
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବର ଆଜି ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ତବଲା ବାଦନରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ହୋଇଥିଲା।
ଶନିବାର ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଯାହାକୁ ପରିବେଷଣ କରିଥିଲେ ଭୁବନେଶ୍ୱରର ସଙ୍ଗୀତା ପଣ୍ଡା। ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା କବିସୂର୍ଯ୍ୟ ବଳଦେବ ରଥଙ୍କ ରଚନାରୁ ‘ସତେ କି ବିତି ଏହା କରିବଗୋ’ ଯାହା ରାଗାଙ୍ଗି ରାଗତାରା ଆଧାରିତ ଥିଲା। ପରେ ପରେ ସେ ନାଟାଙ୍ଗ ଉପରେ ପର୍ଯବେଶିତ ‘ବାଟଛାଡ଼ ମୋହନ ରେ ଯିବି ଯମୁନା’ ପ୍ରସ୍ତୁତ କରିଥିଲେ। ଶେଷରେ ଜୟଦେବଙ୍କ ଗୀତଗୋବିନ୍ଦ ରଚନାରୁ ‘ସଖିହେ କେଶି ମଥନମୁଦରମ’ ଗାଁ କରିବା ସହିତ ଓଡ଼ିଆ ଭଜନ ପରିବେଷଣ କରିଥିଲେ। ତାଙ୍କ ସହିତ ମର୍ଦ୍ଦଳରେ ନିରଞ୍ଜନ ସାହୁ, ବେହେଲାରେ ସୁରମଣୀ ରମେଶ ଚନ୍ଦ୍ର ଦାସ, କଣ୍ଠରେ ଶ୍ରୁତି ମିଶ୍ର ଏବଂ ତାନପୁରାରେ ପ୍ରତିଭା ଦାସ ସହଯୋଗ କରିଥିଲେ।
ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ବିଖ୍ୟାତ ତବଲା ବାଦକ ପଣ୍ଡିତ କୁମାର ବୋଷଙ୍କ ଦ୍ୱାରା ତବଲା ବାଦନ। ତାଙ୍କର ପ୍ରସ୍ତୁତିରେ ଥିଲା ତାଳ ବାଦ୍ୟ କଚେରୀ ଯାହା ରାଗ ବାଚସ୍ପତି ଓ ତାଳ ଆଦିତାଳ ଆଧାରିତ ଥିଲା। ତାଙ୍କୁ ସହଯୋଗ କରିଥିଲେ ପଖଉଜରେ କୁନାଲ ପାଟିଲ ଏବଂ ସାରଙ୍ଗୀରେ ପଙ୍କଜ ମିଶ୍ର।
ଆଜି ସନ୍ଧ୍ୟାର ଅତିଥିମାନେ ଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ କୁମାର ପତି ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ଡ. ବିଜୟ କୁମାର ଜେନା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ. ସଙ୍ଗୀତା ଗୋସାଇଁ ଏବଂ ଡ. ଭେଦୁଲା ରାମଲକ୍ଷ୍ମୀ।



from Odisha Reporter http://bit.ly/2SYIWe5
No comments:
Post a Comment