
ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସାଧାରଣ ଜାତିର ଆର୍ଥିକ ପଛୁଆ ବର୍ଗଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୋଦି ସରକାର। ଏଣିକି ତଥାକଥିତ ଉଚ୍ଚ ଜାତିର ଆର୍ଥିକ ପଛୁଆ ଲୋକଙ୍କୁ ଚାକିରି ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ୧୦% ସଂରକ୍ଷଣ ସୁବିଧା ମିଳିବ।
ଆଜି ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି। ଏହାକୁ ଆଇନ୍ରେ ପରିଣତ କରିବା ପାଇଁ ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତ ଏକ ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ ଆଗତ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ତଥାକଥିତ ଉଚ୍ଚ ଜାତିର ଲୋକଙ୍କ ଆର୍ଥିକ ଆୟକୁ ଦୃଷ୍ଟିରେ ରଖି ଏଭଳି ୧୦% ସଂରକ୍ଷଣ ସୁବିଧା ମିଳିବ। ଏହାକୁ ମିଶାଇଲେ ବର୍ତ୍ତମାନ ଦେଶରେ ବିଭିନ୍ନ ବର୍ଗଙ୍କ ପାଇଁ ୫୦%ରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ରହିଛି।
ଚାକିରି ଓ ନାଁ ଲେଖାଇବା କ୍ଷେତ୍ରରେ ଏହି ସଂରକ୍ଷଣ ସୁବିଧା ମିଳିବ। ଯେଉଁ ଉଚ୍ଚ ଜାତିର ପରିବାର ବାର୍ଷିକ ୮ ଲକ୍ଷରୁ କମ୍ ଆୟ କରୁଥିବେ, ତାଙ୍କୁ ଏହି ସଂରକ୍ଷଣ ବ୍ୟବସ୍ଥାରେ ସାମିଲ କରାଯିବ।
ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ ଏପରି ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରିଛନ୍ତି। ଆଗକୁ ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ଏଭଳି ଘୋଷଣା କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଏହା ସୁପ୍ରିମକୋର୍ଟରେ ଖାରଜ ହୋଇଯିବ। କାରଣ ଦେଶରେ ୫୦%ରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ରହିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଏହା ଏକ ଲଲିପପ୍ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।
from Odisha Reporter http://bit.ly/2FfeOYG
No comments:
Post a Comment