
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନେ ଅଧେ ନୁହେଁ, ଆଜିକୁ ୧୫ ଦିନ ହେବ ମଣ୍ଡିରେ ପଡ଼ି ରହିଛି ଟନ୍ ଟନ୍ ଧାନ। ୨ଶହରୁ ଅଧିକ ଚାଷୀ ଅନାଇ ରହିଛନ୍ତି କେବେ ସେମାନଙ୍କ ଧାନ କିଣିବେ ସରକାର। ହେଲେ ସେ ସୁବିଧା ତ ମିଳୁନି, ଓଲଟା ମଣ୍ଡିକୁ ଆଉ ଧାନ ନଆଣିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ସୋସାଇଟି କର୍ତ୍ତୃପକ୍ଷ।
ବୌଦ୍ଧ ଜିଲ୍ଲା ଶିମିଳିପଦରରେ ଧାନ ମଣ୍ଡିରେ ପ୍ରାୟ ଦୁଇ ସପ୍ତାହ ଧରି ଶହ ଶହ ଚାଷୀ ଶୀତ କାକରରେ ଧାନକୁ ଜଗି ରହିଛନ୍ତି। ମାତ୍ର ମିଲର୍ ଗାଡ଼ି ପଠାଉନଥିବାର ଆଳ ଦେଖାଇ କାନ୍ଥରେ ନୋଟିସ ଝୁଲାଇଛନ୍ତି ସୋସାଇଟି କର୍ତ୍ତୃପକ୍ଷ। ସମାନ ଦୃଶ୍ୟ ପଲଗାଗୋରା ମାର୍କେଟ୍ ୟାର୍ଡରେ ଦେଖିବାକୁ ମିଳିଛି। ଏଠିବି ୧୦ ଦିନ ଧରି ଚାଷୀମାନେ ଧାନ ବିକିବାକୁ ଅପେକ୍ଷାରେ କରିଛନ୍ତି। ମାତ୍ର ମିଲର ଆସୁନଥିବା କହି ଧାନ କିଣୁନି ସୋସାଇଟି।
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଚାରବାହାଲ ଓ ବୋଡୋନ୍ ମଣ୍ଡିରେ ରାତିରେ ଅସହ୍ୟ ଶୀତ ଓ କାକରକୁ ଖାତିର ନକରି ବର୍ଷକର ପରିଶ୍ରମର ଫଳକୁ ଜଗି ରହିଛନ୍ତି ଚାଷୀ। ବିକ୍ରି ପାଇଁ ଟୋକନ୍ ଥାଇ ଆଜିକୁ ୧୦ ଦିନ ହେବ ଧାନ ବିକ୍ରି କରି ପାରିନଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି।
ଏପଟେ ମଣ୍ଡିରେ ଅବ୍ୟବସ୍ଥା ଓ ବିଭ୍ରାଟକୁ ନେଇ ଆଜି ରାଜ୍ୟ ସରକାରଙ୍କୁ ପୁଣି ଘେରିଛନ୍ତି ବିରୋଧୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ପ୍ରସଙ୍ଗରେ ସେ ବର୍ଷିଥିବା ବେଳେ ସେପଟେ ଅବ୍ୟବସ୍ଥାକୁ ନେଇ ବିଜେପି ଉପରଠାଉରିଆ ସମାଲୋଚନା କରୁଥିବା କଥା କଂଗ୍ରେସ କହିଛି। ଧାନମଣ୍ଡି ସମସ୍ୟା ନେଇ ସଂସଦରେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ସାର୍ଟିଫିକେଟ ଦେଇଥିବାରୁ ଚାଷୀଙ୍କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଭକୁଆ ବନାଉଥିବା ଅଭିଯୋଗ କରିଛି କଂଗ୍ରେସ। ସେପେଟ ରାଜ୍ୟରେ ଧାନ କିଣା ଠିକରେ ଚାଲିଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି-“ରାଜ୍ୟରେ ଚାଷରେ ଘୋର ଅବ୍ୟବସ୍ଥା ଲାଗି ରହିଛି। ଧାନ ମଣ୍ଡିରୁ ବିକ୍ରି ହୋଇପାରୁନି। ଲୋକେ ଶୁଦ୍ଧ ପାନୀୟ ଜଳ ମୁନ୍ଦାଏ ପାଇପାରୁ ନାହାନ୍ତି। ଘରେ ବିଜୁଳି ପହଞ୍ଚି ପାରୁନାହିଁ।”
ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି-“ମଣ୍ଡିରେ ଚାଷୀମାନେ ଶୋଷଣରେ ଶିକାର ହୋଇଆସୁଛନ୍ତି। ଧାନ ମଣ୍ଡିରେ ବିଭ୍ରାଟ୍ ସୃଷ୍ଟି ହେଉଥିବା ଲକ୍ଷାଧିକ ଚାଷୀ ଅଭିଯୋଗ କରିଆସୁଛନ୍ତି।”
ଅନ୍ୟପକ୍ଷେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି-“ଚଳିତବର୍ଷ ପାଇଁ ଏପ୍ରିଲ ଶେଷ ସୁଦ୍ଧା ୫୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସେଥିରୁ ବର୍ତ୍ତମାନ ସୁଦ୍ଧା ୨୮ ଲକ୍ଷ ଧାନ କ୍ରୟ ହୋଇ ସାରିଲାଣି।”
from Odisha Reporter http://bit.ly/2H9dBUD
No comments:
Post a Comment