ବିଜେଡିର ‘କଂଗ୍ରେସ’ଦଖଲ ରଣନୀତି ସଫଳ ହେବ ନା ବୁମେରାଂ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ବିଜେଡିର ‘କଂଗ୍ରେସ’ଦଖଲ ରଣନୀତି ସଫଳ ହେବ ନା ବୁମେରାଂ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅତୀତରେ ଯେଉଁ କଂଗ୍ରେସ ନେତୃତ୍ୱ ସହ ଏକ ଦଶନ୍ଧି ଧରି ଭିତରି ବୁଝାମଣା କରି ବିଜେଡି ଓଡ଼ିଶାରେ ନିଜର ଶାସନ ଗାଦିକୁ ସୁଦୃଢ଼ ରଖିପାରିଥିଲା, ଏବେ ସେହି କଂଗ୍ରେସକୁ ଦୁର୍ବଳ କରିବାରେ ବିଜେଡି ଲାଗିଛି। ନିର୍ବାଚନକୁ ଆଉ ମାତ୍ର ହାତଗଣତି ଦିନ ବାକି ରହିଥିବାବେଳେ କଂଗ୍ରେସର ଜଣେ ପରେ ଜଣେ ବିଧାୟକ ବିଜେଡିକୁ ଡେଇଁବାକୁ ଗୋଡ଼ ଟେକି ବସିଛନ୍ତି।

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଯେଉଁ ରଣନୀତି ନେଇ କଂଗ୍ରେସ ବିଧାୟକମାନଙ୍କୁ ବିଜେଡି ନିଜ କ୍ୟାମ୍ପକୁ ଆଣିଥିଲା, ଏବେ ସେହି ଶୈଳୀରେ କଂଗ୍ରେସ ବିଧାୟକ ଦଳକୁ ଭାଙ୍ଗିବାରେ ଲାଗିିଛି। ତେବେ ବିଜେଡିର ଓଡ଼ିଶାରେ ‘କଂଗ୍ରେସ’ ଦଖଲ ରଣନୀତିରୁ ଦଳକୁ କ’ଣ ସତରେ ସୁଫଳ ମିଳିବ ନା ବିଜେଡି ସୁପ୍ରିମୋଙ୍କ ପାଇଁ ଏହା ବୁମେରାଂ ହେବ, ତାକୁ ନେଇ ରାଜନୀତିକ ଅଳିନ୍ଦରେ ଅଙ୍କକଷା ଆରମ୍ଭ ହୋଇଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ ରାଜ୍ୟରେ ୧୯ବର୍ଷର ଶାସନ ପ୍ରତି ବଢ଼ୁଥିବା ଲୋକଙ୍କ ଆକ୍ରୋଶକୁ ପ୍ରଶମିତ କରିବା ପାଇଁ ବିଜେଡି ଗୋଟିଏପଟେ ଲୋକଙ୍କୁ ଆକୃଷ୍ଟ କରିବା ଭଳି ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରୁଥିବାବେଳେ ଅନ୍ୟପଟେ ନିଜର ରାଜନୀତିକ ବିରୋଧୀଙ୍କୁ ମ୍ୟାନେଜ୍ କରିବାରେ ଲାଗିଛି। ରାଜନୀତିକ ବାଧ୍ୟବାଧକତା କାରଣରୁ ବିଜେପିର ଜାତୀୟ ନେତୃତ୍ୱଙ୍କର କୋହଳ ଆଭିମୁଖ୍ୟ ଏବେ ରାଜ୍ୟରେ ବିଜେଡି ପାଇଁ ‘ପାୱାରପ୍ଲସ୍ ’ ହୋଇଛି।

ନିର୍ବାଚନୀ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଦେଇଥିବା ଭାଷଣ ରାଜ୍ୟରେ କଳେବର ବୃଦ୍ଧି କରୁଥିବା ବିଜେପିକୁ ବ୍ୟାକଫୁଟକୁ ନେଇଥିବାବେଳେ ବିଜେଡିକୁ ଉତ୍ସାହିତ କରାଇଛି। ଏପଟେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ କଂଗ୍ରେସ ନିଜର ସ୍ଥିତି ସୁଦୃଢ଼ କରିବାରେ ଲାଗିଥିବାବେଳେ ‘କଂଗ୍ରେସ ବିଧାୟକ ଦଳ’କୁ ଭାଙ୍ଗି ବିଜେଡି ‘କଂଗ୍ରେସ’କୁ ଦୁର୍ବଳ କରିବାରେ ଲାଗିଛି।

ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ ବିଧାୟକ ନବ କିଶୋର ଦାସ, ଯୋଗେଶ ସିଂ, ପ୍ରକାଶ ବେହେରା, ତାରାପ୍ରସାଦ ବାହିନୀପତି, ଡାକ୍ତର ପ୍ରଫୁଲ୍ଲ ମାଝୀଙ୍କ ଭଳି ନେତାମାନେ ଏବେ ବିଜେଡି ଶିବିର ସହ ଯୋଗସୂତ୍ର ରହିଛନ୍ତି। ଏବେ ବିଧାୟକ ନବ ଓ ଯୋଗେଶ ବିଜେଡିରେ ସାମିଲ ହେବା ଏକରକମ ସ୍ପଷ୍ଟ ହୋଇସାରିଲାଣି । ଅନ୍ୟମାନଙ୍କ ସ୍ଥିତି ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

ତେବେ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଯେଭଳି କଂଗ୍ରେସ ବିଧାୟକମାନଙ୍କୁ ଦଳରେ ସାମିଲ କରି ନିଜ ସପକ୍ଷରେ ହାୱା ସୃଷ୍ଟି କରିଥିଲା, ଠିକ୍ ସେହିଭଳି ପରିବେଶ ସୃଷ୍ଟି ଲକ୍ଷ୍ୟରେ ବିଜେଡି ଏବେ କାର୍ଯ୍ୟ କରୁଛି। କିନ୍ତୁ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ତତକାଳୀନ କଂଗ୍ରେସ ବିଧାୟକ ଦଳ ନେତା ଭୂପିନ୍ଦର ସିଂ, ଅନୁପ ସାଏ ଓ ସୁରେନ୍ଦ୍ରନାଥ ପରମାଣିକଙ୍କ ଭଳି ବିଧାୟକମାନେ ଏବେ ନିଜର ରାଜନୀତିକ ଅସ୍ତିତ୍ୱ ସଙ୍କଟ ମଧ୍ୟରେ ଗତି କରୁଛନ୍ତି। ଭୂପିନ୍ଦର ପୁଣିଥରେ ନିର୍ବାଚନ ଲଢ଼ିବା ସ୍ଥିତିରେ ନଥିବାବେଳେ ଅନୁପ ଓ ସୁରେନ୍ଦ୍ର ନିଜର ସତ୍ତା ହରାଇବାରେ ଲାଗିଛନ୍ତି। ୨୦୧୪ରେ ସେମାନେ କଂଗ୍ରେସ କ୍ୟାମ୍ପ ଛାଡ଼ିବାର ଫାଇଦା ବିଜେଡିକୁ ମିଳିଥିଲେ ମଧ୍ୟ ସେମାନଙ୍କ ପାଇଁ ତାହା ‘ପଲିଟିକାଲ ଏନକାଉଣ୍ଟର’ ସାବ୍ୟସ୍ତ ହୋଇଛି।

ଠିକ୍ ସେହି ଶୈଳୀରେ ଏବେ ଯେଉଁ କଂଗ୍ରେସ ବିଧାୟକମାନେ ବିଜେଡିରେ ସାମିଲ ହେବାକୁ ଯାଉଛନ୍ତି ସେମାନଙ୍କ ରାଜନୀତିକ ସ୍ଥିତି ଆସନ୍ତା ୫ବର୍ଷ ବେଳକୁ କ’ଣ ଥିବ ତାହା ସମୟ କହିବ କିନ୍ତୁ ଏହା ସତ୍ୟ ଯେ କଂଗ୍ରେସ ଭଳି ଜାତୀୟ ଦଳରେ ଯେଉଁ ସାଂଗଠନିକ ବାକ୍ ସ୍ୱାଧୀନତା ମିଳୁଥିଲା ତାହା ବିଜେଡି ଭଳି ‘ୱାନମ୍ୟାନ୍ ପାର୍ଟି’ରେ ମିଳିବ ନାହିଁ। ଏବେ ସେହି ବିଧାୟକମାନଙ୍କୁ ନିଜ ସହ ସାମିଲ କରିବା ବିଜେଡିର ରାଜନୀତିକ ବାଧ୍ୟବାଧକତା ହୋଇଥିବାବେଳେ ସ୍ଥାନୀୟ ସମୀକରଣ ହିଁ ଦଳ ଛାଡ଼ୁଥିବା ବିଧାୟକମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେବ। ୨୦୧୭ ବିଜେପୁର ଉପନିର୍ବାଚନରେ ବିଜୟୀ ହୋଇଥିବା କଂଗ୍ରେସର ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ (ବିଜେଡି ବିଧାୟିକା)ଙ୍କ ଭଳି ହେବାର ଆଶଙ୍କା ଅଧିକ ରହିଛି। ରୀତା ବିଜେଡିରେ ଥାଇ ମଧ୍ୟ ଏବେ ଦଳରେ ଏକରକମ ଅଣଦେଖା ହୋଇପଡ଼ିଛନ୍ତି।

ଆଉ ସବୁଠୁ ବଡ଼ କଥା ହେଲା, ବିଜୁ ପରିବାରରେ ସାମିଲ ଥାଇ ଏବେ ବିଜେଡିରେ ନଥିବା ବିଜୟ ମହାପାତ୍ର, ଡାକ୍ତର ଦାମୋଦର ରାଉତ, ବୈଜୟନ୍ତ ପଣ୍ଡା, ଦିଲ୍ଲୀପ ରାୟ, ପଞ୍ଚାନନ କାନୁନଗୋ ଆଦିଙ୍କ ଭଳି ବରିଷ୍ଠ ତଥା ଅନୁଭବୀ ନେତାମାନେ ଏକ ରାଜନୀତିକ ମଞ୍ଚ କରି କଂଗ୍ରେସ ସହ ମେଣ୍ଟ କରିବେ ବୋଲି ଚର୍ଚ୍ଚା ହେଉଥିବାରୁ ତାକୁ ନେଇ ବିଜେଡି ସୁପ୍ରିମୋ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସେହି ସମ୍ଭାବ୍ୟ ମେଣ୍ଟ ବିଜେଡିକୁ ସର୍ବାଧିକ କ୍ଷତି କରିବାର ଆଶଙ୍କା ଥିବାରୁ ଦଳ ଏବେଠୁ କଂଗ୍ରେସକୁ ଭାଙ୍ଗିବା ପାଇଁ ରଣନୀତି ପ୍ରସ୍ତୁତ କରିଛି। ଅବଶ୍ୟ ବିଜୁ ପରିବାରର ସେହି ବରିଷ୍ଠ ନେତାମାନଙ୍କ ରାଜନୀତିକ ମଞ୍ଚ ଏପର୍ଯ୍ୟନ୍ତ ବାସ୍ତବ ରୂପ ନେଇପାରିନି ଓ କେବେ ନେବ ମଧ୍ୟ ତାହା ଅସ୍ପଷ୍ଟ, କିନ୍ତୁ ବିଜେଡି ଏହି ସମ୍ଭାବ୍ୟ ମେଣ୍ଟର ଆଶଙ୍କା କରି କଂଗ୍ରେସ ବିଧାୟକ ଦଳକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରିଦେଇଥିବା ରାଜନୀତିକ ବିଶ୍ଲେଷକମାନେ ମତ ଦେଉଛନ୍ତି।



from Odisha Reporter http://bit.ly/2T1Er2g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages