
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ସଂରକ୍ଷଣକୁ ନେଇ ମୋଦି ଦେଇଛନ୍ତି ମାଷ୍ଟର ଷ୍ଟ୍ରୋକ୍। ମୋଦି ସରକାର ଆର୍ଥିକ ସ୍ତରରେ ପଛୁଆ ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିବା ସହ ଆଜି ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି। ଯାହାକୁ ନେଇ ଦେଶର ରାଜନୀତି ବେଶ ସରଗରମ ରହିଛି। ତେବେ ଓଡ଼ିଶାରେ ମୋଦିଙ୍କ ଏହି ମାଷ୍ଟର ଷ୍ଟ୍ରୋକ୍ କେତେ ପ୍ରଭାବ ପକାଇବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ସାଧାରଣ ବର୍ଗର ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଲାଗି ସୋମବାର କ୍ୟାବିନେଟ୍ ନିଷ୍ପତ୍ତି ନେବାର ୨୪ ଘଣ୍ଟା ମଧ୍ୟରେ ଲୋକସଭାରେ ୧୨୪ତମ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି ମୋଦି ସରକାର। ଅଧିକାଂଶ ଦଳ ବିଲ୍କୁ ସମର୍ଥନ କରୁଥିବାରୁ ଗୃହରେ ଏହା ସୁରୁଖୁରୁରେ ପାସ୍ ବି ହୋଇଯିବ। ତେବେ ଏହି ବିଲ୍ ମାଧ୍ୟମରେ ସାଧାରଣ ବର୍ଗର ଗରିବ ଶ୍ରେଣୀକୁ ଖୁସ୍ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି। ତେଣୁ ବଡ଼ ପ୍ରଶ୍ନ ରାଜ୍ୟ ରାଜନୀତିରେ ଏହାର କ’ଣ ପ୍ରଭାବ ରହିବ ? ଏଥିରୁ ବିଜେପିକୁ କେତେ ଫାଇଦା ମିଳିବ?

ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ କିନ୍ତୁ ପରୋକ୍ଷରେ ବିରୋଧ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା। ରାଜ୍ୟ ଜନସଂଖ୍ୟାର ମାତ୍ର ୬ ପ୍ରତିଶତ ସାଧାରଣ ବର୍ଗର ହୋଇଥିବା ବେଳେ ସେମାନଙ୍କ ଲାଗି ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ତେଣୁ ସଂଖ୍ୟା ଅନୁପାତରେ ସଂରକ୍ଷଣ ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ସେ ଯୁକ୍ତି ବାଢିଛନ୍ତି।
ତେବେ ବିଜେଡି ଏ ପ୍ରସଙ୍ଗରେ ମାପିଚୁପି ପ୍ରତିକ୍ରିୟା ଦେଇଛି। ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ଗରିବର ସ୍ଥିତିରେ ଉନ୍ନତି ଆଣିବାକୁ ପଡ଼ିବ। ଗରିବଙ୍କୁ ସମାଜରେ ସ୍ୱୀକୃତି ଦେବାକୁ ପଡ଼ିବ। ତା’ର ଅର୍ଥନୈତିକ ବିକାଶ କରିବାକୁ ପଡ଼ିବ। ସେଥିପାଇଁ ଯାହା ପଦକ୍ଷେପ ଯିଏ ବି ନେବ ଆମେ ତାକୁ ବିରୋଧ କରିବାର ପ୍ରଶ୍ନ ଉଠୁନାହିଁ। କାରଣ ବିଜୁ ବାବୁ ବାରମ୍ବାର କହୁଥିଲେ, ଗରିବର ଜାତି ନାହିଁ।”
ସଂରକ୍ଷଣ ବିଲ୍କୁ ରାଜ୍ୟ ବିଜେପି ସ୍ୱାଗତ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି। ସେ କହିଛନ୍ତି, “ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଗରିବ ଲୋକଙ୍କ ପାଇଁ ଏକ ନିର୍ଦ୍ଧିଷ୍ଟ ବ୍ୟବସ୍ଥା ହେବାକୁ ଯାଉଛି। ଏହା ବିବାଦର ବିଷୟ ହେବନାହିଁ। ଦଳମତ ନିର୍ବିଶେଷରେ ଏହାକୁ ସମସ୍ତେ ସମର୍ଥନ କରିବେ।”
ନିର୍ବାଚନ ପୂର୍ବରୁ ଏଭଳି ସଂରକ୍ଷଣ ବ୍ୟବସ୍ଥା ଏକ ମାଷ୍ଟରଷ୍ଟ୍ରୋକ୍ ଓ ଏହା ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିକୁ ଫାଇଦା ଦେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ଏହାର ରାଜନୈତିକ ପ୍ରଭାବ ଉପରେ ସମସ୍ତଙ୍କ ନଜର ରହିଛି।
from Odisha Reporter http://bit.ly/2Tz88rx
No comments:
Post a Comment