
ନୂଆଦିଲ୍ଲୀ: ଦକ୍ଷିଣ ଚୀନ୍ ଓ ଥାଇଲ୍ୟାଣ୍ଡ ଉପରେ ଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ପାବୁକ’ ଏବେ ଆଣ୍ଡାମାନ ମୁହାଁ ହୋଇଛି। ବର୍ତ୍ତମାନ ଏହା ପୋର୍ଟ ବ୍ଲେୟାରଠାରୁ ୭୨୦ କିମି ଦୂରରେ ରହିଛି। ଏଠାରୁ ଘୂର୍ଣ୍ଣିଝଡ଼ ‘ପାବୁକ’ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ସନ୍ଧ୍ୟା କିମ୍ବା ରାତିରେ ଆଣ୍ଡାମାନ ସାଗର ଉପରେ ପହଞ୍ଚିବ।
ଏହାପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ରାତି ସୁଦ୍ଧା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଅତିକ୍ରମ କରିବ। ଏହାର ପ୍ରଭାବରେ ଆଣ୍ଡାମାନ ଓ ବଙ୍ଗୋପସାଗର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିସହ ପବନର ଘଣ୍ଟାପ୍ରତି ବେଗ ୭୫ରୁ ୮୫ କିମି ରହିବ ବୋଲି ଆଶଙ୍କା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ପାଇଁ ୟଲୋ ଆଲର୍ଟ ଜାରି କରିଛି।
ଅନ୍ୟପକ୍ଷରେ ଓଡ଼ିଶା ଉପରେ ଏହାର ପ୍ରଭାବ କ’ଣ ରହିବ, ତା’ହା ସ୍ପଷ୍ଟ ହୋଇନାହିଁ। ତେବେ ଗୁରୁବାର ରାଜ୍ୟ ସରକାର ସତର୍କତା ସ୍ୱରୂପ ରାଜ୍ୟର ୭ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଜିଲ୍ଲାଗୁଡ଼ିକ ହେଲା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଂଜାମ ଓ ଖୋର୍ଦ୍ଧା। ଯେହେତୁ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ‘ପାବୁକ’ର ପ୍ରଭାବ ପଡ଼ିବ, ତେଣୁ ଓଡ଼ିଶାର ଆକାଶ ପ୍ରାୟତଃ ମେଘୁଆ ରହିବ।
ବିଭାଗ ପକ୍ଷରୁ ଜାରି ବୁଲେଟିନ୍ରେ କୁହାଯାଇଛି ଯେ ଘୂର୍ଣ୍ଣିଝଡ଼ ‘ପାବୁକ’ ପ୍ରଭାବରେ ଥାଇଲ୍ୟାଣ୍ତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ଆଜି ଏହା ଆଣ୍ଡାମାନ ପହଞ୍ଚିବା ପରେ ଆସନ୍ତାକାଲି ସନ୍ଧ୍ୟା କିମ୍ବା ରାତିରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଅତିକ୍ରମ କରିବ। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ପବନ ମଧ୍ୟ ହେବ।
ଏହା ଆଣ୍ଡାମାନରୁ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଫଳରେ ଆଣ୍ଡାମାନ ସମେତ ପୂର୍ବ କେନ୍ଦ୍ରୀୟ ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରର ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ପବନର ଘଣ୍ଟାପ୍ରତି ବେଗ ୭୫ରୁ ୮୫ କିମି ଓ ବେଳେବେଳେ ୯୫ କିମି ମଧ୍ୟ ଛୁଇଁପାରେ।
୮ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିପାରେ। ଏହାପରେ ‘ପାବୁକ’ ଦିଗ ବଦଳାଇ ୭-୮ରେ ମିଆଁମାର ଆଡ଼େ ମୁହାଁଇବ। ତେବେ ସେତେବେଳକୁ ‘ପାବୁକ’ ଦୁର୍ବଳ ହୋଇ ଡିପ୍ ଡିପ୍ରେସନ୍ରେ ପରିଣତ ହୋଇ ସାରିଥିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି।
‘ପାବୁକ’ ଯୋଗୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ଆଜିଠାରୁ ଆସନ୍ତା ୮ ତାରିଖ ସନ୍ଧ୍ୟା ଯାଏ ସମସ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।
from Odisha Reporter http://bit.ly/2R8lYnT
No comments:
Post a Comment