
ଖୋର୍ଦ୍ଧା (ବଳରାମ ଲେଙ୍କା): ଟିମ୍ଓ୍ୱାର୍କ, ଟ୍ରାନ୍ସପାରେନ୍ସି ଓ ଟେକ୍ନୋଲୋଜି(ଥ୍ରୀ ଟି)କୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ। ଆଉ ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ସାଧାରଣ ପ୍ରଶାସନ ବିଭାଗ ଚିଠି ମଧ୍ୟ ଲେଖିଥିଲା। ଏହା ପରେ ରାଜ୍ୟରୁ ଦୁର୍ନୀତି ପରି କ୍ୟାନସର ହଟିଯିବ ବୋଲି ସାଧାରଣରେ ବିଶ୍ୱାସ ଜନ୍ମିଥିଲା। ହେଲେ ଏହା ଏବେ ପାଣିର ଗାର ପରି ମନେ ହେଉଛି। କାରଣ ପ୍ରତିଦିନ ରାଜ୍ୟର କୋଣଅନୁକୋଣରୁ ଆସୁଛି ଦୁର୍ନୀତିଖୋରଙ୍କ ତାଲିକା। ଲାଞ୍ଚ ନଦେଲେ ଅଧିକାରୀଙ୍କ ଟେବୁଲ୍ରୁ ଫାଇଲ୍ ଘୁଞ୍ଚୁନାହିଁ।
ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ରାଜଧାନୀ ଭୁବନେଶ୍ୱରଠାରୁ ଅଳ୍ପ ଦୂରରେ। ଯେଉଁଠି ଜଣେ ଗରିବ ଚାଷୀ ନ୍ୟାୟ ପାଇଁ ବିଡିଓଙ୍କଠାରୁ ଆରମ୍ଭ କରି ସରପଞ୍ଚଙ୍କ ପର୍ଯ୍ୟନ୍ତ ଗୁହାରି କରି ନିରାଶ ହୋଇଛନ୍ତି। ମାତ୍ର ତାଙ୍କ ନେହୁରା କେହି ନ ଶୁଣିବାରୁ ସେ ଆତ୍ମହତ୍ୟାର ରାସ୍ତା ବାଛି ନେଇଛନ୍ତି। ମୃତ୍ୟୁ ପୂର୍ବରୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ଜୀବନର ଶେଷ ବାର୍ତ୍ତା। ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।
ଆତ୍ମହତ୍ୟା କରିଥିବା ଚାଷୀଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଆତ୍ମହତ୍ୟା ପୂର୍ବରୁ ଯୁବକଙ୍କ ଭିଡିଓ ଭାଇରାଲ୍ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ମିଶ୍ର। କେଉଁ ପରିସ୍ଥିତିରେ ଏଭଳି ଘଟିଲା, ତା’ର ତଦନ୍ତ ହେବ ବୋଲି ସେ କହିଛନ୍ତି।
ଗ୍ରାମୀଣ ଆବାସ ପାଇଁ ଲାଞ୍ଚ ନଦେବାରୁ ମିଳିପାରିଲାନି ସହାୟତା ରାଶି। ଶେଷରେ ନିରାଶ ହୋଇ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଜଣେ ଚାଷୀ ଲକ୍ଷ୍ମୀଧର ବେହେରା ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ନନପଡ଼ା ସ୍ଥିତ ଗହିରଆଡ଼ି ନାଳ ନିକଟରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତ୍ୟୁ ପୂର୍ବରୁ ସେ ଏକ ଭିଡିଓ ମେସେଜ୍ ଦେଇଥିଲେ। ଯାହା ଏବେ ଭାଇରାଲ ହୋଇଛି। ଯେଉଁଥିରେ ସେ ସରକାରୀ ଅଧିକାରୀଙ୍କୁ କାକୁତି ମିନତି ହେଉଥିବା ଦେଖିବାକୁ ମିଳିଛି। ଲକ୍ଷ୍ମୀଧରଙ୍କ ଘର ଖଣ୍ଡିଏ ପାଇଁ କେତେ ନିବେଦନ କରୁଛନ୍ତି। ପ୍ରତିଦିନ ମୁଲ ଲାଗି ୫ ପ୍ରାଣୀ କୁଟୁମ୍ୱ ଚଳାଇବା କଷ୍ଟକର ହେଉଛି। ଏପରି ସ୍ଥିତିରେ ସରକାରୀ ସହାୟତା ପାଇଁ ଅଧିକାରୀଙ୍କୁ ଲାଞ୍ଚ ଦେବି କେମିତି? କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ନେତା, ସ୍ଥାନୀୟ ନିରାକାରପୁର ସରପଞ୍ଚ ସମସ୍ତଙ୍କୁ ନିବେଦନ କରୁଛନ୍ତି ଲକ୍ଷ୍ମୀଧର।
ତେବେ ଏଠି ପ୍ରଶ୍ନ ଉଠୁଛି, ମୁଖ୍ୟମନ୍ତ୍ରୀ ଟିମ୍ଓ୍ୱାର୍କ, ଟ୍ରାନ୍ସପାରେନ୍ସି ଓ ଟେକ୍ନୋଲୋଜି(ଥ୍ରୀ ଟି)ର ଲାଭ ଯଦି ଭୁବନେଶ୍ୱରଠାରୁ ଅଳ୍ପ ଦୂରରେ ଥିବା ଗରିବ ଲୋକେ ପାଉନାହାନ୍ତି, ତାହାହେଲେ ଦୁର୍ଗମ ଅଞ୍ଚଳରେ ଅବସ୍ଥା କେମିତି ଥିବ ଏଥିରୁ ସହଜରେ ଅନୁମାନ କରାଯାଇପାରିବ। ପ୍ରଚାର ଓ ବାସ୍ତବତା ମଧ୍ୟରେ କେତେ ଯେ ଦୂରତ୍ୱ ରହିଛି ତାହା ବି ସ୍ପଷ୍ଟ ହେବାରେ ଲାଗିଛି।
from Odisha Reporter http://bit.ly/2Hiv39j
No comments:
Post a Comment