
ନୂଆଦିଲ୍ଲୀ: ଲୋକସଭାରେ ବାରମ୍ବାର ବିଶୃଙ୍ଖଳା କରିବାରୁ ଏଆଇଏଡିଏମକେ ଓ ଟିଡିପିର ୪୫ ଜଣ ସାଂସଦଙ୍କୁ ବାଚସ୍ପତି ସୁମିତ୍ରା ମହାଜନ ନିଲମ୍ବନ କରିଛନ୍ତି। ତେବେ ଏମାନଙ୍କ ଉପରେ ଲାଗୁ ହୋଇଥିବା ନିଲମ୍ବନ ଆଦେଶ ଖୁବ୍ଶୀଘ୍ର ପ୍ରତ୍ୟାହାର ହେବ ବୋଲି ଜଣାପଡ଼ିଛି। କିନ୍ତୁ ସଦସ୍ୟମାନେ ପୋଡିୟମ ନିକଟରେ ହୋହଲ୍ଲା କରିବେ ନାହିଁ ପ୍ରତିଶ୍ରୁତି ଦେଲା ପରେ ହିଁ ସେମାନଙ୍କ ଉପରେ ଲାଗୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯିବ।
ଆଜି ଲୋକସଭାରେ ଉପ ବାଚସ୍ପତି ତଥା ଏଆଇଏଡିଏମକେ ସାଂସଦ ଏମ୍ ଥମ୍ବିଦୁରାଇ ବାଚସ୍ପତି ସୁମିତ୍ରା ମହାଜନଙ୍କୁ ୪୫ ଜଣ ସାଂସଦଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶକୁ ରଦ୍ଦ କରିବାକୁ ନିବେଦନ କରିଥିଲେ।
ସେ କହିଥିଲେ, “ ମୁଁ ଜାଣିଛି ଗୃହର ନିୟମ ଉଲ୍ଲଙ୍ଘନ କଲେ ଆପଣ ସାଂସଦମାନଙ୍କୁ ନିଲମ୍ବନ କରିପାରିବେ। ଆପଣ ସେମାନଙ୍କୁ ଦଣ୍ଡ ଦେଇ ସାରିଛନ୍ତି। କିନ୍ତୁ ଏବେ ସେମାନଙ୍କୁ ସୋମବାର ଠାରୁ ଗୃହ କାର୍ଯ୍ୟରେ ସାମିଲ ହେବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି। ଦୟା କରି ସେମାନଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶକୁ ରଦ୍ଦ କରନ୍ତୁ।”
ଏହାର ଜବାବ୍ ଦେଇ ଶ୍ରୀମତୀ ମହାଜନ କହିଥିଲେ, “ ମୁଁ ନିଲମ୍ବନ ଆଦେଶ ରଦ୍ଦ କରିବାକୁ ପ୍ରସ୍ତୁତ। କିନ୍ତୁ ପ୍ରଥମେ ସେମାନେ ଆଉ ହଟ୍ଟଗୋଳ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦିଅନ୍ତୁ। ଆମେ ଏକ ବୈଠକ କରିବା। ଏହାପରେ ନିଷ୍ପତ୍ତି ନିଆଯିବ।”
ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ମେଘୱାଲ ମଧ୍ୟ ଏହି ପ୍ରସଙ୍ଗରେ ସଂସଦର ସବୁ ସଦସ୍ୟଙ୍କ ସହ ଆଲୋଚନା କରାଯିବା ଦରକାର ବୋଲି କହିଛନ୍ତି।
ଗୁରୁବାର ଶ୍ରୀମତୀ ମହାଜନ ବିଶୃଙ୍ଖଳା କରୁଥିବାରୁ ୧୪ ଜଣ ଟିଡିପି ଓ ୭ ଜଣ ଏଆଇଏଡିଏମକେ ସାଂସଦଙ୍କୁ ଲୋକସଭାର ୪ଟି କାର୍ଯ୍ୟ ଦିବସରୁ ନିଲମ୍ବନ କରିଥିଲେ। ସେହିପରି ବୁଧବାର ଦିନ ୨୪ ଜଣ ଏଆଇଏଡିଏମକେ ସାଂସଦଙ୍କୁ ଗୃହରୁ ୫ ଦିନ ପାଇଁ ନିଲମ୍ବନ କରିଥିଲେ।
from Odisha Reporter http://bit.ly/2Ry5DIG
No comments:
Post a Comment