
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଟିଭି ସାମ୍ବାଦିକଙ୍କୁ ନବୀନ ନିବାସ ଗେଟ୍ ସମ୍ମୁଖରେ ସୁରକ୍ଷାକର୍ମୀମାନେ ଠେଲାପେଲା କରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଓଟିଭି ପ୍ରତିନିଧି ଅର୍ଚ୍ଚନା ଶତପଥୀ ଆଜି ଖବର ସଂଗ୍ରହ ଲାଗି ନବୀନ ନିବାସକୁ ଯାଇଥିବା ବେଳେ ତାଙ୍କୁ ଗେଟ୍ ଭିତରକୁ ଛଡ଼ାଯାଇ ନଥିଲା। ଗେଟ୍ରେ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ ଅର୍ଚ୍ଚନା ଓ ଭିଡିଓ ଜର୍ନାଲିଷ୍ଟ ସନ୍ତୋଷ ତରାଇଙ୍କୁ ଅଟକାଇଥିଲେ।
ଗତକାଲି କଂଗ୍ରେସ ଛାଡ଼ିଥିବା ପ୍ରଣୟ ସାହୁ ଆଜି ବିଜେଡିରେ ଯୋଗଦେବା ଲାଗି ନବୀନ ନିବାସ ଆସିଥିଲେ। ଏସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ହ୍ୱାଟସ୍ ଆପ୍ ଗ୍ରୁପ୍ରେ ସୂଚନା ଦିଆଯାଇଥିଲା। ଏହି ସୂଚନା ଆଧାରରେ ଓଟିଭି ପ୍ରତିନିଧି ଅନ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ନବୀନ ନିବାସ ଯାଇଥିଲେ। ତେବେ ସେଠାରେ ତାଙ୍କୁ ଦୁର୍ବ୍ୟବହାର କରାଯିବା ସହ ଭିଚରକୁ ଛଡ଼ାଯାଇନଥିଲା।
ଓଟିଭି ସାମ୍ବାଦିକଙ୍କୁ ଭିତରକୁ ନଛାଡ଼ିବାକୁ ଉପରୁ ନିର୍ଦ୍ଦେଶ ଥିବା ସୁରକ୍ଷାକର୍ମୀ କହିଥିଲେ। ହେଲେ ସେମାନଙ୍କୁ କିଏ ଏପରି ନିର୍ଦ୍ଦେଶ ଦେଇଛି ତାହା କହିନଥିଲେ।
ଏ ସମ୍ପର୍କରେ ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦଙ୍କ ପଚରାଯିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ।
ସୂଚନାଯୋଗ୍ୟ, ଓଟିଭିର ପ୍ୟାନେଲ୍ ଡିସକସନକୁ ବୟକଟ୍ କରିବା ଲାଗି ଗତବର୍ଷ ମାର୍ଚ୍ଚ ୨୧ ତାରିଖରେ ବିଜେଡି ଘୋଷଣା କରିଥିଲା। ଏହାସତ୍ତ୍ୱେ ନବୀନ ନିବାସ ଓ ନବୀନ ନିବାସ ବାହାରେ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମକୁ ଓଟିଭି ଟିକିନିଖି ଭାବେ କଭରେଜ୍ ଦେବା ସହ ନିରପେକ୍ଷ ଭାବେ ପ୍ରସାରଣ କରିଆସୁଛି।
ତେବେ କିଛିଦିନ ହେଲା ଦଳୀୟ କାର୍ଯ୍ୟକ୍ରମ ସମୟରେ ବି ଓଟିଭି ପ୍ରତିନିଧିଙ୍କୁ ନବୀନ ନିବାସରେ ପ୍ରବେଶ ଲାଗି ଅନୁମତି ଦିଆଯାଉନାହିଁ। ଏଠାରେ ପ୍ରଶ୍ନ ଉଠୁଛି ଏହା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନା ଦଳର କିଛି ନେତା ତାଙ୍କ ଅଗୋଚରରେ ଏଭଳି କରୁଛନ୍ତି ? ଏଥିପାଇଁ କାହାର ନିର୍ଦ୍ଦେଶ ରହିଛି ? ଏହା ପଛରେ କି ଉଦ୍ଦେଶ୍ୟ ରହିଛି ? ଏହାଦ୍ୱାରା ରାଜ୍ୟର ସବୁଠୁ ଅଧିକ ଲୋକପ୍ରିୟ ନ୍ୟୁଜ୍ ଚ୍ୟାନେଲ୍ ଓଟିଭିର ଉଦ୍ଦେଶ୍ୟମୂଳକ ଭାବେ କଣ୍ଠରୋଧ କରାଯାଉନାହିଁ କି ?
from Odisha Reporter http://bit.ly/2RJeLeq
No comments:
Post a Comment