ନୂଆବର୍ଷରେ ଆତ୍ମପ୍ରକାଶ ପାଇବ ଦୁଇଟି ରାଜନୈତିକ ଦଳ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ନୂଆବର୍ଷରେ ଆତ୍ମପ୍ରକାଶ ପାଇବ ଦୁଇଟି ରାଜନୈତିକ ଦଳ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆବର୍ଷରେ ରାଜ୍ୟରେ ଦୁଇଟି ନୂଆ ରାଜନୀତିକ ଦଳ ଆତ୍ମପ୍ରକାଶ କରିବାର ସମ୍ଭାବନା ରହିଛି। ୨୦୧୮ର ଶେଷ ଆଡ଼କୁ ଏନେଇ ଉଦ୍ୟମ ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହା ସଫଳ ହୋଇପାରିନି। ତେବେ ବିଭିନ୍ନ ପ୍ରମୁଖ ଦଳର ହାତ ଛାଡ଼ିଥିବା କିଛି ନେତା ଗୋପନରେ ଗୋଟି ଚାଳନା ଜାରି ରଖିଛନ୍ତି। କୁହାଯାଉଛି ନୂଆ ଓ ଛୋଟ ଦଳ ହେଲେ ମଧ୍ୟ ଆଗାମୀ ନିର୍ବାଚନରେ ଏମାନେ ଗେମ୍ ଚେଞ୍ଜର୍ ସାବ୍ୟସ୍ତ ହୋଇପାରନ୍ତି।

ନଭେମ୍ବର ୨୩ ତାରିଖରେ ବ୍ରଜ ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳରେ ବିଜୁଙ୍କ ନାଁ ଯୋଡ଼ି ଡାକ୍ତର ଦାମୋଦର ରାଉତ ଘୋଷଣା କରିଥିଲେ ‘ବିଜୁ ସମତାକ୍ରାନ୍ତି ଦଳ’। ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲଢ଼େଇର ଆହ୍ୱାନ ଦେଇ ବିଜେଡି ବିରୋଧରେ ବିଜୁ ଅନୁଗାମୀଙ୍କୁ ଏକାଠି କରିବାର ପ୍ରୟାସ କରାଯାଇଥିଲା। ତେବେ ନାଁ ସିନା ଘୋଷଣା ହୋଇଗଲା କିନ୍ତୁ ବିଜୁଙ୍କ ନାଁରେ ଦଳ ଆଗକୁ ବଢ଼ିପାରିଲା ନାହିଁ। ଦାମ ଓ ବ୍ରଜ ଆଉ ଏକାଠି ଦେଖାଗଲେନି।

ଚର୍ଚ୍ଚା ହେଲା, ଦୁହିଁଙ୍କ ଭିତରେ ଫାଟ ଯୋଗୁ ଅଧାରେ ଅଟକିଗଲା ବିଜୁ ସମତାକ୍ରାନ୍ତିର ଯାତ୍ରା। ତେବେ ନୂଆ ବର୍ଷରେ ପୁଣି ଏକ ଦଳ କରି ବିଜେଡିକୁ ଗାଦିଚ୍ୟୁତ କରିବାର ଯୋଜନା ଛାଡ଼ି ନାହାଁନ୍ତି ଦାମ। ଏବେ କିନ୍ତୁ ନୂଆ ଦଳର ନାଁ ନ କହିଲେ ମଧ୍ୟ ଏହି ଦଳର ଅଭ୍ୟୁଦୟ ବିଜେଡିକୁ ଚ୍ୟାଲେଞ୍ଜ ଦେବ ବୋଲି ଦମ୍ଭୋକ୍ତି କରୁଛନ୍ତି ଦାମ।

ନିର୍ବାଚନ ପୂର୍ବରୁ ଆଉ ଏକ ସମୀକରଣର ଗଣିତ କଷୁଛନ୍ତି ବିଜେପି ଛାଡିଥିବା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ। ଏହା ଭିତରେ ବିଜୟ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ସାଧାରଣ ସଭା କରି ଲୋକଙ୍କ ମୁଡ୍ ପରଖିଛନ୍ତି। ଯଦିଓ ଦିଲ୍ଲୀପ ବିଜେଡି ମୁହାଁ ବୋଲି ଚର୍ଚ୍ଚା ହେଉଥିଲା, ତଥାପି ବିଜୟଙ୍କ ଗଣିତ କିଛି ଭିନ୍ନ ଇଙ୍ଗିତ କରୁଛି। ବିକଳ୍ପ ନେତୃତ୍ୱ ସନ୍ଧାନରେ ଅଛନ୍ତି କହି ବିଜୟ ନୂଆ ଦଳର ସଙ୍କେତ ଦେଇଛନ୍ତି। ସେପଟେ ବିଜେଡି ଛାଡ଼ିବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। କିଛି ଦିନ ତଳେ ନିଜ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବୈଜୟନ୍ତ କହିଥିଲେ- ରାଜ୍ୟରେ ବଢ଼ି ଚାଲିଥିବା ଦୁର୍ଷ୍କମ, ଦୁର୍ନୀତି, ଦାଦନ ଓ ବେକାରୀ ବିରୋଧରେ ଲଢ଼ିବା ପାଇଁ ମୋ ସହିତ କିଏ ଠିଆ ହେବ ଓ ସମର୍ଥନ ଦେବ, ସେନେଇ ଆଲୋଚନା ଚାଲିଛି। ନିଷ୍ପତ୍ତି ଚୂଡ଼ାନ୍ତ ହୋଇନି ବୋଲି ସେ କହିଥିଲେ।

ବିଜେଡିର ତାଚ୍ଛଲ୍ୟ

ତେବେ ବିଜେଡିକୁ ଟକ୍କର ଦେବା ଲାଗି ନୂଆ ଦଳର ପରିକଳ୍ପନାକୁ ତାଚ୍ଛଲ୍ୟ କରିଛି ବିଜେଡି। କଂଗ୍ରେସ ଓ ବିଜେପି ମଧ୍ୟ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି-“ଆଞ୍ଚଳିକ ଦଳ ଛାଡ଼ନ୍ତୁ, ବିଜେଡିକୁ ଟକ୍କର ଦେବା ସ୍ଥିତିରେ ବିଜେପି ଓ କଂଗ୍ରେସ ନାହାନ୍ତି।”

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି-“ଓଡ଼ିଶା ବହୁ ଆଞ୍ଚଳିକ ଦଳ ତିଆରି ହୋଇଛି ଓ ଯାଇଛି। ଏବେ ମଧ୍ୟ କିଛି ରାଜନୈତିକ ଦଳ ତିଆରି ହେଉଛନ୍ତି। ମୁଁ ସେମାନଙ୍କ ସଫଳତା କାମନା କରୁଛି। କିନ୍ତୁ ଆଞ୍ଚଳିକ ଦଳ ଗୁଡ଼ିକ କ୍ଷୀଣସ୍ଥାୟୀ ହୋଇଛନ୍ତି। ଆସନ୍ତା ଦୁଇ ବର୍ଷ ଭିତରେ ବିଜେଡି କଣ ହେଉଛି ଦେଖିବେ।”

ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି-“ରାଜ୍ୟରେ ବହୁବାର ଛୋଟ ଛୋଟ ରାଜନୀତିକ ଦଳ ଏକାଠି ହୋଇ ମହାଦ୍ରୁମ ତିଆରି କରିବେ ବୋଲି ଭାବିଛନ୍ତି। କିନ୍ତୁ ସେମାନେ କେବେ ସଫଳ ହୋଇନାହାନ୍ତି। ଆଗାମୀ ନିର୍ବାଚନରେ ଶାସକ ଦଳ ସହିତ ବିଜେପିର ଲଢ଼େଇ ହେବ। ବିଜେପି ନିଜର ଶକ୍ତି ଓ ଲୋକଙ୍କ ସମର୍ଥନ ବଳରେ ବିଜୟ ଲାଭ କରିବ।”

ଆମ ଓଡ଼ିଶା ଦଳ ଗଢିଥିବା ସୌମ୍ୟ ରଂଜନ ପଟ୍ଟନାୟକ ବିଜେଡିରେ ମିଶିଯାଇଥିବା ବେଳେ ସମତାକ୍ରାନ୍ତିର ପ୍ରମୁଖ ନେତା ଜର୍ଜ ତିର୍କୀ ଏବେ କଂଗ୍ରେସରେ। ଏପଟେ ଜନସମୃଦ୍ଧି ପାର୍ଟି ନାଁରେ ନୂଆ ଦଳ କରି କେନ୍ଦୁଝରର ସହରରେ ପୋଷ୍ଟର ମାରିଛନ୍ତି ସ୍ୱାଧୀନ ବିଧାୟକ ସନା ମହାକୁଡ଼। ତେବେ ରାଜ୍ୟରେ ଦଳ ଗଠନ ଫର୍ମୁଲା କେତେ ସଫଳ ହେଉଛି ଓ ଆଗାମୀ ନିର୍ବାଚନରେ ଏମାନଙ୍କ ଭୂମିକା କଣ ରହୁଛି, ତାହା ଦେଖିବାର କଥା।



from Odisha Reporter http://bit.ly/2Qgx7xw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages