ଆଗକୁ ରାସ୍ତା ଅସ୍ପଷ୍ଟ, ଏବେ ‘ହାଇ ସସ୍‌ପେନ୍‌ସ୍‌’, - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

ଆଗକୁ ରାସ୍ତା ଅସ୍ପଷ୍ଟ, ଏବେ ‘ହାଇ ସସ୍‌ପେନ୍‌ସ୍‌’,

‘କ୍ଲାଇମାକ୍ସ’ ପୂର୍ବରୁ ‘ହାଇ ସସ୍‌ପେନ୍‌ସ୍‌’। ନିର୍ବାଚନ ମାତ୍ର ୪ ମାସ ବାକି, ଅଥଚ ରାଜନୀତିକ ଦୃଶ୍ୟପଟ୍ଟ ଏଯାଏ ସ୍ପଷ୍ଟ ନୁହେଁ। ତେବେ ଗତ ୧୫ ଦିନ ଭିତରେ ରାଜ୍ୟ ରାଜନୀତି ଏକ ନୂଆ ମୋଡ଼ ନେଇଛି ଏବଂ ଆଗାମୀ ୧୫ ଦିନରେ ପୁଣି ଏକ ମୋଡ଼ ନେବାର ସମ୍ଭାବନା ରହିଛି। କିନ୍ତୁ ମହାରଥୀଙ୍କ ମନ୍ତ୍ରୀ ପଦରୁ ଇସ୍ତଫା କେବଳ ଭାବମୂର୍ତ୍ତି ସୁରକ୍ଷାର ଏକ ନିର୍ଦ୍ଦିଷ୍ଟ ହଟଚମଟ ବ୍ୟତୀତ ଆଗାମୀ ‘ଭୋଟ୍‌ ଗଣିତ’ କି ‘ରାଜନୀତିକ ମୋଡ଼’ର ଅଂଶବିଶେଷ ଆଦୌ ନୁହେଁ।  
 
ନିର୍ଣ୍ଣାୟକ ନ ହେଲେ ବି ଗତ ୧୫ ଦିନରେ ରାଜ୍ୟ ରାଜନୀତିକୁ ଏକ ନୂଆ ମୋଡ଼ ଦେଇଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ଦୁଇ ଥର ଓଡ଼ିଶା ଗସ୍ତ। ଆଶ୍ଚର୍ଯ୍ୟଜନକ ଭାବେ ‘ବିଜେପି ଜାତୀୟ ଭୋଟ୍‌ ମେସିନ୍‌’ଙ୍କ ଏହି ତୋଫାନୀ ଗସ୍ତ ରାଜ୍ୟ ସରକାରୀ ଦଳ ଦୂର କଥା, ବରଂ ‘ସତ୍ତାବିପକ୍ଷ ଭୋଟ୍‌’କୁ ଅଧିକ ଦ୍ୱନ୍ଦ୍ୱରେ ପକାଇଛି। ନବୀନ୍‌ଙ୍କୁ ବ୍ରେକ୍‌ ଦେବା ପାଇଁ ମୋଦିଙ୍କୁ ଅନାଇ ଥିବା ଗୋଷ୍ଠୀ ନିରାଶ ହୋଇଛନ୍ତି। ପଦ୍ମ ଦଳର ‘ପୋଷ୍ଟର ବୟ’ ନିଜ ଆଚରଣ ଓ ଉଚ୍ଚାରଣ ଦ୍ୱାରା ସାଧାରଣରେ ଏପରି ଧାରଣା ସୃଷ୍ଟି କରିଛନ୍ତି, ଯାହା ଓଡ଼ିଶାରେ ‘ଶଙ୍ଖ ମୁଖିଆ’ଙ୍କୁ ସୁବିଧାଜନକ ସ୍ଥିତିରେ ରଖିଛି। କେହି ଏହାକୁ ୨୦୧୯ ଦିଲ୍ଲୀ ରାଜନୀତିର ସମ୍ଭାବ୍ୟ ସମୀକରଣ ପାଇଁ ବାଧ୍ୟବାଧକତା ବୋଲି କହୁଛନ୍ତି, କିନ୍ତୁ ଏହି ବାଧ୍ୟବାଧକତା ରାଜ୍ୟ ବିଜେପିକୁ ଅଧିକ କ୍ଷତିଗ୍ରସ୍ତ କରିଛି। ପ୍ରଧାନମନ୍ତ୍ରୀଙ୍କ ଆଗାମୀ ନିର୍ବାଚନୀ ଗସ୍ତ ରାଜ୍ୟରେ ଦଳର ଏହି ସ୍ଥିତାବସ୍ଥାକୁ କେତେ ପ୍ରଭାବିତ କରିବ, ତାହା ପଛ କଥା। ଏବେ କିନ୍ତୁ ଏହା ଅନ୍ତତଃ ସ୍ପଷ୍ଟ ହେବାରେ ଲାଗିଛି ଯେ ଆସନ୍ତା ୧୫ ଦିନ ମଧ୍ୟରେ ପ୍ରାୟ ଚୂଡ଼ାନ୍ତ ହେବାକୁ ଥିବା ବିଜେଡିବିରୋଧୀ ରଣନୀତିରୁ ରାଜ୍ୟ ବିଜେପି ଏକପ୍ରକାର ଦୂରେଇ ରହିବ।
 
ଭାବମୂର୍ତ୍ତି ସଙ୍କଟର ଅସ୍ତବ୍ୟସ୍ତତା ନ ଥିଲେ ପିପିଲି ଗଣଦୁଷ୍କର୍ମ ମାମଲାରେ କୋର୍ଟଙ୍କ ରାୟ ଆସିବା କ୍ଷଣି ଦାୟିତ୍ୱହୀନ ଓ ଅପରିଣାମଦର୍ଶୀ ମନ୍ତବ୍ୟ ଦେଇଥିବା  ମନ୍ତ୍ରୀ ମହାରଥୀଙ୍କୁ କିଛି ଦିନ କ୍ଷମତାର କାନି ତଳେ ଘୋଡ଼ାଇ ରଖି ପରେ ଇସ୍ତଫା ଦେବାକୁ ଅଦୃଶ୍ୟ ନିର୍ଦ୍ଦେଶ ମିଳି ନ ଥା’ନ୍ତା। ହାତରୁ ୫୦ରୁ ୬୦ ଆସନ ଖସି ଯିବାର ଭୟ ଏଯାଏ ଘାରୁ ନ ଥିଲେ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପାଇଁ ବିନା ସୁଧରେ ଋଣ ଘୋଷଣା ହୋଇ ନ ଥା’ନ୍ତା। କିନ୍ତୁ ଅସଲ କଥା ହେଉଛି, ଆସନ୍ତା ନିର୍ବାଚନରେ ବିଜେଡିର ଅସଲ ବିରୋଧୀ ବୋଲି ଦାବି କରୁଥିବା ରାଜ୍ୟ ‘ପଦ୍ମ ନଦୀ’ରେ ପୂର୍ବର କରେଣ୍ଟ୍‌ ଏବେ ଥମି ଯାଇଛି।
 
ବିଜେପି ନିରବି ଗଲେ ଯେ ନବୀନ୍‌ଙ୍କ ପାଇଁ ରାସ୍ତା ୨୦୧୯ରେ ସହଜ ହୋଇଯିବ,ଏପରି ଭାବିବା ବି ଭୁଲ୍‌। କାରଣ ବେଶ୍ କିଛି ଦିନ ଧରି ରାଜନୀତିର ଉଷ୍ମତାକୁ ମାପୁଥିବା କିଛି ଅଭିଜ୍ଞ ଖେଳାଳି ଏବେ ବିଜୁ ପୁତ୍ରଙ୍କ ରାସ୍ତା ଓଗାଳିବାର ବ୍ଲୁ ପ୍ରିଣ୍ଟ୍‌ ଫାଇନାଲ୍ କରିବା ସ୍ଥିତିରେ ପହଞ୍ଚିଛନ୍ତି। ଏପରି ହେଲେ, ଆଗାମୀ ୧୫ ଦିନରେ ରାଜ୍ୟ ରାଜନୀତିରେ ପୁଣି ଏକ ନୂଆ ମୋଡ଼ ଆସିବ, ଯେଉଁଥିରେ ବିଜେପି ନେତାଙ୍କ ତୁଳନାରେ ବିଜେଡିର ବିଦ୍ରୋହୀମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ବିଚିତ୍ର ନୁହେଁ।
କୁହାଯାଉଛି, ବିଜେପି ବ୍ୟାକ୍‌ଫୁଟ୍‌କୁ ଆସିବା ପରେ ତତ୍କାଳୀନ ଜନତା ଦଳର କିଛି ପୁରୁଖା ନେତା ଏବେ ନବୀନ୍‌ଙ୍କୁ ଚେକ୍‌ ଦେବା ପାଇଁ ଅଧିକ ଉତ୍ସାହିତ ହୋଇ ପଡ଼ିଛନ୍ତି ଏବଂ କେନ୍ଦ୍ରର ଏକ ପ୍ରମୁଖ ଶକ୍ତି ଏମାନଙ୍କୁ ଏ ଦିଗରେ ଆବଶ୍ୟକ ସହଯୋଗ କରିପାରେ। ହୋଇ ପାରେ ‘ଓଡ଼ିଶା ଜନତା ଦଳ’ ବା ଅନ୍ୟ ଏକ ବୁଝାମଣାଭିତ୍ତିକ ସାମ୍ମୁଖ୍ୟ, କିନ୍ତୁ ‘ଦିଲ୍ଲୀରେ ମୋଦି, ଓଡ଼ିଶାରେ ନବୀନ୍‌’ ବା ‘ଖୋର୍ଦ୍ଧାରେ ପଛଘୁଞ୍ଚା ଓ ବାରିପଦାରେ ଅସ୍ତ୍ରତ୍ୟାଗ’ର ସଙ୍କେତ ପରେ ଏହା ସ୍ପଷ୍ଟ ହେଉଛି ଯେ ଆଗାମୀ ନିର୍ବାଚନ(ବିଧାନସଭା)ରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଚତୁଃମୁଖୀ ଲଢ଼େଇର ସମ୍ଭାବନା ଅଧିକ। ଭୋଟ୍ ବ୍ୟବଧାନ କମିପାରେ କିନ୍ତୁ ପାଖାପାଖି ୬୦ ଆସନରେ କିଏ ବାଜି ମାରିବ, ତାହା ଫଳାଫଳ ପୂର୍ବରୁ କହିବା ମୁସ୍କିଲ୍‌ ହୋଇ ପଡ଼ିବ।


from Odisha Reporter http://bit.ly/2RcxH4L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages