
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଯୋଗେଶ ସିଂହଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଛି। ଏଆଇସିସି ଅନୁମୋଦନ ପରେ ଯୋଗେଶଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏନେଇ ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ସୂଚନା ଦେଇଛନ୍ତି।
ଅନନ୍ତ କହିଛନ୍ତି, “ସେ (ଯୋଗେଶ ସିଂହ) ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଉଥିଲେ। ଗତକାଲି ତାଙ୍କୁ କାରଣ ଦର୍ଶାଅ ନୋଟିସ୍ କରାଯାଇଥିଲା। ଉତ୍ତର ରଖିବାକୁ ତାଙ୍କୁ ୨୪ ଘଣ୍ଟା ସମୟ ଦିଆଯାଇଥିଲା। ହେଲେ ସମୟ ମଧ୍ୟରେ ସେ ତାଙ୍କ ଉତ୍ତର ନ ରଖିବାରୁ ତାଙ୍କୁ ନିଲମ୍ବନ କରାଯାଇଛି।”
ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ଯୋଗେଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ, “ମୋ ନିର୍ବାଚନ ମଣ୍ଡଳୀ ପାଇଁ ମୁଁ ଯେତେବେଳେ ଯାହା ଦାବି କରିଛି, ସରକାରଙ୍କ ପକ୍ଷରୁ ଅନେକାଂଶରେ ତାହା ପୂରଣ କରାଯାଇଛି। ବ୍ୟକ୍ତି ହିସାବରେ ନବୀନ ପଟ୍ଟନାୟକ ବହୁତ ବଢ଼ିଆ। ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ। ସେ ଜଣେ ଦକ୍ଷ ଶାସକ। ସେଥିପାଇଁ ୧୮ ବର୍ଷ ହେଲା ଶାସନ କରୁଛନ୍ତି। ଲୋକେ ତାଙ୍କୁ ପସନ୍ଦ କରୁଛନ୍ତି ବୋଲି ସେ ଏତେ ବର୍ଷ ହେଲାଣି ଶାସନ କରୁଛନ୍ତି।”
ଏହା ସହିତ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ବେଳେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହିପାରିବେନି ବୋଲି ଯୋଗେଶ ସ୍ପଷ୍ଟ ଭାବେ କହିଥିଲେ। ତାଙ୍କ ନିର୍ବାଚନମଣ୍ଡଳୀର କେତେକ ଗ୍ରାମାଞ୍ଚଳରେ ମାସକ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥିର ହୋଇସାରିଥିବାରୁ ସେ ରାହୁଲଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେନି ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ପାଇଁ ଜନତା ହେଉଛନ୍ତି ପ୍ରଥମ ହାଇକମାଣ୍ଡ। ଦଳ ହାଇକମାଣ୍ଡ ତାଙ୍କ ପାଇଁ ଦ୍ୱିତୀୟ।
ଏସବୁ କଥାକୁ ଦୃଷ୍ଟିରେ ରଖି ଦଳର ବରିଷ୍ଠ ନେତାମାନେ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ।
କଂଗ୍ରେସରୁ ନିଲମ୍ବନ ପରେ ନିଜ ମତ ରଖିଛନ୍ତି ଯୋଗେଶ। ସେ କହିଛନ୍ତି, “ମୁଁ ସେଭଳି କିଛି କରିନଥିଲି। ତାଙ୍କର ଅଧିକାର ଅଛି, ସେ ନିଲମ୍ବନ କଲେ। ଖୁବ ଶୀଘ୍ର ମୁଁ ବିଧାୟକ ପଦରୁ ଇସ୍ତଫା ଦେବି।”
ବିଜେଡିକୁ ଯିବେ କି ପ୍ରଶ୍ନର ଉତ୍ତରରେ ସେ କହିଥିଲେ, “ସେମିତି ପରିସ୍ଥିତି ସୃଷ୍ଟି ହୋଇନି। ମୋ ପାଖକୁ ସେମିତି କିଛି ପ୍ରସ୍ତାବ ଆସିନାହିଁ।”
ରାହୁଲଙ୍କ ଗସ୍ତ ବେଳେ ସେ ଉପସ୍ଥିତ ନରହିବା ମନ୍ତବ୍ୟ ଉପରେ କହିଛନ୍ତି, “ଆଗରୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ତେଣୁ ମୁଁ ଉପସ୍ଥିତ ରହି ପାରିବିନି ବୋଲି କହିଥିଲି। ମୁଁ ଉପସ୍ଥିତ ନରହିଲଷ ବି କର୍ମୀମାନେ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କହିଥିଲି।”
from Odisha Reporter http://bit.ly/2FxX3Ec
No comments:
Post a Comment