
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ତିନିଦିନିଆ ରାଜାରାଣୀ ସଙ୍ଗୀତ ମହୋତ୍ସବ ଆଜି ଏକାଦଶ ଶତାବ୍ଦୀରେ ନିର୍ମିତ ପ୍ରସିଦ୍ଧ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଉଦଘାଟିତ ହୋଇଯାଇଛି।
ଆଜି ସନ୍ଧ୍ୟାର ପ୍ରଥମ ଶିଳ୍ପୀଥିଲେ ଆନ୍ତର୍ଜାଜୀୟ ଖ୍ୟାତି ସମ୍ପନ୍ନ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ଗାୟିକା ଅରୁଣା ସାଇରାମ। ସେ କର୍ଣ୍ଣାଟକୀ ସଙ୍ଗୀତର ବିଭିନ୍ନ ରାଗ ଓ ତାଳକୁ ନେଇ ସଙ୍ଗୀତ ପରିବେଷଣ କରିଥିଲେ। ସେ ପ୍ରଥମେ ରାଗ ହଂସଧ୍ୱନୀ ଏବଂ ଆଦିତାଳରେ ଅମୃତ ବର୍ଷିଣୀ ପରେ ଅଷ୍ଟପଦୀ ପରିବେଷଣ କରିଥିଲେ। ତାଙ୍କର ପ୍ରସ୍ତୁତିରେ ଥିଲା ଓଡ଼ିଆ ଭଜନ ଜଗନ୍ନାଥସ୍ୱାମୀ ନୟନପଥଗାମୀ, ଥକାମନ ଚାଲଯିବା ଚକାନୟନ ଦେଖିବା ଇତ୍ୟାଦି। କାର୍ଯ୍ୟକ୍ରମ ଭିତରେ ସେ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ ସହିତ ଓଡ଼ିଆ ଭଜନ ଗାନ କରି ଉପସ୍ଥିତ ଶ୍ରୋତାମାନଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲେ। ତାଙ୍କୁ ବେହେଲାରେ ବି.ଆର ରାଓ, ମୃଦଙ୍ଗମରେ କେ. ବି ପ୍ରସାଦ ଏବଂ ଘଟମରେ ଏସ.ବି.ରମଣୀ ସହଯୋଗ କରିଥିଲେ।
ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ପ୍ରବୀନ ଗଡ଼ଖିଣ୍ଡିଙ୍କ ବଂଶୀବାଦନ। ବିଭିନ୍ନ ରାଗ ଓ ତାଳକୁ ନେଇ ତାଙ୍କର ବଂଶୀ ବାଦନ ବେଶ ହୃଦୟସ୍ପର୍ଶୀ ଥିଲା। ତାଙ୍କୁ ବଂଶୀବାଦନରେ ସହଯୋଗ କରିଥିଲେ ତାଙ୍କ ପୁତ୍ର ସରଜ ଗଡ଼ଖିଣ୍ଡି ଏବଂ ତବଲାରେ ଓଜସ ଆଧ୍ୟା।
ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା; ରାଜ୍ୟ ପର୍ଯ୍ୟଟନ ସଚିବ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ଡ. ବିଜୟ କୁମାର ଜେନା ଆଜି ସନ୍ଧ୍ୟାର ଅତିଥି ହୋଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ. ସଙ୍ଗୀତା ଗୋସାଇଁ ଏବଂ ଡ. ଭେଦୁଲା ରାମଲକ୍ଷ୍ମୀ।
ଭାରତର ଶାସ୍ତ୍ରୀୟ ତଥା ପାରମ୍ପରିକ ସଙ୍ଗୀତକୁ ଗୋଟିଏ ମଞ୍ଚରେ ପ୍ରଦର୍ଶନ କରାଇ ଆଗାମୀ ପିଢ଼ିର କଳାକାରମାନଙ୍କୁ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ରୁଚି ବଢ଼ାଇବା ସହିତ ଏହି କଳାର ପ୍ରଚାର ପ୍ରସାର କରାଇବା ରାଜାରାଣୀ ସଙ୍ଗୀତ ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ଏହା ବ୍ୟତୀତ ମନ୍ଦିରମାଳିନୀ ଭୁବନେଶ୍ୱରରେ ରାଜାରାଣୀ ମନ୍ଦିର ପରି ଏକ ରମଣୀୟ ସ୍ଥାପତ୍ୟ କଳାରେ ପରିପୂର୍ଣ୍ଣ ମନ୍ଦିରକୁ ରାଜ୍ୟବାହାରୁ ତଥା ବିଦେଶରୁ ସଙ୍ଗୀତ ପ୍ରେମୀ ବିଧଗ୍ଧ ଶ୍ରୋତା ଓ ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରାଇବା ମଧ୍ୟ ଏହାର ଅନ୍ୟତମ ଉଦ୍ଦେଶ୍ୟ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
from Odisha Reporter http://bit.ly/2T3ZfX2
No comments:
Post a Comment