କୃଷିଋଣ ପ୍ରସଙ୍ଗ: ଦୋଛକିରେ ନବୀନ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

କୃଷିଋଣ ପ୍ରସଙ୍ଗ: ଦୋଛକିରେ ନବୀନ ସରକାର

farmer

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀ ସମସ୍ୟା ହିଁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ବିଧାନସଭା ନିର୍ବାଚନରେ ବିଜେପି ହାରିବାର କାରଣ ବୋଲି କେବଳ ରାଜନୀତିକ ବିଶେଷଜ୍ଞମାନେ ନୁହନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ ଦେଇଛନ୍ତି। ଏପରି ସ୍ଥିତିରେ ଓଡ଼ିଶାରେ ଚାଷୀ ଅସନ୍ତୋଷ ଓ କୃଷିଋଣକୁ ନେଇ ଚିନ୍ତାରେ ଥିବା ରାଜ୍ୟ ସରକାରଙ୍କ ନିଦ ହଜି ଯାଇଛି। ସ୍ଥିତି ଏମିତି ହୋଇଛି ଯେ, ରାଜ୍ୟ ସରକାରଙ୍କ ତଣ୍ଟିରେ କୃଷିଋଣ କଣ୍ଟା ହୋଇ ଲାଗିଛି। ଋଣ ଛାଡ଼ କଲେ ଆର୍ଥିକ ବୋଝ, ନକଲେ ନିର୍ବାଚନରେ ପ୍ରତିକୁଳ ପ୍ରଭାବର ଭୟ। ଏହାକୁ ନେଇ ଏବେ ଦୋଛକିରେ ଛିଡ଼ା ହୋଇଛି ନବୀନ ସରକାର।

ଋଣ ଛାଡ଼ ନେଇ ଦେଢ ବର୍ଷ ତଳେ ଖୋଦ ମୁଖ୍ୟମନ୍ତ୍ରୀ ଇଙ୍ଗିତ ଦେଇଥିଲେ। ତେବେ ଏପରି ସ୍ଥଳେ ରାଜକୋଷ ଉପରେ ୨୬ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ ବୋଲି ହିସାବ କରାଯିବା ପରେ ଧିମେଇ ଯାଇଥିଲେ ସରକାର। ଏବେ ଋଣ ଛାଡ଼ ଚର୍ଚ୍ଚା ଜୋର ଧରିଥିବା ବେଳେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି।

ଅନ୍ୟପକ୍ଷରେ କେଉଁ ଋଣ ଛାଡ଼ କଲେ କେତେ ଖର୍ଚ୍ଚ ହେବ ତାହାର ହିସାବନିକାଶର ଦସ୍ତାବିଜ ଆମର ହସ୍ତଗତ ହୋଇଛି।

୨୦୧୭ ଏପ୍ରିଲ୍‌ ୫ ତାରିଖରେ ନବୀନ କୃଷିଋଣ ଛାଡ଼ ହେବା ନେଇ ଇଙ୍ଗିତ କରିବାର ଦିନକ ପରେ ଅର୍ଥାତ ଏପ୍ରିଲ୍‌ ୬ ତାରିଖରେ ‘କୃଷିଋଣ ଛାଡ଼ ନେଇ ଶୀଘ୍ର ନିଷ୍ପତ୍ତି ହେବ’ ବୋଲି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ। ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କ ଏ ଦୁଇ ପଦ କଥା ଚାଷୀକୁଳକୁ ଆଶ୍ୱସ୍ତି ଆଣି ଦେଇଥିଲା। ତେବେ ଏ ପ୍ରତିଶ୍ରୁତି ବାସ୍ତବ ରୂପ ନେଲାନି। ସରକାରୀ ହିସାବନିକାଶର ଚକ୍ରବ୍ୟୁହରେ ଫସି ଗଲା କୃଷିଋଣ ଛାଡ଼ ପ୍ରସ୍ତାବ। ଏହାର ପାଖାପାଖି ବର୍ଷକ ପରେ ସମବାୟ ମନ୍ତ୍ରୀ ବିଧାନସଭାରେ କହିଲେ କୃଷିଋଣ ଛାଡ଼ ପାଇଁ କୌଣସି ପ୍ରସ୍ତାବ ନାହିଁ। ଆଉ ଏବେ ଏ ପ୍ରଶ୍ନକୁ ସିଧା ଟାଳିଦେଉଛନ୍ତି ଉଭୟ କୃଷି ଓ ସମବାୟ ମନ୍ତ୍ରୀ।

ଏବେ ପ୍ରଶ୍ନ ଉଠୁଛି କାହିଁକି ପଛଘୁଞ୍ଚା ଦେଲେ ସରକାର? ଆର୍ଥିକ ବୋଝ ସମ୍ଭାଳିବା ସ୍ଥିତିରେ ନାହାନ୍ତି କି ସରକାର?

ସରକାର କରିଥିବା ହିସାବ ଅନୁସାରେ କୋଅପରେଟିଭ ଓ ଅନ୍ୟ ବ୍ୟବସାୟିକ ବ୍ୟାଙ୍କରୁ  ୪୬ ଲକ୍ଷ ୭୨ ହଜାର ଚାଷୀ ୨୦ ହଜାର କୋଟି ଟଙ୍କାର କ୍ରପ୍ ଲୋନ୍ ନେଇଛନ୍ତି। ଟର୍ମଲୋନ୍‌ ବାବଦକୁ ୭ ଲକ୍ଷ ୫୧ ହଜାର ଚାଷୀଙ୍କ ଉପରେ ୬ ହଜାର ୫୩୪ କୋଟିର ବକେୟା ରହିଛିା ତେଣୁ ସମୁଦାୟ ଋଣ ଛାଡ଼ କଲେ ୨୬ ହଜାର ୬୦୬ କୋଟିର ବୋଝ ପଡ଼ିବ। ୧୦ ହଜାରରୁ  ୫୦ ହଜାର ପର୍ଯ୍ୟନ୍ତ କ୍ରପଲୋନ୍‌ ଛାଡ଼ କଲେ ସରକାରଙ୍କୁ ୨୦ ହଜାର ୧୪୫ କୋଟି ଟଙ୍କାର ଆର୍ଥିକ ବୋଝ ସହିବାକୁ ପଡିବ। ଯେଉଁମାନେ ଋଣ ପରିଷଶୋଧରେ ଖିଲାଫ କରୁନାହାନ୍ତି ସେମାନଙ୍କୁ ସର୍ବାଧିକ ୫୦ ହଜାର ପର୍ଯ୍ୟନ୍ତ ଛାଡ଼ କଲେ ମୋଟ ୧୨ ହଜାର ୫୩୫ କୋଟି ଖର୍ଚ୍ଚ ହେବ। ତେବେ କୁହାଯାଉଛି ଭାରୀ ଆର୍ଥିକ ବୋଝକୁ ଦେଖି ବୋଧହୁଏ ସରକାର ନିଷ୍ପତ୍ତିକୁ ଘୁଞ୍ଚାଇ ଦେଇଛନ୍ତି।

ଏପଟେ କିନ୍ତୁ ଋଣଛାଡ଼ ପାଇଁ ଘୋଷଣା କରିସାରିଥିବାରୁ ଆର୍ଥିକ ବୋଝକୁ ମୁକାବିଲା ପାଇଁ ବାଟ କାଢ଼ିଛି କଂଗ୍ରେସ। ବିଜେପି ମଧ୍ୟ କୃଷିଋଣ ଛାଡ଼ ପାଇଁ ଘୋଷଣା କରିଛି, ହେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କିନ୍ତୁ ହିସାବ ଗଣିତରେ ଘାଣ୍ଟି ହେବାକୁ ଚାହୁଁନାହାନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “୨୬ ହଜାର କୋଟି ହେଉ କି ୧୦୦ କୋଟି ହେଉ। ଆମେ ନିଷ୍ପତ୍ତି ନେଇଛୁ ମାନେ ଏହା କରିବୁ। ନିଶ୍ଚିତ ଭାବେ ଏହାକୁ କାର୍ଯ୍ୟକାରୀ କରାଯିବ।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, “ଏଠାରେ କୃଷକଙ୍କ ଅବସ୍ଥା ବହୁତ ଖରାପ ଅଛି। ହେଲେ ଏ ବିଷୟରେ ମୁଁ କିଛି କହିପାରିବି ନାହିଁ। କୃଷିମନ୍ତ୍ରୀ ଅଛନ୍ତି, ସେ କହିପାରିବେ।”

କୃଷି ଋଣକୁ ନେଇ ୩ ପ୍ରମୁଖ ହିନ୍ଦୀ ଭାଷାଭାଷୀ ରାଜ୍ୟରେ ବିଜେପି ହାରିଲା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ମୁଣ୍ଡରେ ୯୦ ହଜାର କୋଟିର ଋଣ ଭାର ଥିବା ବେଳେ କୃଷିରଣ ଛାଡ଼ ଲାଗି କେମିତି ବାଟ କାଢ଼ିବେ ନବୀନ ? ଏବେ ରାଜ୍ୟ ସରକାରଙ୍କ ତଣ୍ଟିରେ କଣ୍ଟା ହୋଇ ଲାଗିଛି ଏହି କୃଷିଋଣ ପ୍ରସଙ୍ଗ। ଗିଳିଲେ ବିପଦ, କାଢ଼ିଲେ ବି ବିପଦ। ସେଥିପାଇଁ ଆଗକୁ ବଢୁଥିବା ପାଦକୁ ଆର୍ଥିକ ଶୃଙ୍ଖଳାର ଛାଟ ପଛକୁ ଟାଣୁଛି।



from Odisha Reporter https://ift.tt/2EmRXsY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages