
ବେଙ୍ଗାଲୁରୁ: ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଜେଲ୍ରେ ଥିବା ତାମିଲନାଡ଼ୁ ରାଜନୀତିର ଚର୍ଚ୍ଚିତ ଚେହେରା ଭିକେ ଶଶିକଳା ଏବେ ପୁଣି ଚର୍ଚ୍ଚାରେ। ସୂଚନା ଅଧିକାର ଆଇନ ଯୋଗେ ମିଳିଥିବା ତଥ୍ୟ ଅନୁଯାୟୀ ଶଶିକଳା ଏବେ ମଧ୍ୟ ଜେଲ୍ରେ ଭବ୍ୟ ଭିଆଇପି ସୁବିଧା ପାଉଛନ୍ତି। ୪ ବର୍ଷର ଜେଲ୍ ଦଣ୍ଡ ଭୋଗୁଥିବା ଶଶିକଳା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଥିଲେ ଏବଂ ଏଆଇଡିଏମ୍କେ ଦଳକୁ କରାୟତ୍ତ କରିବାକୁ ବହୁ ପ୍ରୟାସ କରି ବିଫଳ ହୋଇଥିଲେ।
ତେବେ ସେ ଜେଲ୍ ମଧ୍ୟରେ ଏପରି ସୁବିଧା ପାଉଛନ୍ତି, ଯାହା ଶୁଣିଲେ ଯେକେହି ମଧ୍ୟ ଆଶ୍ଚର୍ଯ୍ୟ ହେବ। ତାଙ୍କ ରହିବାପାଇଁ ୫ଟି କକ୍ଷର ବ୍ୟବସ୍ଥା ହୋଇଛି, ଏକ ରୋଷେଇ ଘର ମଧ୍ୟ ଅଛି ଏବଂ ତାଙ୍କ ପାଖକୁ ଲଗାତାର ଅତିଥିଙ୍କ ସୁଅ ଛୁଟୁଛି।
ମୋଟା ଅଙ୍କର ଲାଞ୍ଚ ଦେଇ ସେ ଏହି ସୁବିଧା ପାଉଛନ୍ତି ବୋଲି ଏହି ତଥ୍ୟ ପାଇଥିବା ନରସିଂହା ମୂର୍ତ୍ତି ନାମକ ଜଣେ ସୂଚନା ଅଧିକାର କର୍ମୀ କହିଛନ୍ତି। ସେ ବ୍ୟକ୍ତିଗତ ଟେଲିଭିଜନ୍, ଘରରନ୍ଧା ଖାଦ୍ୟ ଏବଂ ଆମିଷ ଭୋଜନ ପାଇଁ ପୂର୍ବରୁ ଆବେଦନ କରିଥିଲେ ମଧ୍ୟ ତାଙ୍କ ପ୍ରସ୍ତାବ ନାକଚ ହୋଇଥିଲା।
ମୂର୍ତ୍ତି କହିବା ଅନୁଯାୟୀ, ସେ ଫେବୃଆରୀ ୧୪ ତାରିଖରେ ଜେଲ ପହଞ୍ଚିବା ପରେ ୪ଟି ରୁମ୍ରେ ରହୁଥିବା ମହିଳା କଏଦୀମାନଙ୍କୁ ଅନ୍ୟତ୍ର ପଠାଯାଇଥିଲା। ଜେଲ୍ରେ ରୋଷେଇ ପାଇଁ ଅନୁମତି ନଥିବାବେଳେ ଶଶିକଳାଙ୍କ ପାଇଁ ଜେଲ୍ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଆଇନର ଉଲ୍ଲଂଘନ ବୋଲି ଶ୍ରୀ ମୂର୍ତ୍ତି କହିଛନ୍ତି।
ଗତ ବର୍ଷ ଡି ରୂପା ନାମକ ଜଣେ ବରିଷ୍ଠ ଆଇପିଏସ ଅଧିକାରୀ ଏହି ଭିଆଇପି ବ୍ୟବସ୍ଥା ବିରୋଧରେ ଅଭିଯୋଗ ଆଣିଥିଲେ। ସେ ମଧ୍ୟ ରୋଷେଇ ଘର ଏବଂ ଅତିରିକ୍ତ ରୁମ୍ କଥା ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ। ତାଙ୍କ ଉପରିସ୍ଥ ଅଫିସର ଜେଲ୍ ବିଭାଗ ଡିଜି ସତ୍ୟନାରାୟଣ ରାଓ ଏହାଦ୍ୱାରା ଲାଭବାନ ହୋଇଥିବା ସେ ଅଭିଯୋଗ ଆଣିଥିଲେ। ତେବେ ପରିଣାମ ସ୍ୱରୂପ ରୂପାଙ୍କୁ ଟ୍ରାଫିକ୍ ବିଭାଗକୁ ବଦଳି କରାଯାଇଥିଲା ଏବଂ କିଛି ଦିନ ପରେ ଅବସର ନେବାକୁ ଥିବା ଡିଜି ଶ୍ରୀ ରାଓଙ୍କୁ ଛୁଟିରେ ପଠାଇଦିଆଯାଇଥିଲା।
from Odisha Reporter http://bit.ly/2CvCAfe
No comments:
Post a Comment