
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଜେ ଚେଲମେଶ୍ୱରଙ୍କୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ବିଚାରପତି ପଦରୁ ଅବସର ଗ୍ରହଣ କରିବା ପରେ ସେ କ’ଣ କରୁଛନ୍ତି, ସେକଥା ଜାଣିବାକୁ ସମସ୍ତଙ୍କ ମନରେ ନିଶ୍ଚୟ ଆଗ୍ରହ ସୃଷ୍ଟି ହେଉଥିବ। ତେବେ ଆପଣ କେବେ ଭାବିଛନ୍ତି କି ସୁପ୍ରିମକୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଭାବେ ଦାୟିତ୍ୱ ସମ୍ପାଦନ କରି ସାରିଥିବା ଜଷ୍ଟିସ୍ ଚେଲେମେଶ୍ୱର ଚାଷ କାମ କରୁଥିବେ? ହଁ ଅବସର ନେବା ପରେ ଜଷ୍ଟିସ୍ ଚେଲେମେଶ୍ୱର ନିଜ ଗାଁରେ ଚାଷ କାମ କରୁଥିବା ଏକ ସାକ୍ଷାତକାରରେ କହିଛନ୍ତି।
ସେ କହିଛନ୍ତି, “ ଭାରତ ସରକାର ଠିକ୍ ସେ କାମ କରୁଛି କି ନାହିଁକି କିମ୍ବା ସୁପ୍ରିମକୋର୍ଟ ଠିକ୍ ସେ କାମ କରୁଛି କି ନାହିଁ ସେଥିରେ ମୋ ପାଇଁ କିଛି ଫରକ ପଡ଼ୁନାହିଁ। ମୁଁ ମୋ ରାଜ୍ୟ ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲା ସ୍ଥିତ ମୋ ପୈତୃକ ଗାଁରେ ବେଶ ଶାନ୍ତିରେ ଜୀବନ ବିତାଉଛି। ସେଠାରେ ନା ସଂସଦ ଅଛି ନା ସୁପ୍ରିମକୋର୍ଟ। ମୁଁ ମୋ ଗାଁରେ ଥିବା ଜମିରେ ଚାଷ କାମ କରୁଛି। ମୋ ପାଇଁ ଖାଦ୍ୟ ପାଇବା ସମସ୍ୟା ନୁହେଁ। ପେଟ ପୂରିବା ପାଇଁ ଆବଶ୍ୟକ ଖାଦ୍ୟ ମୁଁ ଚାଷ କରି ପାଇଯାଉଛି। ଯଦି କେହି ମୋ ପେନସନ୍ ଅଟକାଇ ଦିଏ, ତଥାପି ବି କିଛି ବି ଫରକ ପଡ଼ିବ ନାହିଁ।”
ଗତବର୍ଷ ଜାନୁଆରୀ ୧୨ ତାରିଖରେ ଜଷ୍ଟିସ୍ ଚେଲମେଶ୍ୱରଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ଅନ୍ୟ ୩ ଜଣ ବରିଷ୍ଠ ବିଚାରପତି ନ୍ୟାୟପାଳିକା ଇତିହାସରେ ପ୍ରଥମଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସେମାନେ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ପାତରଅନ୍ତର ନୀତିକୁ ସମାଲୋଚନା କରିବା ସହ ସୁପ୍ରିମକୋର୍ଟ ବାହ୍ୟ ଶକ୍ତି ଦ୍ୱାରା ପରିଚାଳିତ ହେଉଛି ବୋଲି ଅଭିଯୋଗ କରିଥିଲେ।
ଏବେ ମଧ୍ୟ ଜଷ୍ଟିସ୍ ଚେଲମେଶ୍ୱର ସେହି ପ୍ରସଙ୍ଗ ଉଠାଇ କହିଛନ୍ତି, “ଆମେ ଯେଉଁ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ବିବାଦୀୟ ହୋଇଥିଲୁ, ଆଜି ବି ସୁପ୍ରିମକୋର୍ଟରେ ସେହି ସମସ୍ୟା ରହିଛି। ମୁଁ କହୁନି ମୋର ସବୁ କଥା ଠିକ୍। କିନ୍ତୁ କ’ଣ ଭୁଲ, ସେକଥା ଉଠାଇବା ମୋର କର୍ତ୍ତବ୍ୟ।”
from Odisha Reporter http://bit.ly/2M9w6ap
No comments:
Post a Comment