ବିଜେଡିକୁ ଏବେ ଭେଦି ପାରନ୍ତି ଗୃହଶତ୍ରୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ବିଜେଡିକୁ ଏବେ ଭେଦି ପାରନ୍ତି ଗୃହଶତ୍ରୁ

କ୍ଷମତା ମଇଦାନ୍‌ର ବିରୋଧ ଭିତରେ ବନ୍ଧୁତା ଖୋଜୁଛନ୍ତି ପ୍ରତିପକ୍ଷ। ଏଣେ ଶତ୍ରୁ ଶିବିରର ଗଡ଼ରକ୍ଷକଙ୍କୁ ହାତମୁଠାକୁ ଆଣି ଦୁର୍ଗରକ୍ଷାର ଫର୍ମୁଲା ଆପଣାଇଛି ଶାସକ କ୍ୟାମ୍ପ୍‌। ନିର୍ବାଚନମୁହାଁ ରାଜ୍ୟରେ ଉଭୟ ବିରୋଧୀ ଓ ଶାସକ ଶିବିରରେ ଆତ୍ମବିଶ୍ୱାସର ଏଭଳି ଚରମ ସଙ୍କଟ ଏକ ରାଜନୀତିକ ‘ଦ୍ୱନ୍ଦ୍ୱ’ ସୃଷ୍ଟି କରିଛି। ଆଉ ରାଜନୀତି ଯଦି ବିଜ୍ଞାନ, ତେବେ ଏହି ‘ଦ୍ୱନ୍ଦ୍ୱ’ ଆଗକୁ ରାଜ୍ୟ ରାଜନୀତିରେ ଏକ ନୂଆ ଇତିହାସ ଅବଶ୍ୟ ସୃଷ୍ଟି କରିପାରେ।

୬୦ ସିଟ୍‌କୁ ନେଇ ଖେଳ

୧୮ ବର୍ଷର ଶାସନ ପରେ ବି ନିଜ ଶକ୍ତି ତୁଳନାରେ ଅନ୍ୟ ଦଳର ନେତାଙ୍କ ଦମ୍‌ ଉପରେ ବିଜେଡି ଢେର୍‌ ଅଧିକ ଭରସା ରଖିଛି। ଖାସ୍ ଏଥିପାଇଁ ନିଜ ପାରିବାପଣିଆର ପ୍ରମାଣକୁ ପଛରେ ରଖି ନବୀନ୍‌ଙ୍କ ବିଜେଡି ଶତ୍ରୁପକ୍ଷକୁ ଦୁର୍ବଳ କରି ନିର୍ବାଚନ ଜିତିବାର ପାରମ୍ପରିକ ଗୋଟି ଜବରଦସ୍ତ ଢଙ୍ଗରେ ଖେଳିଛି। କିନ୍ତୁ ସାମର୍ଥ୍ୟରୁ ଅଧିକ ଯାତ୍ରୀ ବୋହୁଥିବା ଡଙ୍ଗାଟି ଗଭୀର ‘ବୈତରଣୀ’ର ପ୍ରଖର ସ୍ରୋତରେ ଦିଗହରା ହୋଇ ବୁଡ଼ିଯିବା ଯେପରି ଆଶ୍ଚର୍ଯ୍ୟଜନକ ନୁହେଁ, ସେହିପରି ବିରୋଧୀ କଂଗ୍ରେସ ଓ ବିଜେପି କ୍ୟାମ୍ପର ସଫଳ ସେନାପତିମାନଙ୍କୁ ନିଜ ପକ୍ଷକୁ ଆଣି ୧୯ରେ ୫ମ ଥର ଗାଦି ଦଖଲର ଯୋଜନା ବିଜେଡି ପାଇଁ ଆତ୍ମଘାତୀ ହେବା ବି ଆଦୌ ବିଚିତ୍ର ନୁହେଁ।

ନବ-ପ୍ରଫୁଲ୍ଲ-ପ୍ରକାଶ, ତାରା-ଚନ୍ଦ୍ର-ଯୋଗେଶ ଅବା ଦେବ-ଅଂଶୁ-ନୀତିଶ କି ଉମା-ନରସିଂହମାନେ ବିଜେଡିକୁ ଆସିଲେ, ଆଗକୁ ଓଡ଼ିଶା ରାଜନୀତି ସମୁଦ୍ର ଯେ କେବଳ ଶଙ୍ଖମୟ ହୋଇଯିବ ଏବଂ ଶଙ୍ଖ ବାଦ୍‌ ସେହି ସମୁଦ୍ରରେ ଆଉ କିଛି ରହିବ ନାହିଁ, ସେପରି ଭାବିବା ଠିକ୍‌ ନୁହେଁ। କାରଣ, ପ୍ରତି ବିଧାନସଭା ଆସନରେ ବିଧାୟକ ବିରୋଧୀ ଭୋଟ୍‌ ନିଶ୍ଚୟ ରହିଛି। ଆଉ ଶାସକ ଦଳ ବିଧାୟକଙ୍କ ବିରୋଧରେ ଶକ୍ତିଶାଳୀ ଅନ୍ତଃସ୍ରୋତ ଥିବା ‘ଏରିଆ’ ରାଜ୍ୟରେ ୬୦ରୁ ଅଧିକ। ଏହି ସବୁ ଆସନରେ ସତ୍ତା ବିପକ୍ଷ ଭୋଟ୍‌କୁ ହାତେଇବା ପାଇଁ ବିକଳ୍ପ ନେତୃତ୍ୱକୁ ଲୋକେ ଏବେ ବି ଖୋଜୁଛନ୍ତି। ଲୋକଙ୍କ ବିଶ୍ୱାସ ଜିଣିପାରିଲେ, ଏହି ୬୦ ଆସନର ରେଜଲ୍ଟ୍‌ ସାରା ରାଜ୍ୟର ରାଜନୀତିକୁ ଏକ ନିର୍ଣ୍ଣାୟକ ମୋଡ଼ ଦେବାର ସମସ୍ତ ସମ୍ଭାବନା ରଖିଛି।

ଆତ୍ମଘାତୀ ହୋଇପାରେ ନେତା ଆମଦାନୀ ଫର୍ମୁଲା

ଲୋକେ ପରିବର୍ତ୍ତନ ଚାହୁଁଛନ୍ତି, କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟର କିଛି ବିଜେଡି-ବିରୋଧୀ ନେତାଏ ତାହା କରାଇ ଦେବା ମୁଡ୍‌ରେ ନାହାନ୍ତି। କେଉଁଠି ନା କେଉଁଠି ସେମାନେ ରାଜ୍ୟ ଶାସକ ଦଳ ସହ ଭିତିରି ବୁଝାମଣାରେ ବ୍ୟସ୍ତ। କିଏ କଂଗ୍ରେସକୁ ସଫା କରିବାକୁ ଆଡ୍‌ଭାନ୍‌ସ୍‌ ନେଇଛି ତ ଆଉ କିଏ ବିଜେପି ଅସ୍ତ୍ରକୁ ଧାରହୀନ କରିବାରେ ରୀତିମତ ଲାଗିଛି। ‘ପଦ୍ମ’ ଜାତୀୟ କ୍ୟାପ୍‌ଟେନ୍‌ଙ୍କ ନରମ ଆଭିମୁଖ୍ୟ ସହ ‘ହାତ’ ରାଜ୍ୟ ନେତାଙ୍କ ଗୋଡ଼ାଣିଆ ପ୍ରବୃତ୍ତି ବିଜେଡିକୁ ସୁବିଧାରେ ରଖିଛି ନିଶ୍ଚୟ କିନ୍ତୁ ଏହା ଦ୍ୱାରା ଯେ ବିଜେଡିର ଆଗାମୀ ଯାତ୍ରା କଣ୍ଟକଶୂନ୍ୟ ଓ ନିରାପଦ ନୁହେଁ, ଏହା ଶଙ୍ଖପତି ତାଙ୍କ ଟିମ୍‌କୁ ବେଶ୍ ଭଲ ଜଣା।

ଅନ୍ୟ ଦଳରୁ ନେତା ଆମଦାନୀ କରି ୱିନିଂ ଟ୍ରାକ୍‌ କାଏମ ରଖିବାର ଫର୍ମୁଲା ବିଜେଡି ପାଇଁ ଆଗାମୀ ଦିନରେ ନିଜ ହାତବୁଣା ଜାଲରେ ଅଣନିଃଶ୍ୱାସୀ ହେବାର ଆଶଙ୍କାକୁ ବଢ଼ାଇଛି ଏଥିପାଇଁ ଯେ ଆଗକୁ ମୂଳ ଓ ଆମଦାନୀ ନେତାଙ୍କ ମଧ୍ୟରେ କ୍ଷମତା ପାଇଁ ଅନ୍ତର୍ଦ୍ୱନ୍ଦ୍ୱ ହେବା ଥୟ। ଆଉ ଏପରି ହେଲେ, ସଉତୁଣୀ ସାବାଡ଼ ହେବା ପାଇଁ ସ୍ୱାମୀ ହତ୍ୟାର ଯୋଜନା ନିର୍ବାଚନୀ ଋତୁରେ ଶଙ୍ଖ ଦଳରେ ଉଗ୍ର ହୋଇପାରେ। ଏଭଳି ସ୍ଥିତିରେ ‘ଗୃହଶତ୍ରୁ’ ବିଭୀଷଣମାନେ ନିଜ ଦମ୍ ଅବଶ୍ୟ ଦେଖାଇବେ, ଯାହା  ଯାବତୀୟ ଯୋଜନା ଓ ନେତା ଆମଦାନୀକୁ ପଛରେ ରଖି ବିଜେଡିକୁ ଭେଦିବ ଏବଂ ଶଙ୍ଖ ନିଶ୍ଚିହ୍ନ ପ୍ରକ୍ରିୟାକୁ ଜୋର୍ କରିବ।

ବିରୋଧୀ ଭୋଟ୍ ଯିବ କୁଆଡ଼େ?

ଏବେ ପ୍ରଶ୍ନ ଉଠିପାରେ, ରାଜ୍ୟରେ କଂଗ୍ରେସ ସତ୍ତା ହରାଇବା ସ୍ଥିତି ଓ ବିଜେପି ଅସ୍ତ୍ରତ୍ୟାଗ ମୁଦ୍ରାରେ ଥିବାବେଳେ ‘ଶଙ୍ଖ ନିଶ୍ଚିହ୍ନ’ ପାଇଁ ବିଜେଡିର ଏହି ଗୃହଶତ୍ରୁମାନଙ୍କୁ ଆବଶ୍ୟକ ଶକ୍ତି ଓ ସାହସ ଦେବ କିଏ ?  

୧୮ ବର୍ଷ ଧରି ଭିନ୍ନ ସମୟ ଓ ସ୍ଥିତିରେ ବିଜେଡିର ଛୁରୀକାଘାତ୍‌, ପ୍ରତାରଣା, ଅପଦସ୍ଥ ଓ ଅସହିଷ୍ଣୁତା ଗୋଟିର ଶିକାର ହୋଇ ନିଜ ରାଜନୀତିକ କ୍ୟାରିଅର୍‌ରେ ଅନିଶ୍ଚିତତାକୁ ସାମ୍ନା କରିଥିବା କିଛି ନବୀନ୍‌ବିରୋଧୀ ଶକ୍ତି ଯଦି ବ୍ୟକ୍ତିଗତ ସ୍ୱାର୍ଥକୁ ପଛରେ ରଖି ଗୋଟିଏ ପ୍ଲାଟ୍‌ଫର୍ମରେ ଏକାଠି ହୁଅନ୍ତି, ତେବେ ବିଜେଡିର ଗୃହଶତ୍ରୁମାନେ ଅବଶ୍ୟ ସେମାନଙ୍କ ଆଖପାଖରେ ଚକ୍କର କାଟିବାର ସୁଯୋଗକୁ ଅପେକ୍ଷା କରି ରହିବେ।
କଥା ହେଉଛି, ଗତ ବିଧାନସଭା ନିର୍ବାଚନରେ ପ୍ରାୟ ୨୬ ପ୍ରତିଶତ ଭୋଟ୍ ପାଇଥିବା କଂଗ୍ରେସର ଭୋଟ୍ ହାର ଯଦି କମୁଛି ଓ ୧୮ ପ୍ରତିଶତ ପାଇଥିବା ବିଜେପିର ଭୋଟ୍‌ ବଢ଼ିବାର ନାହିଁ, ତେବେ ପ୍ରାୟ ୪୪ ପ୍ରତିଶତ ଭୋଟ ପାଇଥିବା ବିଜେଡିର ବିରୋଧୀ ଭୋଟ୍‌ ଯିବ କୁଆଡ଼େ? ଏହି ଭୋଟ୍‌କୁ ଆଖିରେ ରଖି ନୂଆ ପ୍ଲାଟ୍‌ଫର୍ମଟିଏ ହେଲେ, ତାହା ହିଁ ଆଗକୁ ଶଙ୍ଖରୁ ଶକ୍ତି ଭିଡ଼ି କ୍ଷମତା ପାଲିରେ ଏକ ନୂଆ ସମୀକରଣ ସୃଷ୍ଟି କରିପାରେ, ଯାହା ଇତିହାସ ହିଁ ହେବ।


from Odisha Reporter http://bit.ly/2HfbtKZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages