ଦୁର୍ନୀତିର ଚେର ନବୀନ ନିବାସର ଅନ୍ତଃପୁର ପର୍ଯ୍ୟନ୍ତ ଲମ୍ବିଛି: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ଦୁର୍ନୀତିର ଚେର ନବୀନ ନିବାସର ଅନ୍ତଃପୁର ପର୍ଯ୍ୟନ୍ତ ଲମ୍ବିଛି: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶାରେ ଦୁର୍ନୀତିର ଦାନବକୁ ଦାନାପାଣି ନବୀନ ପଟ୍ଟନାୟକ ବାବୁ ଦେଉଛନ୍ତି। ଦୁର୍ନୀତିର ଚେର ନବୀନ ନିବାସର ଅନ୍ତଃପୁର ପର୍ଯ୍ୟନ୍ତ ଲମ୍ବିଛି। ପିସି, ଚିଟ୍‌ଫଣ୍ଡ ଓ ଖଣି ଦାନବକୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି। ମନ୍ତ୍ରୀ, ବିଧାୟକ ଓ ଆଇଏଏସ୍‌ମାନେ ପିସି ନେଉଥିବା ବେଳେ ଧରାପଡୁନାହାନ୍ତି। ବିଜେଡିର ବହୁ ମନ୍ତ୍ରୀ ଓ ବିଧାୟକ ଚିଟଫଣ୍ଡରେ ସମ୍ପୃକ୍ତ ଅଛନ୍ତି। ବିଜେପି ସରକାରକୁ ଆସିଲେ ଚିଟ୍‌ଫଣ୍ଡରେ ସମ୍ପୃକ୍ତ ସମସ୍ତଙ୍କୁ ଜେଲ ପଠାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଓ ପାତ୍ରପୁର ଠାରେ ‘ଜବାବ ମାଗୁଛି ଓଡିଶା’ ଅଭିଯାନ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରଶ୍ନ କହିଛନ୍ତି-“ଛୋଟ ଦାନବ ସରୋଜ ସାହୁ କିଏ? ସିଏ କେଉଁଠାରେ ରହେ? ତାଙ୍କୁ ସିବିଆଇ କଣ ପାଇଁ ଜେରା କରିଥିଲା? ତାଙ୍କ ସହ ନବୀନ ବାବୁଙ୍କର କଣ ସମ୍ପର୍କ ରହିଛି? ଏହା ଉପରେ ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ।” ସେ ଆହୁରି କହିଛନ୍ତି-“ଓଡ଼ିଶାରେ ଯୁବକଙ୍କୁ ଚାକିରି ନାହିଁ। ଚାଷକୁ ଜଳସେଚନ ନାହିଁ। ମାଆ-ଭଉଣୀମାନଙ୍କୁ ପିଇବା ପାଣି ମିଳୁନି। ଗାଁ ଗଣ୍ଡାରେ ୨୪ ଘଣ୍ଟିଆ ବିଜୁଳି ସେବା ନାହିଁ। ଦୁର୍ନୀତି ରାଜ୍ୟରେ ଚରମସୀମାରେ ପହଞ୍ଚି ଥିବା ବେଳେ ମୁଖ୍ୟମନ୍ତ୍ରୀ ‘ଆପଣ ମାନେ ଖୁସି ତ’ ବୋଲି କହି ବୁଲୁଛନ୍ତି। ଆପଣ ଖୁସି ଥାଇ ପାରନ୍ତି, ତେବେ ୧୯ ବର୍ଷ ଧରି ଓଡ଼ିଶାର ଲୋକଙ୍କୁ ହିନସ୍ତା ମଧ୍ୟରେ ରଖିଥିବା ସରକାରଙ୍କୁ ଏଥିଲାଗି ଜବାବ ଦେବାକୁ ପଡ଼ିବ। ୧୯ ବର୍ଷ ସରକାରରେ ରହିବା ପରେ ବାହାଘର ବେଳେ ବାଇଗଣ ରୁଆ ପରି ଏବେ ସୁନେଲୀ ସ୍ୱପ୍ନ ଦେଖାଯାଉଛି। ଏ ଅପାରଗ ଓ ସ୍ଥାଣୁ ସରକାରଙ୍କୁ ଋଷିକୂଲ୍ୟା ଦେଇ ସମୁଦ୍ରକୁ ପଠାଇବାର ସମୟ ଆସିଯାଇଛି।”

ଶ୍ରୀ ପ୍ରଧାନ କହିଛନ୍ତି-“ରାଜ୍ୟ ଶାସନରେ ରହିଥିବା ବିଜେଡି ସରକାର ଅସାଧୁ ଠିକାଦାରଙ୍କ ସହ ମେଣ୍ଟ କରିଛନ୍ତି। ବିଧାୟକଙ୍କ ଚେଲା ଚାମୁଣ୍ଡାମାନଙ୍କୁ ହାତଗୁଞ୍ଜା ନଦେଲେ ବାର୍ଦ୍ଧକ୍ୟ ଭତ୍ତା ମିଳୁନାହିଁ। ରାଜ୍ୟରେ ଲୋକମାନେ ହନ୍ତସନ୍ତ ଅବସ୍ଥାରେ ଥିବା ବେଳେ ନବୀନ ବାବୁ ଦାନବମାନଙ୍କର ମୁଖ୍ୟ ସଂରକ୍ଷକ ସାଜିଛନ୍ତି।”

ସେ କହିଛନ୍ତି-“ମଣ୍ଡିରେ ଧାନ ବିକ୍ରି ହେଉନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀମାନଙ୍କ ପାଇଁ କୁଇଣ୍ଟାଲ୍‌ ପିଛା ବିନା କଟନିଛଟନିରେ ୧୭୫୦ ଟଙ୍କା ଦେଉଥିବା ବେଳେ ରାଜ୍ୟରେ ଚାଷୀ ତାର ହକ୍‌ ପାଉନାହିଁ। ହେଲେ ମନ୍ତ୍ରୀ ସୂର୍ଯ୍ୟପାତ୍ର କହୁଛନ୍ତି- ପ୍ରମାଣ ଦେଲେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି। ଏବେ ତାଙ୍କର ଅସଲ ମୁଖା ପଦାରେ ପଡ଼ିଛି। ଏଥର ସୂର୍ଯ୍ୟ ପାତ୍ର ଓ ତାଙ୍କର ମାଲିକମାନଙ୍କୁ ସନ୍ନ୍ୟାସ ନେବାକୁ ପଡ଼ିବ।”

ଶ୍ରୀ ପ୍ରଧାନ କହିଛନ୍ତି-“ଏହି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ଉଷାଦେବୀ, ବିକ୍ରମ ଆରୁଖ, ସୂର୍ଯ୍ୟ ପାତ୍ରଙ୍କ ପରି ୪-୪ ଜଣ ମନ୍ତ୍ରୀ ରହିଛନ୍ତି। ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ନିଜ ଘରୋଇ ଜିଲ୍ଲାରେ ଆଜି ବିକାଶ ଦିଗହରା ପାଲଟିଛି। ଜିଲ୍ଲା ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ୬୨ ପ୍ରତିଶତ ଡାକ୍ତର ପଦବୀ ଜିଲ୍ଲାରେ ଖାଲି ପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କୁ ଏହି ସବୁର ଜବାବ ଦେବାକୁ ପଡ଼ିବ।”

ସେ କହିଛନ୍ତି-“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ହିଂସା କରି ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କଲେନାହିଁ। ଏବେ ସୁରଟରେ କାମ କରୁଥିବା ଗରିବ ଲୋକମାନେ ସେଠାକାର କେଉଁ ହସ୍ପିଟାଲରେ ଚିକିତ୍ସିତ ହେବେ? ତା’ର ଉତ୍ତର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି କି? ଗତକାଲି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। କନ୍ଧମାଳରେ ଆଦିବାସୀ ଝିଅ ସରକାରୀ ସ୍କୁଲରେ ରହି ଏକ ସନ୍ତାନ ପ୍ରସବ କରିଛନ୍ତି। ସ୍ଥାନୀୟ ଲୋକେ ଏହି ଘଟଣାର ପ୍ରତିବାଦ କରିଥିଲେ। ଏହା ପରେ ତଳିଆଙ୍କୁ ମାର୍ ନୀତିରେ କେତେ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଗଲା। ୨୦୧୫ ମସିହାରୁ ଆଶ୍ରମ ସ୍କୁଲରେ ରହୁଥିବା ଝିଅମାନଙ୍କ ସ୍ୱାସ୍ଥ୍ୟ ଚିକିତ୍ସାର ନିୟମ ରହିଛି। ଯିଏ ପିପିଲି ପୀଡ଼ିତାର ଦୁଃଖ ଦେଖିପାରେ ନାହିଁ, କନ୍ଧମାଳର ଝିଅକୁ ଦେଖିପାରେ ନାହିଁ, ସେହି ମୁଖ୍ୟମନ୍ତ୍ରୀ ଏବେ ପ୍ରଶ୍ନ ପଚାରୁଛନ୍ତି- ମୋ ସରକାରରେ ଆପଣ ଖୁସି ତ?”



from Odisha Reporter http://bit.ly/2smeA9M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages