
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲଡେନ୍ ବାବାଙ୍କ ଗୋଲଡେନ ନକ୍ସା। କେମିତି ମାୟାଜାଲର ଗୁମର ରଚି ଅର୍ଥ ହଡ଼ପ୍ କରୁଥିଲେ ଗୋଲଡେନ୍ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା? ତା’ର ଗୁମର ଖୋଲିଛି କ୍ରାଇମବ୍ରାଞ୍ଚର ଅର୍ଥନୀତିକ ଅପରାଧ ଶାଖା। ଗୋଟିଏ ଦିନ ରିମାଣ୍ଡରେ ଆଣି ବାବାଙ୍କ ପାଖରୁ ଫ୍ରଡ୍ ନକ୍ସାର ରହସ୍ୟ ଓଗାଳିଛି କ୍ରାଇମବ୍ରାଞ୍ଚ।
ଗୋଲଡେନ୍ ବାବାଙ୍କ ୯ଟି ଗ୍ରୁପ୍ ଅଫ୍ କମ୍ପାନୀରୁ ବାର୍ଷିକ ଟର୍ଣ୍ଣ ଓଭର ଥିଲା ୩ ହଜାର ୭୬୯ କୋଟି ଟଙ୍କା। ସେ ବାର୍ଷିକ ୪ କୋଟି ୧୬ ଲକ୍ଷ ଟଙ୍କା ଇନ୍କମ୍ ଟାକ୍ସ ଫାଇଲ କରୁଥିଲେ। ଡର୍ବାନ, ସିଙ୍ଗାପୁର, ଦୁବାଇ, ମାଲେସିଆରେ ରହିଥିଲା କମ୍ପାନୀର ଶାଖା। ବଡ଼ ବଡ଼ ବିଜନେସମ୍ୟାନ ଓ ସଂସ୍ଥାକୁ ଠକିବା ପାଇଁ ଏସବୁ ନକଲି କାଗଜପତ୍ର ତିଆରି କରିଥିଲେ ଗୋଲଡେନ ବାବା। ଏଥିରେ ବ୍ୟବହାର ହୋଇଥିବା ଇନ୍କମ୍ ଟାକ୍ସ ବିଭାଗ ଓ ଚାର୍ଟାର୍ଡ ଆକାଉଣ୍ଟାନ୍ସି ଫାର୍ମର ଷ୍ଟାମ୍ପ ବି ନକଲି ଥିଲା। ଆଉ ନକଲି ଡକ୍ୟୁମେଣ୍ଟ ଜରିଆରେ ସେ ବିଭିନ୍ନ ସଂସ୍ଥାକୁ ଟ୍ରାପ୍ କରୁଥିବା ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ।
ଗୋଲଡେନ ବାବାଙ୍କୁ ରିମାଣ୍ଡରେ ନେଇ ଘର ସର୍ଚ୍ଚ ବେଳେ ଗୁରୁତ୍ୱପୂର୍ଣ କାଗଜପତ୍ର ହାସଲ କରିଥିଲା ଅର୍ଥନୀତିକ ଅପରାଧ ଶାଖା। ମୁମ୍ବାଇ ଥାନେର ଏକ ହସ୍ପିଟାଲ ସହ ୨୦୦ କୋଟି, ହାଇଦ୍ରାବାଦର ଇଂଜିନିୟରିଂ କନଷ୍ଟ୍ରକସନ୍ ଲିମିଟେଡ ସହ ୩୦୦ କୋଟି, ଭୁବନେଶ୍ୱର ଜେକେ ମେଡିକାଲ ସିଷ୍ଟମ ସହ ୫୦ କୋଟି ଫାଇନାନ୍ସ କରିବା ନେଇ ଏଗ୍ରିମେଣ୍ଟ କରିଥିଲେ ଗୋଲଡେନ ବାବା। ଜାଲ କାଗଜପତ୍ର ବ୍ୟବହାର କରି ବାବା ଏସବୁ ଡିଲ୍ କରିଥିଲେ। ଏହାଛଡା ୪ରୁ ୫ଟି କମ୍ପାନୀ ସହ ପ୍ରାୟ ୧୦୦କୋଟି ଟଙ୍କା ଏଗ୍ରିମେଣ୍ଟ ବାବଦକୁ କିଛି ପୋଷ୍ଟ ଡେଟେଡ ଚେକ ମଧ୍ୟ ଜବତ ହୋଇଥିବା କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି।
ଏବେ ପ୍ରଶ୍ନ ଉଠୁଛି, ଗୋଲଡେନ ବାବାଙ୍କ ପଲିଟିକାଲ ଲିଙ୍କ ପଛର ରହସ୍ୟ କଣ? ନେତାଙ୍କୁ ଫାଇନାନ୍ସ କରୁଥିଲେ କି ଜ୍ୟୋତିରଞ୍ଜନ? ଏସବୁ ଗୁମର ଖୋଲିବା ପାଇଁ ଗୋଲଡେନ୍ ବାବାଙ୍କୁ ପୁଣି ଥରେ ରିମାଣ୍ଡରେ ଆଣିବ କି କ୍ରାଇମବ୍ରାଞ୍ଚ, ତାହା ହିଁ ପ୍ରଶ୍ନ।
from Odisha Reporter http://bit.ly/2QNSw1k
No comments:
Post a Comment