
ନୂଆଦିଲ୍ଲୀ: ଡିସେମ୍ବର ୧୪ରୁ ମେଘାଳୟର ଜୟନ୍ତିଆ ଖଣିରେ ଫସି ରହିଥିବା ୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରି ନଥିବାରୁ ଆଜି ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଶାସନିକ ଅଧିକାରୀମାନେ ଆରମ୍ଭରୁ ଗୁରୁତ୍ୱର ସହ ଉଦ୍ଧାର କାର୍ଯ୍ୟ କରି ନଥିବାରୁ ଆଜି ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି। ଯାହା ଆଦୌ ଗ୍ରହଣୀୟ ନୁହେଁ। ଗତକାଲି ମଧ୍ୟ ସୁପ୍ରିମକୋର୍ଟ ଖଣିରେ ଫସିଥିବା ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଆଜି କେନ୍ଦ୍ର ସରକାରଙ୍କୁ ତାଗିଦ୍ କରି ସୁପ୍ରିମକୋର୍ଟ ଏହି ଘଟଣା ସମ୍ପର୍କିତ ସମସ୍ତ ରିପୋର୍ଟ ଜାନୁଆରୀ ୭ ସୁଦ୍ଧା କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆଜିର ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, “ ଖଣିଟି ବେଆଇନ୍ ଭାବେ ଚାଲିଥିଲା। ତେଣୁ ଏହା ଭିତରର ବ୍ଲୁ ପ୍ରିଣ୍ଟ କାହା ପାଖରେ ନାହିଁ। ତେଣୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଛି। ଏପରି କି ଭାରତୀୟ ନୌସେନାର ସ୍ୱତନ୍ତ୍ର ବୁଡ଼ାଳିମାନେ ମଧ୍ୟ ଶ୍ରମିକଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି। ନଦୀ ପାଖରେ ବେଆଇନ ଖଣି ଖାଦାନ ଥିବାରୁ ଏହା ମଧ୍ୟକୁ ବାରମ୍ବାର ପାଣି ପ୍ରବେଶ କରୁଛି।”
ଏହାଶୁଣି କୋର୍ଟ କହିଥିଲେ, ଏହି ଖଣି ଖାଦାନର ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ମାଲିକଙ୍କ ଭୁଲ ପାଇଁ ଶ୍ରମିକମାନେ କଷ୍ଟ ସହିବା ଠିକ୍ ନୁହେଁ। ଜଷ୍ଟିସ୍ ଏକେ ସିକ୍ରି ଓ ଜଷ୍ଟିସ୍ ଏସ୍ ଅବଦୁଲ ନଜିରଙ୍କ ଖଣ୍ଡପୀଠ ଏହାର ଶୁଣାଣି କରି ସମସ୍ତ ଶ୍ରମିକ ଜୀବିତ ରହିଥାଆନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। କୋର୍ଟ ଆସନ୍ତାକାଲି ସଲିସିଟର ଜେନେରାଲ୍ଙ୍କୁ ଉଦ୍ଧାର ପାଇଁ କ’ଣ ବ୍ୟବସ୍ଥା କରାଯାଇଛି, ତା’ର ରିପୋର୍ଟ ଦେବାକୁ କହିଛନ୍ତି। ସେହିପରି ରାଜ୍ୟ ସରକାରଙ୍କୁ ଘଟଣାର ସ୍ଥିତାବସ୍ଥା ରିପୋର୍ଟ ଜାନୁଆରୀ ୭ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
from Odisha Reporter http://bit.ly/2Rvr4tM
No comments:
Post a Comment