
ନୂଆଦିଲ୍ଲୀ: ଆସନ୍ତା ଶନିବାର ବିଜେପି ବିରୋଧରେ ବିରୋଧୀ ଶକ୍ତି ପ୍ରଦର୍ଶନ କରିବେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ବିରୋଧୀ ଦଳକୁ ନେଇ କୋଲକାତାରେ ମହାସମାବେଶ କରିବେ। ତେବେ ଏହି ମହାମେଣ୍ଟ କେତେଦୂର ସଫଳ ହେବ, ତାକୁ ନେଇ ଏବେଠାରୁ ପ୍ରଶ୍ନ ଉଠିଛି।
ମମତାଙ୍କ ସମାବେଶକୁ କଂଗ୍ରେସ ଓ ବିଏସ୍ପି ମୁଖ୍ୟ ଯାଉ ନଥିଲେ ହେଁ ସେମାନଙ୍କ ପ୍ରତିନିଧିଙ୍କୁ ପଠାଇବେ। କାରଣ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଦୌଡ଼ରେ ମମତା ବାନାର୍ଜୀ ରହିଛନ୍ତି। ତେଣୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜାଣିଶୁଣି ମହାସମାବେଶରେ ଯୋଗଦେଉ ନଥିବା କୁହାଯାଉଛି। ସେହିପରି ମାୟାବତୀ ମଧ୍ୟ ମନେମନେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଯୋଜନା କରିଛନ୍ତି। ତାଙ୍କ ରାସ୍ତାରେ ମମତା କଣ୍ଟା ହୋଇଥିବାରୁ ସେ ନିଜେ ନ ଯାଇ ପ୍ରତିନିଧିଙ୍କୁ ପଠାଇବେ।
ଅନ୍ୟପକ୍ଷରେ କଂଗ୍ରେସ ଓ ବିଜେପିଠାରୁ ‘ସମଦୂରତା’ ରଖୁଥିବା ଓଡ଼ିଶାର କ୍ଷମତାସୀନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଓ ଆନ୍ଧ୍ର ପ୍ରଦେଶର ଟାଣୁଆ ବିରୋଧୀ ଦଳ ଭାବେ ପରିଚିତ ୱାଇଏସ୍ଆର୍ କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ ଏହି ମହାସମାବେଶରେ ଯୋଗଦେବେ ନାହିଁ।
ଏମାନେ ବିନା କଂଗ୍ରେସ ଓ ବିନା ବିଜେପି ମେଣ୍ଟ କଥା ବାରମ୍ବାର କହି ଆସୁଛନ୍ତି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର କଂଗ୍ରେସ ଓ ବିଜେପିକୁ ଛାଡ଼ି ଏକ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ଚାହୁଁଥିବା ବେଳେ ନବୀନ ପଟ୍ଟନାୟକ ମହାମେଣ୍ଟରେ ସାମିଲ ହେବେନାହିଁ ବୋଲି କହିଛନ୍ତି। ତେଣୁ ଏପରି ସ୍ଥିତିରେ ବିଜେପି ବିରୋଧୀ ମେଣ୍ଟ କେତେ ଶକ୍ତିଶାଳୀ ହେବ, ତାହା ସମୟ କହିବ।
ଶନିବାର ବୈଠକରେ ଯୋଗଦେବା ପାଇଁ ଆଜି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ସହମତି ପ୍ରକାଶ କରିଛନ୍ତି। ସେହିପରି ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନ୍ ମଧ୍ୟ ଆସିବେ।
ଏମାନଙ୍କ ବ୍ୟତୀତ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ, କଂଗ୍ରେସର କର୍ଣ୍ଣାଟକା ସହଯୋଗୀ ତଥା ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ, ଏନ୍ସି ନେତା ଫାରୁକ ଅବଦୁଲ୍ଲା, ଏନ୍ସିପି ମୁଖ୍ୟ ଶରଦ ପାୱାର,ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଯୋଗଦେବେ। ସେହିପରି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧିଙ୍କ ବଦଳରେ ମଲ୍ଲିକାର୍ଜୁନ ଖାଡ଼ଗେ ଓ ମାୟାବତୀଙ୍କ ବଦଳରେ ସତୀଶ ମିଶ୍ର ଯୋଗଦେବା ଏକ ପ୍ରକାରର ନିଶ୍ଚିତ ହୋଇଛି।
ଅନ୍ୟପକ୍ଷରେ ମମତା କହିଛନ୍ତି, “୨୦୧୯ରେ ଆଞ୍ଚଳିକ ଦଳ ବେଶ ଗୁରୁତ୍ୱ ବହନ କରିବେ। ବିଜେପି ୧୨୫ଟି ଆସନ ଜିତିବ। କଂଗ୍ରେସ କଥା କହିପାରିବି ନାହିଁ। ତେଣୁ ଆଞ୍ଚଳିକ ଦଳଗୁଡ଼ିକ ହିଁ କିଙ୍ଗମେକର ସାଜିବେ। ଏମାନେ କଂଗ୍ରେସ ଓ ବିଜେପିଠାରୁ ଅଧିକ ଆସନ ଜିତିବେ।”
from Odisha Reporter http://bit.ly/2ATekDE
No comments:
Post a Comment