
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ଗତକାଲି କଂଗ୍ରେସରୁ ବହିଷ୍କାର କରାଯାଇଛି। ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ଦଳ ଦଣ୍ଡିତ କରିଛି। ଏହା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି କୃଷ୍ଣଚନ୍ଦ୍ର। ସେ ସିଧାସଳଖ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କୁ ସମାଲୋଚନା କରିଛନ୍ତି। ତୃତୀୟ ମହଲା ସହିତ ନରସିଂହଙ୍କ ସମ୍ପର୍କ ରହିଛି ବୋଲି ସଗରିଆ କହିଛନ୍ତି।
ସେ କହିଛନ୍ତି-“ନରସିଂହ ମିଶ୍ରଙ୍କ ସହିତ ତୃତୀୟ ମହଲାକୁ ସିଧା ସମ୍ପର୍କ ରହିଛି। ସେ ଆଗରୁ ଚାହୁଁଥିଲେ ନିଜ ପୁଅକୁ ନେଇ ବିଜେଡିରେ ଥଇଥାନ କରିବା ପାଇଁ। ତାହା ନହେଲେ ସେ ବିଧାୟକଙ୍କୁ କେବେ କହିନଥାଆନ୍ତେ ମୁଖ୍ୟମନ୍ତ୍ରୀଙ୍କ ପାଦ ତଳେ ପଡ଼ିବା ପାଇଁ। ସେ ଏସ୍ସିଏସ୍ଟି ଲୋକଙ୍କୁ କେବେ ମଣିଷ ବୋଲି ଭାବନ୍ତି ନାହିଁ। ଏସ୍ସିଏସ୍ଟିମାନେ ଦ୍ୱିତୀୟ ଶ୍ରେଣୀ ନାଗରୀକ ବୋଲି ସେ ଭାବନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଦ ତଳେ ପଡ଼ିବାକୁ ବିଧାୟକମାନଙ୍କୁ ସେ କହିଛନ୍ତି।”
ସଗରିଆ କହିଛନ୍ତି-“ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନି। କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ଅହରହ ଚେଷ୍ଟା କରିଛି। କୁନ୍ଦୁଲି ନାବାଳିକାକୁ ଗଣ ଦୁଷ୍କର୍ମ କରାଗଲା। ସବୁ ଜାଣି ରାଜ୍ୟ ସରକାର ଚାପି ରହିଲେ। ପୀଡ଼ିତାକୁ ନ୍ୟାୟ ଦେବା ପାଇଁ କୁନ୍ଦୁଲିରୁ ଦିଲ୍ଲୀ ପର୍ଯ୍ୟନ୍ତ ନ୍ୟାୟ ଭିକ୍ଷା କଲି। ତା’ପରେ ମଧ୍ୟ ନ୍ୟାୟ ମିଳିଲା ନାହିଁ। ଶେଷରେ ପୀଡ଼ିତା ଆତ୍ମହତ୍ୟା କଲା। ପୀଡ଼ିତାଙ୍କ ଆତ୍ମହତ୍ୟାର ଏକ ବର୍ଷ ପୂର୍ତ୍ତିରେ ମୁଁ ବିଧାୟକ ପଦରୁ ଇସ୍ତଫା ଦେବି ବୋଲି ଘୋଷଣା କଲି। କିନ୍ତୁ ମୋର ଇସ୍ତଫାକୁ ବିରୋଧୀଦଳ ନେତା ନରସିଂହ ମିଶ୍ର ଗ୍ରହଣ କଲେ ନାହିଁ। ବରଂ ମୋତେ ନୀଚା ଦେଖାଇବା ପାଇଁ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ଶ୍ରୀ ମିଶ୍ର କହିଲେ, କେତେକ ଲୋକଙ୍କ ପ୍ରରୋଚନାରେ ପଡ଼ି ମୁଁ କୁଆଡ଼େ ଇସ୍ତଫା ଦେଲି। ଏହାକୁ ମୁଁ ଦୃଢ଼ ଭାବେ ଖଣ୍ଡନ କରି ଶ୍ରୀ ମିଶ୍ରଙ୍କୁ ପତ୍ର ଲେଖିଥିଲି। ଏହି ପତ୍ରର ଆଜିଯାଏଁ ଜବାବ ଆସିନାହଁ। ଏଇଟା ଯଦି ଦଳ ବିରୋଧୀ କାମ, ତାହାହେଲେ ଏମିତି କାମ ସବୁବେଳେ କରିବି।”
ସେ କହିଛନ୍ତି-“ଏସ୍ସି/ଏସ୍ଟିଙ୍କ ସମସ୍ୟାକୁ ନେଇ ଆମେ ବିଧାନସଭାରେ ଅନଶନରେ ବସିଥିଲୁ। ସେହି ସମୟରେ ବିଜେଡିର ବିଧାୟକମାନେ ଆମକୁ ବଳପୂର୍ବକ ଟେକିନେଇ ଗୃହ ବାହାରକୁ ଫିଙ୍ଗି ଦେଇଥିଲେ। ପରେ ଆମେ ବାଚସ୍ପତିଙ୍କ ପାଖରେ ଯାଇ ଧାରଣାରେ ବସିଥିଲୁ। ଏହି ସମୟରେ ବିରୋଧୀ ଦଳ ନେତା କହିଥିଲେ, ମୁଖ୍ୟମନ୍ତ୍ରୀ ଗୃହକୁ ଆସିଲା ବେଳେ ତାଙ୍କ ପାଦ ତଳେ ପଡ଼ିବା ପାଇଁ। ତାଙ୍କ କଥାରେ ଆମର କିଛି ବରିଷ୍ଠ ବିଧାୟକ ପାଦ ତଳେ ପଡ଼ିଲେ। ଏହାକୁ ମୁଁ ଦୃଢ଼ ଭାବେ ବିରୋଧ କରିଥିଲି। ପାଦ ତଳେ ପଡ଼ି ନିଜର ହକ୍ ମାଗିବା କେଉଁ ପ୍ରକାର ଗଣତନ୍ତ୍ର ବୋଲି ପ୍ରଶ୍ନ କରିଥିଲି। ଏଭଳି ମାନସିକତା ରଖିଥିବା ବ୍ୟକ୍ତିଙ୍କୁ ତୁରନ୍ତ ବିରୋଧୀଦଳ ନେତାଙ୍କ ପଦରୁ ବହିଷ୍କାର କରାଯାଉ।”
ଶ୍ରୀ ମିଶ୍ର କହିଛନ୍ତି-“ବିରୋଧୀ ଦଳ ମୁଖ୍ୟ ସଚେତକ ତାରପ୍ରସାଦ ବାହିନୀପତି ଆର୍ଏସ୍ଏସ୍ କର୍ମୀଙ୍କୁ ଧରି ମୋ ବିରୋଧରେ ମାମଲା କଲେ। ଏ ସମ୍ପର୍କରେ ମୁଁ ଏଆଇସିସିକୁ ଲେଖିଥିଲି। ଏଆଇସିସି ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଏ ବିରୋଧରେ ମୁଁ ଏଆଇସିସିରେ ଦ୍ୱାରସ୍ଥ ହୋଇଥିଲି ଓ ରାହୁଲ ଗାନ୍ଧିଙ୍କୁ ଜଣାଇଥିଲି।
ଯେତେବେଳେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେଲେ ମୋତେ ଅନୁସୂଚିତ ଜାତି ଓ ଜନଜାତି ପଦରୁ ବାହାର କରିବା ପାଇଁ ଦିଲ୍ଲୀରେ ଯାଇ ବସିଲେ। ଚାପ ପ୍ରୟୋଗ କରି ମୋତେ ହଟାଇଲେ। ମୁଁ ଏହାର କେବେ ହେଲେ ପ୍ରତିବାଦ କରିନି। ଏଥିରୁ ଜଣାପଡ଼ୁଛି କଂଗ୍ରେସରେ ଗଣତନ୍ତ୍ର ନାହିଁ। ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ପାଖରେ କଂଗ୍ରେସ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଛି। ଏହି ଦୁଇ ଏବେ ଗୋଟିଏ ହୋଇଯାଇଛନ୍ତି। ଏମାନଙ୍କୁ କେତେକ ଖଣି ଓ ଖାଦାନ ମାଲିକମାନେ ପରିଚାଳନା କରୁଛନ୍ତି।”
from Odisha Reporter http://bit.ly/2CwdSvg
No comments:
Post a Comment