
ସିଡ୍ନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍ନୀରେ ଆଜିଠାରୁ ଆରମ୍ଭ ହୋଇଛି ଚତୁର୍ଥ ଟେଷ୍ଟ୍ ମ୍ୟାଚ୍। ଖେଳର ପ୍ରଥମ ଦିନଟି ଭାରତ ପାଇଁ ଭଲ ରହିଛି। ଚେତେଶ୍ୱର ପୂଜାରାଙ୍କ ଅପରାଜିତ ୧୩୦ ରନ୍ ଓ ଓପନର ମୟଙ୍କ ଅଗ୍ରୱାଲଙ୍କ ୭୬ ରନ୍ ସହାୟତାରେ ଦଳ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ହରାଇ ୩୦୩ ରନ୍ ସଂଗ୍ରହ କରିଛି। ଆଜି ୯୦ ଓଭର ଖେଳ ହୋଇଥିଲା।
ଟସ୍ ଜିତିବା ପରେ ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏଥର ଇନିଂସ୍ ଓପନ୍ କରିବାକୁ ଏକ ନୂଆ ଯୋଡ଼ି ଆସିଥିଲେ। ଲୋକେଶ ରାହୁଲଙ୍କ ସହିତ ନବାଗତ ମୟଙ୍କ ଅଗ୍ରୱାଲଙ୍କୁ ଇନିଂସ୍ ଓପନର କରିବାକୁ ପଠା ଯାଇଥିଲା। ତେବେ ଖେଳ ଆରମ୍ଭ ହେବାର ଦ୍ୱିତୀୟ ଓଭରରେ ହିଁ ଦଳକୁ ପ୍ରଥମ ଝଟକା ଲାଗିଥିଲା। ତୃତୀୟ ଟେଷ୍ଟରେ ଖେଳି ନଥିବା ତଥା ପ୍ରଥମ ଦୁଇଟି ଟେଷ୍ଟରେ ବିଫଳ ହୋଇଥିବା ଲୋକେଶ ରାହୁଲ ୧.୩ ଓଭରରେ ଜୋଶ୍ ହେଜେଲ୍ଉଡ୍ଙ୍କ ବଲ୍ରେ ଶନ୍ ମାର୍ଶଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ୬ଟି ବଲ୍ରୁ ୯ ରନ୍ କରି ଆଉଟ୍ ହୋଇଥିଲେ। ତା’ଭିତରେ ଦୁଇଟି ଚୌକା ଥିଲା।
ଏହା ପରେ କ୍ରିଜ୍କୁ ଆସିଥିଲେ ଭାରତର ଟେଷ୍ଟ୍ ବିଶେଷଜ୍ଞ ଚେତେଶ୍ୱର ପୂଜାରା। ସେ ଓ ମୟଙ୍କ ପାଳିକୁ ସମ୍ଭାଳି ନେଇଥିଲେ। ଦୁହିଁଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ହୋଇଥିଲା। ତେବେ ୩୩.୬ ଓଭରରେ ମୟଙ୍କ ଆଉଟ୍ ହୋଇଯାଇଥିଲେ। ସେତେବେଳକୁ ଦଳୀୟ ସ୍କୋର ୧୨୬ ରନ୍ରେ ପହଞ୍ଚିଥିଲା।
ମୟଙ୍କ ଆଉଟ୍ ହୋଇ ଯିବା ପରେ ଅଧିନାୟକ ବିରାଟ କୋହଲି କ୍ରିଜ୍କୁ ଆସିଥିଲେ। ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍ରେ ୮୨ ରନ୍ କରିଥିବା କୋହଲି ଆଜି ଅଧିକ ସମୟ ରହି ପାରି ନଥିଲେ। ସେ ୫୯ଟି ବଲ୍ର ସମ୍ମୁଖୀନ ହୋଇ ୨୩ ରନ୍ କରି ଆଉଟ୍ ହୋଇଯାଇଥିଲେ। ଏହି ୨୩ ରନ୍ ମଧ୍ୟରେ ତାଙ୍କର ୪ଟି ଚୌକା ସାମିଲ ଥିଲା। ଜୋଶ୍ ହେଜେଲ୍ଉଡ୍ଙ୍କ ଏକ ବଲ୍ରେ ସେ ୱିକେଟ୍ କିପର ତଥା ଅଧିନାୟକ ଟିମ୍ ପେନ୍ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ୫୨.୫ ଓଭରରେ ଦଳର ସ୍କୋର ୧୮୦ ରନ୍ ହୋଇଥିବା ବେଳେ ସେ ଆଉଟ୍ ହୋଇଥିଲେ।
ତାଙ୍କ ପରେ ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ମଧ୍ୟ ଅଧିକ ସମୟ ତିଷ୍ଠି ପାରି ନଥିଲେ। ସେ ୫୫ଟି ବଲ୍ରୁ ୧୮ ରନ୍ କରି ମିଚେଲ ଷ୍ଟାର୍କଙ୍କ ଶିକାର ହୋଇଥିଲେ। ତାଙ୍କର ଏକ ବଲ୍ରେ ୱିକେଟ୍ କିପର ଟିମ୍ ପେନ୍ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ରାହାଣେ। ସେ ୭୦.୨ ଓଭରରେ ଆଉଟ୍ ହୋଇଥିଲେ। ସେତେବେଳେ ଦଳୀୟ ସ୍କୋର ୨୨୮ରେ ପହଞ୍ଚିଥିଲା।
ଏହା ପରେ ଚେତେଶ୍ୱର ପୂଜାରା ନବାଗତ ହନୁମା ବିହାରୀଙ୍କୁ ସାଥୀ କରି ପାଳିକୁ ଆଗେଇ ନେଲେ। ତୃତୀୟ ଟେଷ୍ଟରେ ଇନିଂସ୍ ଓପନ୍ କରିଥିବା ହନୁମା ବିହାରୀ ଆଜି ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ତାଙ୍କ ସହିତ ପୂଜାରା ବିନା କୌଣସି ଚାପରେ ଆରାମରେ ଦେଖିଚାହିଁ ପାଳିକୁ ଆଗେଇ ନେଇଥିଲେ। ୧୯୯ ବଲ୍ରେ ୧୦୦ ରନ୍ ପୂରଣ କରିଥିବା ପୂଜାରା ଆଜି ଷ୍ଟମ୍ପ୍ ଅପସାରଣ ବେଳକୁ ୨୫୦ ବଲ୍ରେ ୧୬ ଚୌକା ସହାୟତାରେ ୧୩୦ ରନ୍ ସଂଗ୍ରହ କରିଥିଲେ। ଅନ୍ୟପକ୍ଷରେ ତାଙ୍କ ସହିତ ଭଲ ତାଳମେଳ ରଖିଥିଲେ ହନୁମା ବିହାରୀ। ସେ ୫୮ ବଲ୍ରୁ ୩୯ ରନ୍ କରି ଅପରାଜିତ ଅଛନ୍ତି।
ଆସନ୍ତାକାଲି ପୂଜାରା ଓ ହନୁମା ବିହାରୀ ଭାରତର ଅସମାପ୍ତ ପାଳିକୁ ଆଗେଇ ନେବେ ଓ ଅଷ୍ଟ୍ରେଲିଆ ସମ୍ମୁଖରେ ଏକ ବଡ଼ ସ୍କୋର ରଖିବାକୁ ପ୍ରୟାସ କରିବେ।
ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ୍ ହେଜେଲ୍ଉଡ୍ ୨ଟି ୱିକେଟ୍ ନେଇଥିବା ବେଳେ ମିଚେଲ ଷ୍ଟାର୍କ ଓ ନେଥନ ଲିୟନ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।
ଆଜିଠାରୁ ଖେଳାଯାଉଥିବା ଏହି ମ୍ୟାଚ୍ରେ ଭାରତ ୭ ବ୍ୟାଟ୍ସମ୍ୟାନ୍ ଓ ୪ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଛି। ଚାରି ବୋଲରଙ୍କ ମଧ୍ୟରେ ସ୍ପିନର ରବୀନ୍ଦ୍ର ଜାଡେଜା ଓ କୁଲ୍ଦୀପ୍ ଯାଦବ ଅଛନ୍ତି। ସେହିପରି ମହମ୍ମଦ ଶାମି ଓ ଯଶପ୍ରିତ୍ ବୁମ୍ରା ପେସ୍ ବୋଲିଂ ଦାୟିତ୍ୱ ସମ୍ଭାଳିବେ। ଶତପ୍ରତିଶତ ଫିଟ୍ ହୋଇ ନଥିବା ଯୋଗୁ ୧୩ ଜଣିଆ ଟିମ୍ରେ ସାମିଲ ହୋଇଥିବା ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଚୂଡ଼ାନ୍ତ ଏକାଦଶରେ ନିଆଯାଇ ନାହିଁ।
ଭାରତ ସିରିଜ୍ରେ ୨-୧ରେ ଆଗୁଆ ଥିବା ବେଳେ ଅଷ୍ଟ୍ରେଲିଆ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି। କାରଣ ଅଷ୍ଟ୍ରେଲିଆ ମ୍ୟାଚ୍ ନ ଜିତିଲେ ଭାରତ ସିରିଜ୍ କବ୍ଜା କରି ନେବ। ଡ୍ର’ ହେଲେ ବି ଭାରତ ସିରିଜ୍ ହାତେଇବ। ଆଉ ଏହା ଏକ ଇତିହାସ ହୋଇଯିବ। କାରଣ ଅଷ୍ଟ୍ରେଲିଆରେ ଭାରତ କେବେ ବି ଟେଷ୍ଟ୍ ସିରିଜ୍ ଜିତି ନାହିଁ। ତେଣୁ ଅଷ୍ଟ୍ରେଲିଆ ଯେମିତି ହେଲେ ଏହି ମ୍ୟାଚ୍ରେ ହରାଇବାକୁ ଚେଷ୍ଟା କରିବ ଓ ସିରିଜ୍କୁ ବରାବର ସ୍ଥିତିରେ ରଖିବାକୁ ଚାହିଁବ।
from Odisha Reporter http://bit.ly/2SB5EZp
No comments:
Post a Comment