ଦେଢ଼ ଏକର ସରକାରୀ ଜମିକୁ ବେଆଇନ କବଜା କରିଛି ନବୀନ ନିବାସ: କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ଦେଢ଼ ଏକର ସରକାରୀ ଜମିକୁ ବେଆଇନ କବଜା କରିଛି ନବୀନ ନିବାସ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ପଳାଶପଲ୍ଲୀ ଫ୍ଲାଏଓଭର ସରକାରୀ ରାସ୍ତାର ପ୍ରଶସ୍ତିକରଣ ପାଇଁ ଏୟାରପୋର୍ଟ ଅଥରିଟିଙ୍କଠୁ ରାଜ୍ୟ ସରକାର ଆଣିଥିବା ୧.୬ ଏକର ସରକାରୀ ଜମି ଏବେ ନବୀନ ନିବାସର ଜବରଦଖଲରେ ରହିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ବ୍ୟବହାର ପାଇଁ ଏହି ସରକାରୀ ଜମିକୁ ଚଞ୍ଚକତା କରି ଏବେ ଜବରଦଖଲରେ ରଖିଛନ୍ତି ଓ ନିଜେ ରାଜ୍ୟ ସରକାର ଜମି ଦଲାଲ ସାଜି ନବୀନ ନିବାସକୁ ଏହି ଜମି ଟେକି ଦେଇଛନ୍ତି ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି।

ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଷ୍ଟାଫ୍ କଲୋନୀ ଛକ ଠାରୁ ପଳାସପଲ୍ଲୀ ଫ୍ଲାଏଓଭର ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ନିଜ ବ୍ୟକ୍ତିଗତ ବ୍ୟବହାର ପାଇଁ ଉପଯୋଗ କରିବା ନିମନ୍ତେ ସ୍ୱଚ୍ଛ ଶାସନର ବାର୍ତ୍ତା ଦେଉଥିବା ନବୀନ ବାବୁ ଜମି ଦୁର୍ନୀତି କରିବାକୁ ପଛାଇ ନାହାନ୍ତି। ନବୀନ ବାବୁଙ୍କ ବ୍ୟକ୍ତିଗତ ବ୍ୟବହାର ପାଇଁ ନବୀନ ନିବାସ ସମ୍ମୁଖ ସରକାରୀ ଜାଗାକୁ ନେବା ପାଇଁ ସରକାରୀ ସ୍ତରରେ ଷଡ଼ଯନ୍ତ୍ର ହୋଇଛି।

୨୦୧୬ ଫେବୃଆରୀ ୩ ତାରିଖରେ ସରକାରୀ ରାସ୍ତା ପ୍ରଶସ୍ତିକରଣ ପାଇଁ ନବୀନ ନିବାସ ସାମ୍ନାରେ ଥିବା ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆଙ୍କ ସମାନ ପରିମାଣ ଜମିକୁ ଅଦଳବଦଳ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ସାଧାରଣ ପ୍ରଶାସନ ବିଭାଗ ପ୍ରସ୍ତାବ ଦେଇଥିଲା। ଏହି ପ୍ରସ୍ତାବକୁ ୨୦୧୬ ଅକ୍ଟୋବର ୭ତାରିଖରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୃହୀତ କରିବା ପାଇଁ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଥିଲା। ଯାହାକୁ ୨୦୧୬ ଅକ୍ଟୋବର ୨୭ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଥିଲେ।

ଏହାପରେ ୨୦୧୭ ଏପ୍ରିଲ ୧୦ତାରିଖରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଓ ସାଧାରଣ ପ୍ରଶାସନ ବିଭାଗ ମଧ୍ୟରେ ଜମି ଅଦଳବଦଳ ପାଇଁ ରାଜିନାମା ସ୍ୱାକ୍ଷରିତ କରାଗଲା। ତଦନୁଯାୟୀ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ରାଜ୍ୟ ସରକାରଙ୍କୁ ୧ ଏକର ୬୦୦ ଡେସିମିଲ୍ ଜମି ଦେଲେ ଓ ପ୍ରତିବଦଳରେ ସାଧାରଣ ପ୍ରଶାସନ ବିଭାଗ ଏୟାରପୋର୍ଟକୁ ଲାଗିଥିବା ଦୁଇଟି ପ୍ଲଟ ଭୀମପୁର ମୌଜାର – ୪୯୫/୧୬୬୪ (ପାର୍ଟ) ଏକର ୦.୩୦୭ ଡିସ୍ମିଲ୍ ଓ ପ୍ଲଟ ନଂ – ୪୯୩ (ପାର୍ଟ) ୧ ଏକର ୨୯୩ ଡେସିମିଲ୍ ଏୟାରପୋର୍ଟ ଅଥରିଟିଙ୍କୁ ହସ୍ତାନ୍ତର କଲେ।

ଏୟାରପୋର୍ଟ ଜମି ହାତକୁ ଆସିବା ପରେ ନବୀନ ବାବୁଙ୍କ ପାଇଁ ସରକାରୀ ସ୍ତରରେ ଦଲାଲି ହୋଇଥିଲା। ରାସ୍ତା ଚଉଡ଼ା କରିବା ନାଁରେ ନବୀନ ନିବାସ ସାମ୍ନା ରାସ୍ତାକୁ ଘେରାବନ୍ଦୀ ଓ କବଜା କରାଗଲା ଏବଂ ସୁରକ୍ଷା ଆଳରେ ସମଗ୍ର ରାସ୍ତାକୁ ବନ୍ଦ କରି ରଖାଗଲା। ନବୀନ ନିବାସର ସୌନ୍ଦର୍ଯ୍ୟକରଣ, ଗାଡ଼ି ରଖିବା ଏବଂ ସୁରକ୍ଷାକର୍ମୀଙ୍କ ଜାଗା ପାଇଁ ସରକାର ଚଞ୍ଚକତା କରି ନବୀନ ନିବାସ ଭଳି ଏକ ବେସରକାରୀ ଘରୋଇ ଜାଗା ପାଇଁ ନିଜ ଖାତାରୁ ସେହି ୧ ଏକର ୬୦୦ ଡିସମିଲ୍ ଜାଗା ପ୍ରଦାନ କଲେ। ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ସୁଚିନ୍ତିତ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କଂଗ୍ରେସ ଅଭିଯୋଗ କରିଛି। ଅତ୍ୟନ୍ତ ଚତୁରତାର ସହିତ ଏହି ଜମି ଦୁର୍ନୀତିକୁ ରାଜ୍ୟ ସରକାର ଜଣେ ବ୍ୟକ୍ତିବିଶେଷଙ୍କ ପାଇଁ ଲୁଚାଇବାର ବ୍ୟର୍ଥ ପ୍ରୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯିଏ ସାଧାରଣ ପ୍ରଶାସନ ବିଭାଗର ମୁଖ୍ୟ ଏହାର ଜବାବ ରଖନ୍ତୁ ଓ ଘେରାବନ୍ଦୀରେ ଥିବା ଜମିକୁ ସର୍ବସାଧାରଣଙ୍କ ନିମନ୍ତେ ତୁରନ୍ତ ଖାଲି କରନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥି, ନିଶିକାନ୍ତ ମିଶ୍ର ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

କଂଗ୍ରେସର ପ୍ରଶ୍ନ

୧: ରାସ୍ତା ପ୍ରଶସ୍ତିକରଣ ନାଁରେ ଏୟାରପୋର୍ଟ ପ୍ରାଧିକରଣଙ୍କ ସହ ରାଜ୍ୟ ସରକାର ଜମି ଅଦଳବଦଳ କଲେ କିନ୍ତୁ ଉକ୍ତ ଜମିକୁ ନବୀନ ନିବାସର ଏକଚାଟିଆ ବ୍ୟବହାର ପାଇଁ କାହିଁକି ଜମିକୁ ଘେରାବନ୍ଦୀରେ ରଖାଗଲା?
୨: ରାସ୍ତା ପ୍ରଶସ୍ତିକରଣର ଅର୍ଥ କ’ଣ ନବୀନ ନିବାସ ଗେଟ୍ ଠାରୁ ଆରମ୍ଭ ଓ ପାଚେରୀ ପାଖରେ ଶେଷ?
୩: ରାଜ୍ୟ ସରକାର ଯେଉଁ ୧ ଏକର ୬୦୦ ଡେସିମିଲ୍ ଜମି ଏୟାରପୋର୍ଟ ଅଥରିଟିଙ୍କୁ ଦେଲେ ତାକୁ ରାଜ୍ୟ କ୍ୟାବିନେଟକୁ ଜଣା ଯାଇଥିଲା ନା ନାହିଁ?
୪: ଏୟାରପୋର୍ଟ ଅଥରିଟିର ଜମି ଦେବା ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟ ପାରିତ କଲେ କିନ୍ତୁ ନବୀନ ବାବୁ କାହିଁକି ରାଜ୍ୟ କ୍ୟାବିନେଟରେ ଏହା ପକାଇଲେ ନାହିଁ?
୫: କାହା ଭୟରେ ଓ କାହାକୁ ଲୁଚାଇବାକୁ ଯାଇ ନବୀନ ବାବୁ କ୍ୟାବିନେଟରେ ଏ ପ୍ରସ୍ତାବକୁ ଉଠାଇଲେ ନାହିଁ?



from Odisha Reporter http://bit.ly/2CRWjWH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages