
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯେଉଁ ହାତରେ ତିଆରି କରିଥିଲେ ଆଜି ସେହି ହାତରେ ଭାଙ୍ଗି ଦେଲେ। ପାରିଶ୍ରମିକ ପାଇନଥିବାରୁ ଶ୍ରମିକମାନେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ନିର୍ମାଣ କରିଥିବା ବସ୍ ଷ୍ଟପ୍ ଗୁଡ଼ିକୁ ଭାଙ୍ଗି ଦେଇଛନ୍ତି। ଆଜି ଏମିତି ଦୃଶ୍ୟ ଭୁବନେଶ୍ୱର ଶିଶୁ ଭବନ ଛକ ବସ ଷ୍ଟପ୍ରେ ଦେଖିବାକୁ ମିଳିଛି।
ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱର ସଜେଇ ହୋଇଯାଇଥିଲା। ରଙ୍ଗୀନ ଆଲୋକମାଳାରେ ଝଲସୁଥିଲା ସ୍ମାର୍ଟ ସିଟି। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଚକାଚକ୍ ରାସ୍ତା ସାଙ୍ଗକୁ ନିର୍ମାଣ କରାଯାଇଥିଲା ଆଖି ଝଲସା ବସ୍ ଷ୍ଟପ୍। ଇତିମଧ୍ୟ ହକି ବିଶ୍ୱକପ୍ ସରିବାକୁ ମାସେ ପୂରିଲାଣି। ହେଲେ ବସ୍ ଷ୍ଟପ୍ ନିର୍ମାଣ କରିଥିବା ଶ୍ରମିକଙ୍କୁ ଆଜି ପର୍ଯ୍ୟନ୍ତ ପାରିଶ୍ରମିକ ମିଳିନି। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ପାରିଶ୍ରମିକ ପାଇବା ପାଇଁ ଆଜି ଶ୍ରମିକମାନେ ରାସ୍ତା ରୋକ କରିବାକୁ ଯାଇଥିଲା। ପୁଲିସ ସେଠାରେ ପହଞ୍ଚି ସେମାନଙ୍କୁ ଉଠାଇ ଦେଇଥିଲା। ଫଳରେ ଶ୍ରମିକମାନେ ବସ୍ ଷ୍ଟପ୍ର ପୂରା ଷ୍ଟ୍ରକଚର ବଦଳାଇ ଦେଇଛନ୍ତି। ବସ୍ ଷ୍ଟପ୍କୁ ଭାଙ୍ଗି ଦେଇଛନ୍ତି। ଏପରିକି ସେମାନେ ଭଙ୍ଗା ସରଞ୍ଜାମ ଗୁଡ଼ିକ ପକାଇ ରାସ୍ତାରୋକ କରିଥିଲେ। ବାକିଥିବା ପ୍ରାପ୍ୟ ପାଉଣା ପାଇଁ ଦାବି କରିଥିଲେ।
ଅଭିଯୋଗ ଅନୁସାରେ ହକି ବିଶ୍ୱକପ୍ ପୂର୍ବରୁ ସରକାର ‘ମୋ ବସ୍ ସେବା ଆରମ୍ଭ କରିଥିଲେ। ଏଥିପାଇଁ ସହରରେ ପ୍ରାୟ ୧୨୭ଟି ଛକରେ ନୂତନ ବସଷ୍ଟପ୍ ନିର୍ମାଣ କରାଯାଇଥିଲା। ଏହି ବସ୍ ଷ୍ଟପ୍ ନିର୍ମାଣ ଏକ ଠିକା ସଂସ୍ଥାକୁ ଦିଆଯାଇଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା ଶ୍ରମିକଙ୍କୁ ପାଉଣା ଦିଆଯାଇନଥିବା ଅଭିଯୋଗ ହୋଇଛି। ଦୀର୍ଘ ଏକାମାସର ପାଉଣା ବାକି ଥିବାରୁ ଶ୍ରମିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି।
ସେପଟେ ଏହି ଅଭିଯୋଗକୁ ସଂପୃକ୍ତ ଠିକାଦାର ମଧ୍ୟ ସ୍ୱୀକାର କରିଛନ୍ତି। ସରକାର ବର୍ତ୍ତମାନ ସୁଦ୍ଧା ବକେୟା ଟଙ୍କା ଦେଇନଥିବାରୁ ସେ ଶ୍ରମିକଙ୍କୁ ସେମାନଙ୍କ ଟଙ୍କା ଦେଇପାରିନଥିବା କହିଛନ୍ତି। ହେଲେ ଘଟଣାକୁ ନେଇ ବିଡିଏ କର୍ତ୍ତୃପକ୍ଷ କିଛି କହିବାକୁ ମନା କରିଦେଇଛନ୍ତି।
from Odisha Reporter http://bit.ly/2VxXG59
No comments:
Post a Comment