍ୟାରିସ୍, ଶନ୍ ମାର୍ଶ, ଟ୍ରାଭିସ୍ ହେଡ୍, ଟିମ୍ ପେନ୍, ନେଥନ ଲାୟନ ଓ ଜୋଶ ହେଜେଲେଉଡ୍ଙ୍କୁ ଆଉଟ୍ କରି ଏସିଆ ମହାଦେଶର ପ୍ରଥମ କ୍ରିକେଟର ଭାବେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକାରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଥର ୫ବା ତାଠାରୁ ଅଧିକ ୱିକେଟ୍ ନେବାର ବିରଳ ସଫଳତା ହାସଲ କରିଛନ୍ତି।
ସେହିପରି ୨୫ ବର୍ଷୀୟ ବୁମ୍ରା ଅଷ୍ଟ୍ରେଲିଆ ମାଟିରେ ନିଜ ଟେଷ୍ଟ କ୍ୟାରିୟରର ଶ୍ରେଷ୍ଠ ବୋଲିଂ (୬/୩୩) ପ୍ରଦର୍ଶନ କରିଛନ୍ତି। ପୂର୍ବରୁ ୫/୫୪ ବୁମ୍ରାଙ୍କ ଟେଷ୍ଟ କ୍ୟାରିୟରର ବେଷ୍ଟ ଫିଗର ଥିଲା। ସେ ଚଳିତ ବର୍ଷ ଜାନୁଆରୀରେ ଦକ୍ଷିଣ ଆଫ୍ରିକା ବିରୋଧରେ ଏଭଳି ପ୍ରଦର୍ଶନ କରିଥିଲେ।
ଚଳିତ ବର୍ଷ ଜାନୁଆରୀରେ ବୁମ୍ରା ଡେବ୍ୟୁ କରିଥିଲେ। ଡେବ୍ୟୁ ବର୍ଷରେ ୪୫ଟି ୱିକେଟ୍ ଦଖଲ କରିବାରେ ବୁମ୍ରା ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି। ବୁମ୍ରାଙ୍କ ପୂର୍ବରୁ ୧୯୭୯ରେ ଦିଲ୍ଲୀପ ଦୋଶୀ ତାଙ୍କ ଡେବ୍ୟୁ ବର୍ଷରେ ୪୦ଟି ୱିକେଟ୍ ଦଖଲ କରିଥିଲେ। କିନ୍ତୁ ବୁମ୍ରା ଏହାକୁ ଭାଙ୍ଗି ଦେଇଛନ୍ତି। ଏହି ତାଲିକାର ତୃତୀୟ ସ୍ଥାନରେ ଭେଙ୍କଟେଶ ପ୍ରସାଦ ୩୭ଟି ୱିକେଟ (୧୯୯୬), ୪ର୍ଥ ସ୍ଥାନରେ ନରେନ୍ଦ୍ର ହିରୱାନୀ ୩୬ଟି ୱିକେଟ(୧୯୮୮) ଓ ଏସ୍ ଶ୍ରୀସାନ୍ତ ୩୫ଟି ୱିକେଟ(୨୦୦୬) ସହ ୫ମ ସ୍ଥାନରେ ରହିଛନ୍ତି।
ଚଳିତ ବର୍ଷ ବୁମ୍ରା ୪୫ଟି ୱିକେଟ୍ ନେଇ ମହମ୍ମଦ ଶାମିଙ୍କ ସହ ଯୁଗ୍ମ ଭାବେ ଭାରତ ପାଇଁ ପ୍ରଥମ ସ୍ଥାନରେ ରହିଛନ୍ତି।
ବୁମ୍ରାଙ୍କ ଏହି ଘାତକ ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସ୍ରେ ମାତ୍ର ୧୫୧ ରନ୍ କରିବାକୁ ସକ୍ଷମ ହୋଇଥିଲା।
ବୁମ୍ରାଙ୍କ ଏଭଳି ସଫଳତା ପରେ ବିରାଟ୍ କୋହଲି ପଡ଼ିଆ ମଝିରେ ନିଜ କ୍ୟାପ୍ ଖୋଲି ସମ୍ମାନ ଜଣାଇଥିଲେ।
from Odisha Reporter http://bit.ly/2VcLqac
No comments:
Post a Comment