
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପି ପକ୍ଷରୁ ଆୟୋଜିତ ହେବାକୁ ଥିବା ରଥଯାତ୍ରା ଉପରେ ସୁପ୍ରିମକୋର୍ଟ ବାରଣ ଲଗାଇ ଦେଇଛନ୍ତି। ବର୍ତ୍ତମାନ ସମୟରେ ବିଜେପି ପଶ୍ଚିମବଙ୍ଗରେ କୌଣସି ପ୍ରକାରର ରଥଯାତ୍ରା କରିପାରିବ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ସ୍ପଷ୍ଟ କରିଛନ୍ତି। ଏଥିସହ ଜଷ୍ଟିସ୍ ଗୋଗୋଇ ବିଜେପିକୁ ନିଜ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବା ସହ ମମତା ବାନାର୍ଜୀ ସରକାରଙ୍କଠାରୁ ପୁଣିଥରେ ରଥଯାତ୍ରା ପାଇଁ ଅନୁମତି ଲୋଡ଼ୁ ବୋଲି କହିଛନ୍ତି। ତେବେ ବିଜେପିର ପଶ୍ଚିମବଙ୍ଗ ୟୁନିଟ ଚାହିଁଲେ ଶୋଭାଯାତ୍ରା ଓ ସାଧାରଣ ସଭା କରିପାରିବ ବୋଲି ଜଷ୍ଟିସ୍ ଗୋଗୋଇ କହିଛନ୍ତି।
ବେଙ୍ଗଲ ସରକାରଙ୍କ କହିବା କଥା, ବିଜେପି ଯେଉଁ ଅଞ୍ଚଳରେ ରଥଯାତ୍ରା କରିବାକୁ ଚାହୁଁଛି, ସେଠାରେ ସାଂପ୍ରଦାୟିକ ହିଂସା ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଜେପିକୁ ରଥଯାତ୍ରା ପାଇଁ ଅନୁମତି ମିଳି ନଥିଲା।
ଏହା ଉପରେ ନିଜର ମତ ରଖି ବିଜେପି ଯୁକ୍ତି କରିଥିଲା ଯେ, ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସମସ୍ତଙ୍କର ଶୋଭାଯାତ୍ରା ଓ ରଥଯାତ୍ରା କରିବାର ଅଧିକାର ରହିଛି।
କୋର୍ଟ ଉଭୟଙ୍କ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ବର୍ତ୍ତମାନ ସମୟରେ ରଥଯାତ୍ରା ସମ୍ଭବ ନୁହେଁ ବୋଲି କହିଥିଲେ। କିନ୍ତୁ ବେଙ୍ଗଲ ସରକାର ମୌଳିକ ବାକ୍ ସ୍ୱାଧୀନତାକୁ ଦୃଷ୍ଟିରେ ରଖି ରଥଯାତ୍ରା ପାଇଁ ବିଜେପିର ସଂଶୋଧିତ କାର୍ଯ୍ୟସୂଚୀକୁ ସମୀକ୍ଷା କରି ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କହିଛନ୍ତି।
ଏହାପୂର୍ବରୁ କ୍ୟାଲକାଟା ହାଇକୋର୍ଟର ଗୋଟିଏ ବେଞ୍ଚ ବିଜେପିକୁ ରଥଯାତ୍ରା ପାଇଁ ଅନୁମତି ଦେଇଥିଲେ ହେଁ ଅନ୍ୟ ଏକ ବେଞ୍ଚ ଏହାକୁ ଖାରଜ କରିଦେଇଥିଲେ। ଏହା ବିରୋଧରେ ବିଜେପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
from Odisha Reporter http://bit.ly/2STTTxx
No comments:
Post a Comment