
ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନର ତାରିଖ ଆସନ୍ତା ମାର୍ଚ୍ଚ ମାସରେ ଘୋଷଣା ହେବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ସୂଚନାଯୋଗ୍ୟ ଯେ, ଜୁନ୍ ମାସ ୩ ତାରିଖରେ ବର୍ତ୍ତମାନର ଲୋକସଭାର ଅବଧି ସରୁଛି। ଲୋକସଭା ନିର୍ବାଚନ ବ୍ୟତୀତ ଚଳିତ ବର୍ଷ ଓଡ଼ିଶା ସମେତ ୫ଟି ରାଜ୍ୟରେ ମଧ୍ୟ ବିଧାନସଭା ନିର୍ବାଚନ ହେବ। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକ୍କିମ୍ ଏବଂ ଅରୁଣାଚଳ ପ୍ରଦେଶ ଆଦି ରାଜ୍ୟରେ ଦୁଇଟିଯାକ ନିର୍ବାଚନ ଏକାଠି ହେବ।
ପ୍ରକୃତରେ ଜମ୍ମୁ କଶ୍ମୀରର ବିଧାନସଭା ଅବଧି ମାର୍ଚ୍ଚ ମାସ ୨୦୨୧ରେ ସରିବାର ଥିଲେ ମଧ୍ୟ ବିଧାନସଭା ଭଙ୍ଗ କରାଯାଇଥିବାରୁ ନିର୍ବାଚନ କମିଶନ ଆସନ୍ତା ୬ ମାସରେ ଏହାର ନିର୍ବାଚନ କରାଇବେ। ସିକ୍କିମ୍ ବିଧାନସଭାର ଅବଧି ମେ ୨୭ ତାରିଖରେ ସରିବାକୁ ଥିବାବେଳେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଅରୁଣାଚଳପ୍ରଦେଶ ବିଧାନସଭାର ଅବଧି ଯଥାକ୍ରମେ ଜୁନ୍ ୧୧,୧୮ ଏବଂ ୧ ତାରିଖରେ ସରିବ।
ଜାତୀୟ ନ୍ୟୁଜ୍ ଏଜେନ୍ସି ପିଟିଆଇ ପ୍ରକାଶ କରିଥିବା ଖବର ଅନୁଯାୟୀ, କମିଶନ୍ ବର୍ତ୍ତମାନ ନିର୍ବାଚନର ବିଭିନ୍ନ ଫେଜ୍ ଏବଂ ତାରିଖ ବାବଦରେ ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ଅଛନ୍ତି।
ସୁରକ୍ଷା ବାହିନୀଙ୍କ ଉପଲବ୍ଧି ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ଫେଜ୍ରେ ଏହି ନିର୍ବାଚନ କରାଯିବ। ଏଥିପାଇଁ ନିଷ୍ପତ୍ତି ନେବା ପ୍ରକ୍ରିୟା ସରିବା ପରେ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ହିଁ ଏହି ଘୋଷଣା ହେବାର ସମ୍ଭାବନା ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ୨୦୧୪ ମସିହାରେ ମାର୍ଚ୍ଚ ୫ ତାରିଖରେ ଘୋଷଣା ହୋଇଥିଲା ନିର୍ବାଚନ ତାରିଖ। ଏପ୍ରିଲ ଓ ମେ ମାସରେ ୯ଟି ପ୍ରର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ଏପ୍ରିଲ ୭ ତାରିଖରେ ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନ ହୋଇଥିବାବେଳେ ୧୨ ତାରିଖ ଏହି ନିର୍ବାଚନର ଶେଷ ପର୍ଯ୍ୟାୟ ତାରିଖ ଥିଲା।
ଲୋକସଭା ଏବଂ ବିଧାନସଭା ନିର୍ବାଚନ ତାରିଖ ନେଇ ସୋଶାଲ ମିଡିଆରେ ଭୁଲ ଖବର ଭାଇରାଲ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୁଲିସ୍ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିବାପାଇଁ ଏହା ପୂର୍ବରୁ ନିର୍ବାଚନ କମିଶନ ଦିଲ୍ଲୀରେ ଅବସ୍ଥାପିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୁଲିସ୍ ତ୍ୱରିତ ଭାବରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଦର୍ଶାଇ ଦିଲ୍ଲୀ ପୁଲିସ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।
ଭାଇରାଲ ହୋଇଥିବା ଏକ ରିପୋର୍ଟରେ କୁହାଯାଇଥିଲା ଏପ୍ରିଲ ୭ ତାରିଖରୁ ନିର୍ବାଚନ ଆରମ୍ଭ ହୋଇ ମେ ୧୭ ତାରିଖରେ ସରିବ। ନିର୍ବାଚନ କମିଶନ୍ ଏହି ଖବରକୁ ଖଣ୍ଡନ କରିବା ସହିତ ଏହା ବିରୋଧରେ ପୁଲିସ୍ରେ ଅଭିଯୋଗ କରିଥିଲେ।
୧୦ ଲକ୍ଷ ପୋଲିଂ ଷ୍ଟେସନ୍ରେ ଭିଭିପ୍ୟାଟ୍ ଯୋଗାଣ କରାଯିବା ସହ ଠିକ୍ ସମୟରେ ଇଭିଏମ୍ ଯୋଗାଇ ଦିଆଯିବ ବୋଲି ନିର୍ବାଚନ କମିଶନ୍ କହିଛନ୍ତି।
from Odisha Reporter http://bit.ly/2FHQnm2
No comments:
Post a Comment